ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ କିଭଳି ରହିଛି ବନ୍ୟାଞ୍ଚଳର ସ୍ଥିତି | ଏହାର ସମୀକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରିଥିବାବେଳେ ତାଙ୍କ ସହ କଳାହାଣ୍ଡି ବିଜେପି ସାଂସଦ ବସନ୍ତ ପଣ୍ଡା ଓ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ଉପସ୍ଥିତ ଥିଲେ | ଧର୍ମେନ୍ଦ୍ର ଆଜି କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି |

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ବନ୍ୟା ପ୍ରଭାବିତ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା, ଜୁନାଗଡ଼, ଏମ୍ ରାମପୁର, କର୍ଲାମୁଣ୍ଡା, ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ସୋନପୁର ଜିଲ୍ଲାର ତରଭା ବ୍ଲକ୍ ଓ ତରଭା ଏନଏସି, ବଲାଙ୍ଗୀର ଜିଲ୍ଲାର ପୁଇଁତଳା, ବଲାଙ୍ଗୀର ବ୍ଲକ, ବଲାଙ୍ଗୀର ଟାଉନ୍(ଗନଧ୍ରେଲ ଡ୍ୟାମ) ଓ ଦେଓଗାଁ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ସର୍ବେକ୍ଷଣ କରିଛନ୍ତି ।

ଏଠାରେ ସୂଚନା ଥାଉ କି ଲଘୁଚାପ ଜନିତ ବର୍ଷା ଯୋଗୁଁ ବଲାଙ୍ଗୀରରେ ବନ୍ୟା ସ୍ଥିତି ଉପୁଜିଥିଲା । ବର୍ତ୍ତମାନ ବଲାଙ୍ଗିରରେ ୫୬ଟି କ୍ୟାମ୍ପରେ ୧୯ ହଜାର ଲୋକଙ୍କୁ ରଖାଯାଇଛି, ସୁବର୍ଣ୍ଣପୁରରେ ୩,୯୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି ବୋଲି ଯୁଗ୍ମ ରିଲିଫ କମିଶନର ସୂଚନା ଦେଇଛନ୍ତି |