“ରାମାୟଣର ପ୍ରତିନାୟକ ରାବଣ” ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୧୨/୩: କେନ୍ଦ୍ର ଏବଂ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ଡ. ସୂର୍ଯ୍ୟମଣି ଖୁଂଟିଆଙ୍କର ପୁସ୍ତକ “ରାମାୟଣର ପ୍ରତିନାୟକ ରାବଣ” ଶୁକ୍ରବାର ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସବିତା ଆଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।

କୋଭିଡ୍‌ ମହାମାରୀ ଯୋଗୁଁ ଏହି ପୁସ୍ତକର ଉନ୍ମୋଚନ କାର୍ଯ୍ୟ ବିଳମ୍ବିତ ହୋଇଥିଲେ ହେଁ ଶୁକ୍ରବାର ଅପରାହ୍ଣରେ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଦ୍ୱାରା ଏହି ପୁସ୍ତକଟି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି । କୁଳପତିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୂଆ ଦିଲ୍ଲୀସ୍ଥିତ ଜବାହାରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଦିକବି ସାରଳା ଦାସ ଚେୟାର ଅଫ୍‌ ଓଡ଼ିଆ ଷ୍ଟଡିଜ୍‌ର ପ୍ରଫେସର ଡ. ଉଦୟନାଥ ସାହୁ ଯୋଗ ଦେଇ ପୁସ୍ତକର ତାତ୍ପର୍ଯ୍ୟ ସମ୍ପର୍କରେ ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ଉକ୍ରଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍‌ ଡ. ଅଭୟ କୁମାର ନାୟକ, ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ, ପ୍ରଫେସର ମିତାଲି ଚିନାରା, ଡ. ଆର୍‌.ଏନ୍‌. ଦାସ, ନୋଏଡା ସ୍ଥିତ ଭି.ଭି.ଗିରି ଜାତୀୟ ଶ୍ରମପ୍ରତିଷ୍ଠାନର ସହଯୋଗୀ ପ୍ରଫେସର ଶ୍ରୀ ପ୍ରିୟଦର୍ଶନ ଅମିତାଭ ଖୁଂଟିଆ, ପୁସ୍ତକର ରଚୟିତା ଡ. ଖୁଂଟିଆଙ୍କର ପତ୍ନୀ ଶ୍ରୀମତି ପଦ୍ମାଳୟା ଖୁଂଟିଆ ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ । ଡ. ପରିଶେଷରେ ଡ. ଖୁଂଟିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।