ଭୋଟର ତାଲିକାରେ ନାହିଁ ବରିଷ୍ଠ ବିଜେପି ନେତା ବିନୋଦ ଦାସଙ୍କ ନାଁ ଗୁରୁବାର ହାଇକୋର୍ଟରେ ପୁର୍ଣ୍ଣାଙ୍ଗ ଶୁଣାଣୀ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଶ୍ରୀ ବିନୋଦ ଦାସଙ୍କ ନାଁ ଭୋଟର ତାଲିକାରୁ ବାଦ ପଡ଼ିଛିି । ଏହି ପ୍ରସଙ୍ଗକୁ ନେଇ ଶ୍ରୀ ଦାସ ଦାୟର କରିଥିବା ଆବେଦନର ପୁର୍ଣ୍ଣାଙ୍ଗ ଶୁଣାଣୀ ଗୁରୁବାର ହେବା ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ଦାସ ଆବେଦନ କରିଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଇ ନଥିଲା, ଏହି ପ୍ରସଙ୍ଗକୁ ନେଇ ଶ୍ରୀ ଦାସ ଦାୟର କରିଥିବା ଆବେଦନର ଉଚ୍ଚ ନ୍ୟାୟାଳୟରେ ଶୁଣାଣୀ ହୋଇଥିବା ବେଳେ ରାଜ୍ୟ ସରକାର ଓ କଟକ ମହାନଗର ନିଗମ ପକ୍ଷ ରଖିଛି ।


ବିନୋଦ ଦାସ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ୩୧ ନମ୍ବର ୱାର୍ଡର ପ୍ରଫେସରପଡାର ବାସିନ୍ଦା । ଶ୍ରୀ ଦାସଙ୍କ ନାଁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରକାଶିତ ଭୋଟର ତାଲିକାରେ ସ୍ଥାନ ପାଇଥିଲା । ତାଙ୍କ ପରିବାରର ଅନ୍ୟ ଆଠ ଜଣ ସଦସ୍ୟଙ୍କ ନାଁ ମଧ୍ୟ ଶ୍ରୀ ଦାସଙ୍କ ନାଁ ସହ ଭୋଟର ତାଲିକାରେ ରହିଥିଲା । କିନ୍ତୁ ପୌରନିର୍ବାଚନ ପାଇଁ ପ୍ରକାଶିତ ଭୋଟର ତାଲିକାରେ ପରିବାରର ଅନ୍ୟ ସମସ୍ତଙ୍କ ନାଁ ଥିଲେ ମଧ୍ୟ ତାଙ୍କ ନାଁ କଟିଯାଇଥିଲା ।


ନୂଆ ଭୋଟର ତାଲିକା ପ୍ରକାଶ ପରେ ଶ୍ରୀ ଦାସ ତାହାକୁ ଯାଂଚ କରିଥିଲେ । ମାତ୍ର ତାଙ୍କ ନାଁ ତାଲିକାରେ ଅନ୍ତର୍ଭୁକ୍ତ ନଥିଲା । ଏହାପରେ ସେ ସିଏମସି ଯାଇ ନାଁ ଯୋଡ଼ିବାକୁ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଏ ନେଇ ସେ ସିଏମସି ଓ ଜିଲ୍ଲା ପ୍ରଶାସନର ନିର୍ବାଚନ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏହାପରେ ଶ୍ରୀ ଦାସ ଉଚ୍ଚ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।


ବରିଷ୍ଠ ବିଜେପି ନେତା ଶ୍ରୀ ଦାସଙ୍କ ନାଁ ସିଏମସି ମେୟର ପଦବୀ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଉଦ୍ଦେଶ୍ୟ ମୂଳକ ଭାବେ ଭୋଟର ତାଲିକାରୁ ତାଙ୍କ ନାମକୁ କାଟି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ନାଁ ଭୋଟର ତାଲିକାରୁ କାଟି ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।