ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରାଥମିକ ଚିକିତ୍ସା କେନ୍ଦ୍ର

ଶ୍ରୀକ୍ଷେତ୍ରକୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବା  ଶ୍ରଦ୍ଧାଳୁ, ସେବାୟତ ଓ ମନ୍ଦିର କର୍ମକର୍ତ୍ତାମାନଙ୍କୁ  ତତ୍କାଳ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ଶ୍ରୀମନ୍ଦିର ନିକଟରେ ଏକ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା ଆରମ୍ଭ  କରାଯାଇଛି ।

ଭକ୍ତ, ସେବାୟତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲିବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗୋଟିଏ ଶୀତତାପ ନିୟନ୍ତ୍ରିତ କଣ୍ଟେନରରେ ପ୍ରତିଷ୍ଠା ହୋଇଥିବା ଏହି ଆଶୁ ଚିକିତ୍ସା କେନ୍ଦ୍ରରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସେବା ଯୋଗାଇ ଦିଆଯିବ । ଏଠାରେ ତାଲିମପ୍ରାପ୍ତ ମେଡ଼ିକାଲ କର୍ମଚାରୀଙ୍କ ସମେତ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ଚିକିତ୍ସା ସମ୍ବନ୍ଧୀୟ ଅନ୍ୟାନ୍ୟ ଉପକରଣ ମହଜୁଦ ରହିବ । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ।

ପ୍ରାଥମିକ ଚିକିତ୍ସା କେନ୍ଦ୍ରର ସୁପରିଚାଳନା ଲାଗି ଉଭୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଡାଲ ଅଫିସର ନିଯୁକ୍ତ ହେବେ । ଜରୁରୀ ପରିସ୍ଥିତିରେ ଗୁରୁତର ରୋଗୀଙ୍କୁ ଅଧିକ ଚିକିତ୍ସା ଯୋଗାଇ ଦେବା ଲାଗି ଅନ୍ୟ ଡାକ୍ତରଖାନାକୁ ନେବା ପାଇଁ ଏଠାରେ ସମସ୍ତ ସୁବିଧା ରହିବ ।

ଆସନ୍ତା ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଅବସରରେ ଏହା ଉଦଘାଟିତ ହେବ ।