ମହିଳା ଫୁଟବଲ୍ ଟୁର୍ଣ୍ଣାମେଂଟ, ଟିମ୍ ପଲିଟିସିଆନ୍ ଚାମ୍ପିଅନ୍

ନିକଟରେ ଅନ୍ତର୍ଜାତୀୟ ମହିଳା ଦିବସ ସାରା ବିଶ୍ୱରେ ପାଳିତ ହୋଇଥିଲା । ଏହି ଦିବସ ପରିପ୍ରେକ୍ଷୀରେ ମହିଳା ମାନଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହନ ଦେବା ନିମନ୍ତେ ପ୍ରୋସୋସିଓ ସ୍ପୋର୍ଟ୍ସ ଆଣ୍ଡ ଗେମ୍ସ ଫେଡେରେସନ୍ ଓ ଏଏଫ୍‌ଏର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ର ମହିଳା ଫୁଟବଲ୍ ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଯାଇଛି । ରାଜ୍ୟରେ କ୍ରୀଡା ଜଗତରେ ମହିଳାଙ୍କ ଭୂମିକା ଏବଂ ଅବଦାନକୁ ନେଇ ଏକ ମହିଳା ଫୁଟବଲ୍ ଟୁର୍ଣ୍ଣାମେଂଟ ଆୟୋଜିତ କରାଯାଇଥିଲା ।


ମାର୍ଚ୍ଚ ୧୪ ତାରିଖ ଅପରାହ୍ଣରେ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ବିଭିନ୍ନ ବର୍ଗର ମହିଳାଙ୍କୁ ନେଇ ୮ଟି ଟିମ୍ ଗଠିତ ହୋଇଥିଲା । ଏହି ଟିମ୍ ଗୁଡିକ ହେଉଛି ୱିମେନ୍ ଏନ୍‌ଟ୍ରୋପ୍ରେନିଅର୍ ଟିମ୍‌, ୱିମେନ୍ ପଲିଟିସିଆନ୍ ଟିମ୍‌, ସୋସିଆଲ୍ ୱାର୍କର ଟିମ୍‌, ମିଡିଆ ଟିମ୍‌, ଦେଶୀ ଗାର୍ଲ୍ସ, ଟ୍ରାନ୍ସଜେଣ୍ଡର୍ସ, ସୁପର ୱିମେନ୍ ଓ କର୍ପୋରେଟ୍ ୱିମେନ୍ । ପ୍ରତ୍ୟେକ ଟିମ୍ ତିନୋଟି ଲେଖାଏଁ ମ୍ୟାଚ୍ ଖେଳିଥିବା ବେଳେ ଫାଇନାଲ୍‌କୁ ଯାଇଥିଲେ ୱିମେନ୍ ପଲିଟିସିଆନ୍ ଏବଂ ଟ୍ରାନ୍ସଜେଣ୍ଡରସ ଟିମ୍ । ତେବେ ମ୍ୟାଚ୍ ଜିଣି ଚାମ୍ପିଅନ୍ ଟାଇଟଲ୍ ହାସଲ କରିଥିଲେ ୱିମେନ୍ ପଲିଟିସିଆନ୍ ଟିମ୍ । ଏହି ଟୁର୍ଣ୍ଣାମେଂଟ୍‌ର ଫିନାଲେ ମ୍ୟାଚ୍‌ରେ ରାଜନେତା ଦଳ କିନ୍ନର ଦଳକୁ ୩-୦ ଗୋଲ୍‌ରେ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲେ ।


ଉଦ୍‌ଘାଟନୀ କାର୍ଯ୍ୟକ୍ର୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗ ଦେଇ ଏହି ଟୁର୍ଣ୍ଣାମେଂଟକୁ ଉଦ୍‌ଘାଟନ କରିଥିଲେ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ ।


ଏହି କାର୍ଯ୍ୟକ୍ରମରେ ପ୍ରୋସୋସିଓ ସ୍ପୋର୍ଟ୍ସ ଆଣ୍ଡ ଗେମ୍ସ ଫେଡେରେସନ୍‌ର ନିର୍ଦ୍ଦେଶକ ସିନି ମହାନ୍ତିଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।