ଇଣ୍ଡିଆ ନୁହେଁ ଭାରତ: ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ

ଭାରତର ଦୁଇଟି ନାମ, ଇଣ୍ଡିଆ ଓ ଭାରତ| ତେବେ ବିଶ୍ୱର କୌଣସି ଦେଶର ଦୁଇଟି ନାମ ରହିବାର ପ୍ରାୟତଃ ନଜିର ନାହିଁ ତେଣୁ ଦୁଇଟି ନାମ ବଦଳରେ କେବଳ ଭାରତ ହିଁ ରଖାଯାଉ| ଏ ଦିଗରେ ସମ୍ବିଧାନରେ ସଂଶୋଧନ କରିବା ନେଇ ପ୍ରଚେଷ୍ଟା କରାଯିବ ଉଚିତ ବୋଲି କହିଛନ୍ତି ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ|ଏଥିସହିତ ସମସ୍ତ ଦେଶବାସୀ ନିଜର ମାତୃଭାଷା କିମ୍ବା ରାଷ୍ଟ୍ର ଭାଷା ହିନ୍ଦୀ ରେ କଥା ହୁଅନ୍ତୁ ବୋଲି ସ୍ୱାମୀଜୀ ଅନୁରୋଧ କରିଥିଲେ ।

ସଭ୍ୟତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ଶିକ୍ଷିତ ହେବା ଆବଶ୍ୟକ । ବିନା ଶିକ୍ଷା ରେ ସଭ୍ୟତା ହାସଲ କରିହେବ ନାହିଁ ଏବଂ ବିନା ଶିକ୍ଷା ରେ ଜ୍ଞାନଯୋଗୀ , କର୍ମଯୋଗୀ ଓ ଅଷ୍ଟାଙ୍ଗଯୋଗୀ ହେବା ସମ୍ଭବ ନୁହେଁ ବୋଲି ମତ ବ୍ୟକ୍ତ କରିଛନ୍ତି ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିକ ବକ୍ତୃତାମାଳା ପ୍ରଦାନ ନିମନ୍ତେ ଆସିଥିବା ବିଶିଷ୍ଟ ଧର୍ମଗୁରୁ ଶିକ୍ଷାବିତ୍‌,କବି,ସାହିତ୍ୟିକ,ସଂଳାପ ଲେଖକ ଓ ଗାୟକ ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ନିଜର ଅଭିଭାଷଣ ଦେବା ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ଶିକ୍ଷା ଓ ଅନୁସନ୍ଧାନ ନାମ ର ମହତ୍ୱ ବୁଝାଇଥିଲେ । ଛାତ୍ରଛାତ୍ରୀମାନେ ଶିକ୍ଷିତ ଏବଂ କର୍ମଯୋଗ ରେ ଦୀକ୍ଷିତ ହେଲେ ହିଁ ବିଦ୍ୟା ର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ଜଗଦ୍‌ଗୁରୁ କହିଥିଲେ । ତେବେ ଛାତ୍ରଛାତ୍ରୀମାନେ ନିଜ କର୍ମ କୁ ହିଁ ପୂଜା କରିବା ଉଚିତ୍ । ସେମାନେ ଏଭଳି କାମ କରିବା ଉଚିତ୍ ଯାହାଦ୍ୱାରା କି ଭଗବାନ ପ୍ରସନ୍ନ ହେବେ ଏବଂ ତୁମ କାର୍ଯ୍ୟ ର ସମ୍ମାନ କରିବେ । ଭଗବାନଙ୍କ ର ଅର୍ଚ୍ଚନା ନିଜର କର୍ମ ମାଧ୍ୟମରେ କର,ଏବଂ ନିଜ କର୍ମ ର ଫଳ ତାଙ୍କ ଉପରେ ଛାଡି ଦିଅ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ । ନିଷ୍ଠାର ସହ କାର୍ଯ୍ୟ କଲେ ହିଁ ସଫଳତା ମିଳିପାରିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାମୀଜୀ କହିଥିଲେ ।

ଚିତ୍ରକୁଟ ରେ ଅବସ୍ଥାପିତ ଚାରିଜଣ ଜଗଦ୍‌ଗୁରୁ ଙ୍କ ମଧ୍ୟରୁ ଅନ୍ୟତମ ସ୍ୱାମୀ ରାମାନନ୍ଦାଚାର୍ଯ୍ୟ ଙ୍କୁ ୧୯୮୮ ମସିହାରେ ଏହି ପଦବୀରେ ଅଧିଷ୍ଠିତ କରାଯାଇଥିଲା ।

ଶିକ୍ଷା ସହ ଭାରତର ବହୁ ପୁରାତନ । ଜ୍ଞାନ ର ସନ୍ଧାନ ର ପ୍ରଚେଷ୍ଟା କରିବା ର ନାମ ହିଁ ଭାରତ ବୋଲି କହିବା ସହ ଭାରତ ର ସିଦ୍ଧାନ୍ତ ରାଷ୍ଟ୍ରବାଦୀ ନୁହେଁ ବିକାଶବାଦୀ ବୋଲି ସ୍ୱାମୀଜୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ମନ୍ତ୍ର ‘ ସବ୍‌କା ସାଥ, ସବ୍‌କା ବିଶ୍ୱାସ , ସବ୍‌କା ପ୍ରୟାସ ଏବଂ ସବ୍‌କା ବିକାଶ’ କୁ ପାଥେୟ କଲେ ହିଁ ଆମ ଦେଶ ଆଗକୁ ବଢିପାରିବ । ତେଣୁ ଆମ ଯୁବପିଢି ଏକଜୁଟ୍ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଗେଇ ଚାଲନ୍ତୁ ବୋଲି ସେ କହିଥିଲେ । ତେବେ ଆତ୍ମନିର୍ଭର ଭାରତ ର ସ୍ୱପ୍ନକୁ ସାକାର କରିବାକୁ ଯୁବପିଢି ଙ୍କୁ ଶିକ୍ଷିତ ହେବା ଦିଗରେ ସ୍ୱାମୀଜୀ ପରାମର୍ଶ ଦେଇଥିଲେ ।

ଜନ୍ମ ହେବାର ମାତ୍ର ଦୁଇ ମାସ ପରେ ତାଙ୍କର ଆଖି ନଷ୍ଟ ହୋଇଯାଇଥିବା ବେଳେ ସ୍ୱାମୀଜୀ ପାଠପଢି ବିଶ୍ୱବିଦ୍ୟାଳୟରେ ଟପର୍ ହୋଇଥିଲେ, ୯ଟି ଗୋଲ୍ଟ ମେଡାଲ୍ ହାସଲ କରିଥିଲେ, ପିଏଚ୍‌ଡି ଏବଂ ଡିଲିଟ୍ ଡିଗ୍ରୀ ହାସଲ କରିଥିଲେ । ୨୨ଟି ଭାଷା ସେ କଥା କହିପାରନ୍ତି ଏବଂ ବିଶ୍ୱର ପ୍ରଥମ ଦିବ୍ୟାଙ୍ଗ ଙ୍କ ଲାଗି ବିଶ୍ୱବିଦ୍ୟାଳୟ ସେ ପ୍ରତିଷ୍ଠା କରିଛନ୍ତି । ଏସବୁ କେବଳ ନିଜର ଉଦ୍ୟମ ଯୋଗୁଁ ସମ୍ଭବ ବୋଲି ସେ କହିଥିଲେ ।

ସୋଆ ବିଶ୍ୱବିଦ୍ୟାଳୟ ର ଏବଂ ଏହାର ଛାତ୍ରଛାତ୍ରୀ ମାନଙ୍କୁ ତିନୋଟି ଉପଦେଶ ଦେଇ ସ୍ୱାମିଜୀ ସୋଆରେ ହିନ୍ଦୀ ଶିକ୍ଷାର ପ୍ରଚଳନ ହେଉ , ନିଷ୍ଠାର ସହ କାର୍ଯ୍ୟ ହେଉ ଏବଂ କାର୍ଯ୍ୟର ଆନନ୍ଦ ଭଗବାନ ରାମଙ୍କୁ ସମର୍ପିତ କରାଯାଉ ବୋଲି କହିଥିଲେ ।ଏପରି କଲେ ସୋଆ ଆର୍ନ୍ତଜାତିକ ସ୍ତରରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଲାଭ କରିପାରିବା ବୋଲି ସେ କହିଥିଲେ ।

ଓଡିଆ ରୁ ନିଜର ବକ୍ତବ୍ୟ ଆରମ୍ଭ କରିଥିବା ସ୍ୱାମିଜୀ ଜଗନ୍ନାଥଙ୍କ ଜଣାଣ ‘ଆହେ ନୀଳ ଶୈଳ’ ଗାନ କରି ବକ୍ତବ୍ୟ ଶେଷ କରିଥିଲେ ।

ସୋଆ ର କ୍ୟାମ୍ପସ୍‌-୪ ପରିସରରେ ସେ ବୃକ୍ଷରୋପଣ ମଧ୍ୟ କରିଥିଲେ ।

ଆୟୋଜିତ ବକ୍ତୃତାମାଳାରେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଉପସ୍ଥିତ ରହିଥିବାବେଳେ ସ୍ୱାମୀଜୀ ଙ୍କର ନିଷ୍ଠା ଓ ଆତ୍ମବିଶ୍ୱାସ ଏବଂ ଉପଲବ୍ଧି ବିଷୟରେ କହିଥିଲେ । ସ୍ୱାମୀଜୀ ଙ୍କର ନୀତି ଆଦର୍ଶ କୁ ଛାତ୍ରଛାତ୍ରୀ ମାନେ ଅନୁକରଣ କରନ୍ତୁ ବୋଲି ଶ୍ରୀମତି ଦାସ କହିଥିଲେ ।

କାର୍ଯ୍ୟକ୍ରମ ରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ପ୍ରଫେସର ବସନ୍ତ କୁମାର ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରସାହିତ୍ୟ ଏକାଡେମୀ ର ମୁଖ୍ୟ ସଚିବ ଡକ୍ଟର କେ. ଏସ୍ ରାଓ ବକ୍ତବ୍ୟ ଦେଇଥିଲେ ।ସୋଆ ଆଇଏଏସ୍ ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୋଆ ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ନିଦ୍ଦେର୍ଶକ ଡକ୍ଟର ମହେନ୍ଦ୍ର ପ୍ରସାଦ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ,ପ୍ରାଚୀନ୍ ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଏବଂ ଏଚ୍‌ଆର୍ ଅଫିସର ଶ୍ରୀ ସିଧ୍ୟବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।