ସଂଗ୍ରାମ ଜେନାଙ୍କ ସ୍ମୃତିରେ

ସଂଗ୍ରାମର ସ୍ମୃତିରେ ଯେ କେବେ ଏଭଳି ଶ୍ରଦ୍ଧାଞ୍ଜଳିପୂର୍ଣ୍ଣ ଆଲେଖ୍ୟ ଲେଖିବାକୁ ପଡ଼ିବ ତାହା ମୁଁ କେବେ କଳ୍ପନା ବି କରିନଥିଲି । ଯେବେ ଶେଷଥର ଆମର ଦେଖା ହୋଇଥିଲା କେବେ ବି ଭାବି ନଥିଲି ଏହା ଆମର ଶେଷ ଦେଖାସାକ୍ଷାତ ବୋଲି । ସେ କୋଭିଡ ସଂକ୍ରମିତ ହୋଇ ହସ୍ପିଟାଲ୍‌ରେ ଥିବାର ଖବର ପାଇବା ପରେ ବ୍ୟସ୍ତ ହୋଇପଡ଼ିଥିଲି । ତଥାପି ଭାବିଥିଲି ସେ ଶୀଘ୍ର ସୁସ୍ଥ ହୋଇ ଫେରିଆସିବ । ତେବେ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱରରୁ ତାକୁ ହାଇଦ୍ରାବାଦ ଏୟାରଲିଫ୍ଟ ଘଟଣା ବ୍ୟତିବ୍ୟସ୍ତ କରିଥିଲା ମୋତେ ।


କେବଳ ମୁଁ ନୁହେଁ ମୋ ବାବାଙ୍କୁ ବି ବ୍ୟଥିତ କରିଥିଲା ସଂଗ୍ରାମ (ସଂଗୁ)ର ଅସୁସ୍ଥତା ଘଟଣା । କାରଣ ମୋ ବାବା ତଥା ପୂର୍ବତନ ମନ୍ତ୍ରୀ ଓ ଉପବାଚସ୍ପତି ଶ୍ରୀ ବିଭୁତି ଭୂଷଣ ସିଂହ ମର୍ଦରାଜ ଓ ସଂଗ୍ରାମଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ଓ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ଘନିଷ୍ଠ ବନ୍ଧୁ । ଉଭୟ କଂଗ୍ରେସ ନେତା ଭାବେ ନିଜ ମଧ୍ୟରେ ବେଶ ଘନିଷ୍ଠତା ରଖିଥିଲେ । ସେ ନିବିଡ଼ ସମ୍ପର୍କ ଏବେ ବି ବଜାୟ ରହିଛି ।


ଦୁଇ ପିତାଙ୍କର ଏହି ସମ୍ପର୍କକୁ ଆହୁରି ଆଗକୁ ନେଇଥିଲୁ ମୁଁ ଓ ସଂଗ୍ରାମ । କଲେଜ ଦିନର ବେଶ ଭଲ ବନ୍ଧୁ ଥିଲୁ ଆମେ । ବିଜେବି କଲେଜରେ ଏକାଠି ପଢ଼ିବା ସମୟରେ ଆମର ସମାନ ଅନର୍ସ (ପଲିଟିକାଲ୍ ସାଇନ୍ସ) ଥିଲା । ଆମର ବନ୍ଧୁତା କେବଳ ପାଠ ପଢ଼ାରେ ସୀମିତ ନ ଥିଲା, ଛାତ୍ର ରାଜନୀତି ମଧ୍ୟ ଆମେ ଏକାଠି ଆରମ୍ଭ କରିଥିଲୁ । +୩ ଶେଷ ବର୍ଷ ମୁଁ କଲେଜ ୟୁନିଅନ୍‌ର ସଭାପତି ଭାବେ ନିର୍ବାଚନରେ ଛିଡା ହୋଇଥିବା ବେଳେ ସଂଗ୍ରାମ ସାଧାରଣ ସମ୍ପାଦକ ଭାବେ ଛିଡା ହୋଇଥିଲା । ଦୁହେଁ ଦୁହିଁଙ୍କୁ ବେଶ ସମର୍ଥନ କରିଥିଲୁ ଏବଂ ଉଭୟ ଅନେକ ଭୋଟରେ ବିଜୟୀ ମଧ୍ୟ ହୋଇଥିଲୁ । ଛାତ୍ରସଂସଦର ନିର୍ବାଚିତ ପ୍ରତିନିଧି ଉଭୟ ଆହୁରି ଘନିଷ୍ଠ ହୋଇ ଉଠିଥିଲୁ ।


ସେହିବର୍ଷ କଲେଜର ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ଥିଲେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ବସନ୍ତ ବିଶ୍ୱାଳ । ସ୍ୱର୍ଗତ ବିଶ୍ୱାଳଙ୍କ ସହ ମୋ ବାବା ଓ ସଂଗ୍ରାମର ବାପାଙ୍କର ରାଜନୈତିକ ଘନିଷ୍ଠତା ଥିଲା । ଏହି ସମ୍ପର୍କ ଦୃଷ୍ଟିରୁ ଆମ ଦୁଇ ଛାତ୍ରନେତାଙ୍କୁ ଆଶୀର୍ବାଦ ଦେବା ସହ କଲେଜ ଫଙ୍କ୍‌ସନ୍‌କୁ ଆସିଥିଲେ ସ୍ୱର୍ଗତ ବିଶ୍ୱାଳ । ଏହିଠାରୁ ହିଁ ଆମ ଦୁଇ ବନ୍ଧୁଙ୍କ ରାଜନୈତିକ କ୍ୟାରିୟରର ମୂଳଦୁଆ ପଡ଼ିଥିଲା ।

ମୋ ବାବା ଓ ଜୟଦେବ ମଉସାଙ୍କର ସମ୍ପର୍କ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ସହ ଯେଉଁଭଳି ରହିଥିଲା ତାଙ୍କ ପରିବାର ସହ ମୋର ଏବଂ ସଂଗ୍ରାମର ମଧ୍ୟ ସେହିଭଳି ସମ୍ପର୍କ ରହିଥିଲା । ଏପରିକି ଆମ ରାଜନୈତିକ କ୍ୟାରିୟରକୁ ଆଗେଇ ନେବା ନିମନ୍ତେ ସ୍ୱର୍ଗତ ବିଶ୍ୱାଳଙ୍କ ପୁଅ ଶ୍ରୀ ରଞ୍ଜୀବ ବିଶ୍ୱାଳ ଅନେକ ମାର୍ଗଦର୍ଶନ କରିଛନ୍ତି । ୨୦୦୨ ମସିହାରେ ଶ୍ରୀ ଭାଗବତ ବେହେରାଙ୍କ ମୃତ୍ୟୁ ପରେ ନୟାଗଡ ବିଧାନସଭା ଆସନ ନିମନ୍ତେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନର ନିର୍ବାଚନ ପ୍ରଚାର ନିମନ୍ତେ ଆମ ଦୁଇ ସାଙ୍ଗଙ୍କୁ ଶ୍ରୀ ରଞ୍ଜୀବ ବିଶ୍ୱାଳ ଏକାଠି ନେଇକରି ଯାଇଥିଲେ । ସେତେବେଳେ କଂଗ୍ରେସ ପ୍ରାର୍ଥୀ ଥିଲେ ଶ୍ରୀ ସୀତାକାନ୍ତ ମିଶ୍ର । ଯୁବ କଂଗ୍ରେସର ସଭାପତି ଥିବା ଶ୍ରୀ ରଞ୍ଜୀବ ବିଶ୍ୱାଳ ଆମ ଦୁଇ ଯୁବନେତାଙ୍କୁ ଧରି ନିର୍ବାଚନ ପ୍ରଚାର କରିଥିଲେ । ସଂଗ୍ରାମ ଓ ମୋର ରାଜନୈତିକ ବନ୍ଧୁତା ଆହୁରି ଘନିଷ୍ଠ ହୋଇଉଠିଥିଲା ଏହି ସମୟରୁ ।


ମୁଁ ବିଧାୟକ ହେବା କିମ୍ବା ଅନ୍ୟ ଅନ୍ୟ ଦଳରେ ସାମିଲ ହେବା ସତ୍ୱେ ଆମ ବନ୍ଧୁତା କେବେ କମିନଥିଲା । ଦେଖା ହେଲେ ସବୁବେଳେ ଅକୁଣ୍ଠ ଚିତରେ ହସହସ ମୁହଁରେ କଥା ହେଉଥଲା ସଂଗ୍ରାମ । କିଛି ବର୍ଷ ତଳେ ମୋ ବାବା ଯେତେବେଳେ ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ ସେତେବେଳେ ସଂଗ୍ରାମଙ୍କ ମା ମଧ୍ୟ ହୃଦରୋଗ ଜନିତ ସମସ୍ୟା ନେଇ ସେଠି ଚିକିତ୍ସା କରାଉଥିଲେ । କିଛି ବର୍ଷ ତଳେ ତାଙ୍କ ମା’ଙ୍କ ମୃତ୍ୟୁ ତାଙ୍କ ପରିବାରକୁ ବ୍ୟଥିତ କରିଥିଲା । କୌଣସି ପରିସ୍ଥିତିରେ ସେ ମଉସାଙ୍କୁ ଏକାକୀ ଛାଡିବନି ବୋଲି ନିଷ୍ପତି ନେଇଥିଲା । ତେବେ ବର୍ତମାନ ସଂଗ୍ରାମ ଯିବା ପରେ ମଉସା, ସଂଗ୍ରାମର ପତ୍ନୀ ଓ ଦୁଇ ଛୋଟ ଝିଅ ଯେ କେଉଁଭଳି ମାନସିକ ପରିସ୍ଥିତି ଦେଇ ଗତି କରୁଛନ୍ତି ତାହା ଭାବିବା ବେଳକୁ ବେଶ କଷ୍ଟ ହେଉଛି ।

ଭଗବାନ ଏଭଳି ଦୁଃଖଦ ସମୟରେ ସଂଗ୍ରାମର ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ ଏହାହିଁ ପ୍ରାର୍ଥନା କରୁଛି ।