ନାଗାର୍ଜୁନ ବେଶରେ ଭୂଷିତ ହେବେ ମହାପ୍ରଭୁ, ଦର୍ଶନ ପାଇବେ କି ଭକ୍ତ?

ଦୀର୍ଘ ୨୬ ବର୍ଷ ପରେ  ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ  ହେବେ ଶ୍ରୀଜିଉ।  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି  ।  ନଭେମ୍ବର ୨୭ ରେ ଶ୍ରୀଜୀଉଙ୍କର ଏହି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ପରମ୍ପରା ଓ ବିଧି ଅନୁସାରେ ପବିତ୍ର ବିଜୟ ଦଶମୀ ଅବସରରେ ମହାପ୍ରଭୁଙ୍କ ବେଶ ନିମନ୍ତେ  ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ କରାଯାଇଛି  । ପୁରୀ ହରଚଣ୍ଡୀ ସାହି ଚକ୍ରକୋଟ ଜାଗାରେ  ଅନୁକୂଳ କରିଛନ୍ତି କାରିଗର | ଏହିଠାରେ  ହିଁ  ବେଶର  ନିର୍ମାଣ କାର୍ଯ୍ୟ କରାଯିବ। ଏଥିପାଇଁ ଆବଶ୍ୟକ ସୋଲୋ, ବେତ ଓ ପଟ ଆଦି ରଖାଯାଇଥିବା ବେଳେ ଅନ୍ୟାନ୍ୟ ସାମଗ୍ରୀ ପରବର୍ତ୍ତୀ ସମୟରେ ଯୋଗାଡ଼ କରାଯିବ ।
 ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ କଟାରୀ, ଶ୍ରୀମୁଖରେ ଲମ୍ବା ଦାଢି ଭଳି ଅନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ |

ପରମ୍ପରା ଅନୁଯାୟୀ ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅ ଦିନ ପଡେ, ସେ ବର୍ଷ  ମଳ ତିଥିରେ ଠାକୁରମାନଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ । ଏହି ବେଶକୁ ପର୍ଶୁରାମ ବେଶ ମଧ୍ୟ କୁହାଯାଏ |  ଗତଥର  ଏହି ବେଶ ୧୬ ନଭେମ୍ବର ୧୯୯୪ ମସିହାରେ,  ଓ ତା ପୂର୍ବରୁ ୨୬ ନଭେମ୍ବର ୧୯୯୩, ୩ ନଭେମ୍ବର ୧୯୬୮, ୧୬ ନଭେମ୍ବର ୧୯୬୭ ଓ ୨୬ ନଭେମ୍ବର ୧୯୬୬ରେ ଅନୁଷ୍ଠିତ ହୋଇଥିଲା ।  ଚଳିତଥର  ନାଗାର୍ଜୁନ ବେଶ ୨୭ ନଭେମ୍ବର ୨୦୨୦, ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେବ ।

ଏହି ବେଶ ଯୋଦ୍ଧା ଓ ସନ୍ଯାସୀର ସମ୍ମିଶ୍ରଣ ବେଶ ଥିଲା। ଅର୍ଜୁନ ନିଜ ପୁତ୍ର ସଜସ୍ରାର୍ଜ୍ଜୁନଦ୍ୱାରା ପରାସ୍ତ ହେଇଥିଲେ । ସହସ୍ରାର୍ଜ୍ଜୁନ ହେଉଛନ୍ତି ସ୍ୱୟଂ ଶ୍ରୀକୃଷ୍ଣ। ମହାଭାରତ ଅନୁଯାୟୀ ଅର୍ଜୁନ ବନବାସ ସମୟରେ କିରାତ ବେଶଧାରୀ ଶିବଙ୍କର ଯୁଦ୍ଧ ହେଲା। ଅର୍ଜୁନ ପରାସ୍ତ ହେଲେ ମଧ୍ଯ ଶିବ ବହୁତ ଦିବ୍ଯ ଅସ୍ତ୍ର ପ୍ରଦାନ କଲେ । କିରାତାର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ ସେପରି ନାଗାର୍ଜୁନ କହିଲେ ବିଷ୍ଣୁଙ୍କର ଏକ ରୂପ । ଶିବ ଓ ବିଷ୍ଣୁଙ୍କର ସମନ୍ୱୟ ସାଧିତର ପ୍ରତୀକ ହେଲା ନାଗାର୍ଜୁନ ବେଶ।

ପୌରାଣିକ ତଥ୍ୟ ଅନୁଯାୟୀ, ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ଯରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ । ଏହି ବେଶ ଅତ୍ଯନ୍ତ ପୁରୁଣା ନହେଲେ ମଧ୍ଯ ପୁରୀର ସାହି ଯାତ୍ରାରେ ବାହାରୁ ଥିବା ନାଗା ସଂସ୍କୃତିର ଅନୁକରଣରେ କୈଣସି ଭକ୍ତଙ୍କ ଆଗ୍ରହରେ ଏହି ବେଶ ସୃଷ୍ଟି ହୋଇଥିବା ସମ୍ଭବ ।  ।

ନାଗା ସନ୍ଯାସୀମାନେ ନଙ୍ଗା ବା ଉଲଗ୍ନ , ଉଦଣ୍ଡତା ବା ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିଲେ। ଏହି ସ୍ମୃତିରେ ଜଗନ୍ନାଥଙ୍କୁ ନାଗାର୍ଜୁନ ବେଶ କରାଯାଏ । ଅତୀତରେ ନାଗା ସନ୍ଯାସୀ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଛା କରିଥିବାରୁ ଶ୍ରୀଜଗନ୍ନାଥ ଇଚ୍ଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିଲେ । ପଦ୍ମ ପୁରାଣର ଉତ୍ତରଖଣ୍ଡ ବର୍ଣ୍ଣନାଅନୁସାରେ କାର୍ତ୍ତିକ ମାସ ହିଁ ଭଗବତ ଆରାଧନା, ଉପାସନା ପ୍ରଭୃତି ଦୃଷ୍ଟିରୁ ସର୍ବ ଶ୍ରେଷ୍ଠ ଆଧ୍ଯାତ୍ମିକ ମାସ ରୂପରେ ପରିଗଣିତ ହୋଇଆସିଛି ।
ଏହି ବେଶ କାର୍ଯ୍ୟରେ ନିୟୋଜିତ କାରିଗରମାନେ କାର୍ତ୍ତିକ ମାସ ଯାକ ଗୋଟିଏ ବେଳା ହବିଷାନ୍ନ ଗ୍ରହଣ କରି ମହାପ୍ରଭୁଙ୍କ ଏହି ମହତ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ଯଦିଓ ଶ୍ରୀମନ୍ଦିରରେ ଏହି ଦୁର୍ଲ୍ଲଭ ବେଶର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ତେବେ ଅଗଣିତ ଭକ୍ତ ମହାପ୍ରଭୁଙ୍କୁ ନାଗାର୍ଜୁନ ବେଶରେ ଦେଖିପାରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କୋଭିଡ ୧୯ ମହାମାରୀ ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚ ୧୭ ତାରିଖରୁ ଶ୍ରୀମନ୍ଦିର ବନ୍ଦ ରହିଛି । ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି ଭକ୍ତ । ପବିତ୍ର ରଥଯାତ୍ରା ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା ।