ମାଡି ଚାଲିଛି ମହାନଦୀ: ନାହିଁ ଲାଇଫଜ୍ୟାକେଟ, ବୋଟ ବି କଣା : ଖଣ୍ଡପଡା ବନ୍ୟାଞ୍ଚଳ ସ୍ଥିତି ପରଖିଲେ ପୂର୍ବତନ ବିଧାୟକ ସିଦ୍ଧାର୍ଥ:

ରାଜ୍ୟରେ ବନ୍ୟାସ୍ଥିତି ସଂଗୀନ ହୋଇ ପଡ଼ିଥିବା ବେଳେ ପାଣି ଘେvରରେ ଆଠ ଲକ୍ଷରୁ ଅଧିକ ଲୋକ ଫସି ରହିଛନ୍ତି |
ମହାନଦୀରେ ମଧ୍ୟ ବନ୍ୟା ଆସିଥିବା ବେଳେ ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନମଣ୍ଡଳୀ ଅଧିକ କ୍ଷତିଗ୍ରସ୍ତ ହୋଇପଡିଛି |
ଏଭଳି ବିପଦସଂକୁଳ ପରିସ୍ଥିତିରେ ନିଜ ଲୋକମାନଙ୍କ ନିକଟରେ ପହଂଚିଥିଲେ ଖଣ୍ଡପଡାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ |


ଖଣ୍ଡପଡା ଓ ଭାପୁର ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ସିଦ୍ଧାର୍ଥ |
ଏହି ଦୁଇ ବ୍ଲକର କରବର ପଞ୍ଚାୟତର ମାଣିତ୍ରୀ,ଫତେଗଡ ପଞ୍ଚାୟତର ମଣିପୁର ଗ୍ରାମରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଥିବା ବେଳେ ଲୋକମାନଙ୍କ ଫସଲ ସବୁ ଉଜୁଡି ଯାଇଛି । ଲୋକମାନେ ଅତି କଷ୍ଟରେ ରହିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପରିସ୍ଥିତିରେ ବିପନ୍ନଙ୍କ ପାଖରେ ପହଞ୍ଚି ନାହାନ୍ତି କିମ୍ବା ଜନପ୍ରତିନିଧିଙ୍କର ମଧ୍ୟ ଦେଖା ଦର୍ଶନ ନାହିଁ। ଲୋକମାନଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଇନାହିଁ ବୋଲି ଅତି ଦୁଃଖର ସହ ସ୍ଥାନୀୟ ବାସିନ୍ଦା ପୂର୍ବତନ ବିଧାୟକଙ୍କ ନିକଟରେ ଅଭିଯୋଗ କରିଛନ୍ତି |

ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି। ସେପଟେ
ଲୋକମାନଙ୍କ ଗମନାଗମନ ସୁବିଧା ଲାଗି ଏସଆରସି ଙ୍କ ତରଫରୁ ବୋଟ୍ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଡଙ୍ଗାରେ‌ ଲାଇଫ ଜାକେଟ ମାତ୍ର ୬ଟା ରଖାଯାଇଛି ଓ ଯୋଗାଇ ଦିଆଯାଇଥିବା ବୋଟ୍ ଟି କଣା ହୋଇଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି ଫଳରେ ସେହି ବୋଟ୍ ରେ ଲୋକମାନେ ଯିବାକୁ ଭୟ କରୁଛନ୍ତି |
ଏପରିକି ପୂର୍ବତନ ବିଧାୟକ ସିଦ୍ଧାର୍ଥ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡ଼ିଥିବା ଭାପୁର ବ୍ଲକ ଫତେଗଡ ଗ୍ରାମ ପଂଚାୟତର ମଣିପୁର ଗ୍ରାମକୁ ଯିବା ନିମନ୍ତେ କାଳିଗିରି ବ୍ରିଜରେ ପହଂଚି ବୋଟ ରେ ବସିବା ସମୟରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ପାଇଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି |

ଏସଆରସିଙ୍କ ଦ୍ୱାରା ବନ୍ୟା କ୍ଷତିଗ୍ରସ୍ତଙ୍କ ନିମନ୍ତେ ଯୋଗାଇ ଦିଆଯାଇଥିବା ବୋଟରେ ମାତ୍ର 6ଟି ଲାଇଫ ଜ୍ୟାକେଟ ରହିଥିବା ବେଳେ ଏଥିରେ ଅଠର ଜଣ ବସିଥିବା ଦେଖିବାକୁ ମିଳିଥିଲା |
କେହି ମଧ୍ୟ ଲାଇଫ ଜ୍ୟାକେଟ ପିନ୍ଧି ନଥିଲେ, ତାଙ୍କୁ ପିନ୍ଧିବାକୁ ମଧ୍ୟ କୁହାଯାଇନଥିବା ସେମାନେ କହିଛନ୍ତି | ଏପରିକି ଏହି ବୋଟରେ ଏକ ବଡ଼ କଣା ଥିବା ଦେଖିବାକୁ ମିଳିଥିବା ବେଳେ ତାହା ଲୋକମାନଙ୍କ ଜୀବନ ବିପଦ
ମୁହଁକୁ ଠେଲି ଦେଉଥିବା ଗୁରୁତର ଅଭିଯୋଗ ଉଠାଇଛନ୍ତି ସିଦ୍ଧାର୍ଥ |

ବାରମ୍ବାର ଯାତ୍ରୀବାହି ବୋଟ ଦୁର୍ଘଟଣାଗ୍ରସ୍ତ ହେଉଥିବା ବେଳେ ଏଭଳି ପରିସ୍ଥିତିରେଯେ ଏହାର ପୁନରାବୃତ୍ତି ନହେବା ତାହା କହିବା ଅସମ୍ଭବ ବୋଲି ପୂର୍ବତନ ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି |
ଏହାକୁ ନେଇ ସିଦ୍ଧାର୍ଥ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଏହାର ପ୍ରତିକାର କରନ୍ତୁ ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବା ସହ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ସିଦ୍ଧାର୍ଥ ଦାବୀ କରିଛନ୍ତି |