ମହାପ୍ରଭୁଙ୍କ ନବଯୌବନ ଦର୍ଶନରେ ବିଭୋର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତିରେ ବିଭୋର ହୋଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରୀଷନ କୁମାର । ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବା ନିମନ୍ତେ ଯାଇଥିବା ବେଳେ ସେ ବେଶ ଭାବ ବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଡ଼ଃ କ୍ରିଷନ କୁମାର ଶୁକ୍ରବାର ଶ୍ରୀମନ୍ଦିରକୁ ଯାଇଥିବା ବେଳେ ଗୀତ ଗୋବିନ୍ଦ ଗାୟନ କରାଯାଇଥିଲା । ଅଧଘଣ୍ଟା ଧରି ଗୀତ ଗୋବିନ୍ଦ ଗାନ କରିଥିଲେ ସେବାୟତ । କିଛି ସମୟ ଲାଗି ଶ୍ରୀମନ୍ଦିର ପରିସର ପାଲଟି ଯାଇଥିଲା ଭକ୍ତିମୟ ପରିବେଶ । ସେବାୟତଙ୍କ ସହ ମୁଖ୍ୟ ପ୍ରଶାସକ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଗୀତ ଗୋବିନ୍ଦ ଗାନ କରିଥିବା ଦେଖିବାକୁ ମିଳିଥିଲା ।

ଶୁକ୍ରବାର ନବଯୌବନ ଦର୍ଶନ କରିବା ଲାଗି ଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରୀଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଲ ସିଂ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଏହି ଅବସରରେ ସାମିଲ ହୋଇଥିଲେ । ସମସ୍ତେ ନମ୍ରତାର ସହ ଆଣ୍ଠୁ ମାଡି ଯୋଡ଼ ହସ୍ତରେ ମହାପ୍ରଭୁଙ୍କୁ ପ୍ରଣାମ କରିଥିଲେ । ସମସ୍ତେ ଏକସାଙ୍ଗରେ ଗୀତ ଗୋବିନ୍ଦ ଗାନ କରିବାର ଅନୁଭୂତି ନିଆରା ଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ମୁଖ୍ୟ ପ୍ରଶାସକ ।

ସୂଚନାଯୋଗ୍ୟ ଯେ, ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଥିଲେ । ଅଣସର ଘରେ ଚାଲିଥିଲା ମହାପ୍ରଭୁଙ୍କ ଗୁପ୍ତ ସେବା । ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ସମ୍ପୂର୍ଣ୍ଣ ଆୟୁବୈଦ ଚିକିତ୍ସା କରାଯାଇଥିଲେ । ଧିରେ ସୁସ୍ଥ ହୋଇଥିଲେ ମହାପ୍ରଭୁ । ଶୁକ୍ରବାର ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ପଖାଳ ଖାଇ ଅରୁଚି ଭାଙ୍ଗିବା ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ମିଳିଥିଲା । ଆସନ୍ତା ୧୩ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ ଘୋଷଯାତ୍ରା ।