ଉପନିର୍ବାଚନ, ଧାମନଗର ଓ ବିଜୟ :

ଧାମନଗରରେ ବିଜେଡିର ହାର ଓ ବିଜେପି ର ଜିତ ପରେ ଏବେ ଜୋର ଧରିଛି ଅନେକ ସମୀକ୍ଷା ଅନେକ ଚର୍ଚ୍ଚା ଓ ଅନେକ ତର୍କ ବିତର୍କ…

ଧାମନଗରରେ ଫୁଟିଛି ପଦ୍ମ । ବିଜେପିର ଏହି ବିଜୟକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡି ପାଇଁ ଏହି ପରାଜୟ ଆତ୍ମସମୀକ୍ଷା ସମୟ ସହ ଆହ୍ବାନ ବି ପାଲଟିଛି ।

ବରଗଡ ବିଜେପୁରରୁ ଆରମ୍ଭ ହୋଇଥିବା ବିଜେଡିର ବିଜୟଯାତ୍ରାରେ ଲାଗିଛି ବ୍ରେକ କାରଣ ୨୦୦୦ ମସିହାରୁ ବର୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୫ ଟି ଉପନିର୍ବାଚନ ହୋଇଥିବା ବେଳେ ଶାସକ ବିଜେଡି ମାତ୍ର ୩ ଟି ଉପନିର୍ବାଚନରେ ପରାଜିତ ହୋଇଛି । ତେବେ ଚଳିତ ଧାମନଗର ଉପନିର୍ବାଚନରେ ବିଜେଡି ଯେଭଳି ନକାରାତ୍ମକ ପରିସ୍ଥିତିର ସମ୍ମୁଖୀନ ହେଲା ଗତ ୧୪ ଟି ଉପନିର୍ବାଚନରେ ସେଭଳି ସଙ୍କଟ କେବେ ସୃଷ୍ଟି ହୋଇନଥିଲା ।

୨୦୦୦ ମସିହାରେ ବିଧାନସଭା ନିର୍ବାଚନରେ ବିଜେଡି ବିଜୟ ମହାପାତ୍ରଙ୍କ ଟିକେଟ କାଟିବା ପରେ ସେ ଯେଉଁଭଳି ବିଦ୍ରୋହ କରି ସ୍ୱାଧୀନ ଭାବେ ଛିଡା ହୋଇଥିଲେ ଠିକ ସେହିଭଳି ଦଳୀୟ ନିଷ୍ପତିକୁ ବିରୋଧ କରି ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ଧାମନଗର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହେଲେ | ଦଳର ନିଷ୍ପତ୍ତି ବିରୋଧରେ ଦଳର କୌଣସି ଏକ ଗୋଷ୍ଠୀ ବିଦ୍ରୋହ କଲେ । ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି କୌଣସି ନେତା ବିଦ୍ରୋହୀ ପ୍ରାର୍ଥୀ ହେଲେ । ବିଜେଡି ପ୍ରଚାର ମୈଦାନରେ ଲୋକଙ୍କ ଦ୍ବାରା ଅପଦସ୍ଥ ହେଲା । ବିଜେଡିର ସବୁ ରଣନୀତି ଫେଲ ମାରିଲା ।

ଆସନ୍ତୁ ନଜର ପକାଇବା ଗତ ୨୨ ବର୍ଷ ମଧ୍ୟରେ ଓଡ଼ିଶାରେ କେତୋଟି ଉପନିର୍ବାଚନ ହୋଇଛି ?

ଗତ ୨୦୦୦ ମସିହାରୁ ଆଜି ସୁଦ୍ଧା ରାଜ୍ୟରେ ହୋଇଥିବା ୧୫ ଟି ଉପନିର୍ବାଚନରେ ସର୍ବାଧିକ ୧୧ ଟି ଶାସକ ବିଜେଡି ବିଜୟୀ ହୋଇଥିବା ବେଳେ, ବିଜେପି ଓ କଂଗ୍ରେସ ୨ ଟି ଲେଖାଏଁ ବିଜୟୀ ହୋଇଛନ୍ତି ।

୨୦୦୦- ୨୦୦୪ …….

ବିଜୁ ଜନତା ଦଳ ଗଠନର ୩ ବର୍ଷ ପରେ ଦଳ କ୍ଷମତାକୁ ଆସିଥିଲା । ବିଜେଡିର ମୁଖ୍ୟ ଭାବେ ନବୀନ ପଟ୍ଟନାୟକ ୫ ମାର୍ଚ୍ଚ ୨୦୦୦ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

୨୦୦୦- ୨୦୦୪ ଦ୍ବାଦଶ ବିଧାନସଭା ଅବଧିରେ ରାଜ୍ୟରେ ୪ଟି ଉପନିର୍ବାଚନ ହୋଇଥିଲା । ପ୍ରଥମ ଉପନିର୍ବାଚନ ହୋଇଥିଲା ପଶ୍ଚିମ ଓଡିଶାର ସମ୍ବଲପୁର ଜିଲ୍ଲା ରେଢାଖୋଲ ବିଧାନସଭା ଆସନରେ । ରେଢାଖୋଲ ବିଜେଡି ବିଧାୟକ ଦୁର୍ଯୋଧନ ସୋହେଲାଙ୍କ ଦେହାନ୍ତ ପରେ ଉପନିର୍ବାଚନ ହୋଇଥିଲା । ବିଜେଡି ଗଠନ ପରେ ହୋଇଥିବା ପ୍ରଥମ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସନାତନ ବିଶି ବିଜୟୀ ହୋଇଥିଲେ ।

ସେହିପରି ଦ୍ବିତୀୟ ଉପନିର୍ବାଚନ ମଧ୍ୟ ସେହି ପଶ୍ଚିମ ଓଡିଶାରେ ହୋଇଥିଲା । ଏକ ସଡକ ଦୁର୍ଘଟଣାରେ ସୋନପୁର ଜିଲ୍ଲା ବୀରମହାରାଜପୁରର ତତ୍କାଳୀନ ବିଧାୟକ ବୈଷ୍ଣବ ପ୍ରଧାନଙ୍କ ଦେହାନ୍ତ ହୋଇଥିଲା ।ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସଞ୍ଜୀବ ସାହୁ ବିଜୟୀ ହୋଇଥିଲେ ।

ନୟାଗଡ଼ ଜିଲ୍ଲାରେ ତୃତୀୟ ଉପନିର୍ବାଚନ ହୋଇଥିଲା । ନୟାଗଡ ବିଜେଡି ବିଧାୟକ ଥିବା ଭାଗବତ ବେହେରାଙ୍କ ଦେହାନ୍ତ ପରେ, ତାଙ୍କ ପତ୍ନୀ ମନ୍ଦାକିନୀ ବେହେରାଙ୍କୁ ଟିକେଟ ଦେଇଥିଲା ଦଳ । ସେ ବିଜୟୀ ମଧ୍ୟ ହୋଇଥିଲେ ।

ଚତୁର୍ଥ ଉପନିର୍ବାଚନ ହୋଇଥିଲା ଭଦ୍ରକ ଜିଲ୍ଲାରେ । ଭଦ୍ରକ କଂଗ୍ରେସ ବିଧାୟକ ଥିବା ବୀରେନ ପଲେଇଙ୍କ ଦେହାନ୍ତ ପରେ ବିଜେଡି ଏହି ଆସନକୁ ଦଖଲ କରିଥିଲା । ଦଳୀୟ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ବିଜୟୀ ହୋଇଥିଲେ ।

୨୦୦୪ – ୨୦୦୯ …..

ତ୍ରୟୋଦଶ ବିଧାନସଭା ୨୦୦୪ ରୁ ୨୦୦୯ ମଧ୍ୟରେ ରାଜ୍ୟରେ ୩ ଟି ଉପନିର୍ବାଚନ ହୋଇଥିଲା ।ସେତେବେଳେ ବିଜେଡି- ବିଜେପି ମେଣ୍ଟ ସରକାର ଥିଲା । ସୁନ୍ଦରଗଡ ବିଧାୟକ ସୁଦର୍ଶନ ନାଏକଙ୍କ ଦେହାନ୍ତ ପରେ ମେଣ୍ଟ ସରକାରରେ ଏହି ଆସନଟି ବିଜେପି ଭାଗରେ ଥିଲା | ସେହି ଆଧାରରେ ବିଜେପି ଦଳୀୟ ପ୍ରାର୍ଥୀ ଦେଇଥିଲା । ବିଜେପି ପ୍ରାର୍ଥୀନି ସୁଷମା ପଟେଲ ବିଜୟୀ ହୋଇଥିଲେ ।

ସେହିପରି ଏହି ଅବଧିରେ ସୁନ୍ଦରଗଡ ଜିଲ୍ଲାର ତଳସରା କଂଗ୍ରେସ ବିଧାୟକ ଗଦାଧର ମାଝୀଙ୍କ ଦେହାନ୍ତ ହୋଇଥିଲା । କ୍ଷମତାରେ ନଥାଇ ମଧ୍ୟ କଂଗ୍ରେସ ଏହି ଆସନକୁ ବଜାୟ ରଖିବାରେ ସଫଳ ହୋଇଥିଲା । କଂଗ୍ରେସ ପ୍ରାର୍ଥୀ ଡାକ୍ତର ପ୍ରଫୁଲ୍ଲ ମାଝୀ ଉପନିର୍ବାଚନରେ ବିଜୟୀ ହୋଇଥିଲେ । ସେହିଭଳି ଲକ୍ଷ୍ମୀପୁର କଂଗ୍ରେସ ବିଧାୟକ ଅର୍ନ୍ତଯାମୀ ମାଝୀଙ୍କ ମୃତ୍ୟୁ ପରେ କଂଗ୍ରେସର ପୂର୍ଣ୍ଣଚନ୍ଦ୍ର ମାଝୀ ବିଜୟୀ ହୋଇଥିଲେ । ଦ୍ବିତୀୟ ଥର ପାଇଁ ୨ ଟି ଉପନିର୍ବାଚନରେ କଂଗ୍ରେସ ବିଜେଡି ବିଜେପିକୁ ଟକ୍କର ଦେଇ ନିଜ ଆସନ ବଜାୟ ରଖିଥିଲା ।

୨୦୦୯ – ୨୦୧୪ ………

୨୦୦୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ବଦଳି ଗଲା ରାଜନୈତିକ ସମୀକରଣ । ଭାଙ୍ଗିଗଲା ବିଜେଡି- ବିଜେପି ମେଣ୍ଟ । ପରସ୍ପର ବିରୋଧରେ ମୈଦାନରେ ଲଢିଲେ ବିଜେଡି- ବିଜେପି । ଚତୁର୍ଦ୍ଦଶ ବିଧାନସଭାରେ ଗୋଟିଏ ଉପନିର୍ବାଚନ ହୋଇଥିଲା । ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେଡି ବିଧାୟକ ଜଗବନ୍ଧୁ ମାଝୀଙ୍କୁ ହତ୍ୟା ପରେ ଏଠି ଉପନିର୍ବାଚନ ହୋଇଥିଲା । ବିଜେଡି ସୁବାସ ଗଣ୍ଡଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଧର୍ମୁ ଗଣ୍ଡଙ୍କୁ ଟିକେଟ ଦେଇଥିଲା । ହେଲେ ବିଜେଡି ନିଜ ଆସନ ବଜାୟ ରଖିଥିଲା ।

୨୦୧୪-୨୦୧୯ ……….
ପଞ୍ଚଦଶ ବିଧାନସଭା ଅବଧି ୨୦୧୪-୨୦୧୯ ରେ ରାଜ୍ୟରେ କେବଳ ଗୋଟିଏ ଉପନିର୍ବାଚନ ହୋଇଥିଲା । ୨୦୧୮ ରେ ବରଗଡ ବିଜେପୁର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନକୁ ନେଇ ଉଭୟ ବିଜେଡି ବିଜେପି ମଧ୍ୟରେ ଯୋରଦାର ଟକ୍କର ହୋଇଥିଲା । ହେଲେ ଶାସକ ବିଜେଡି ଏହି ଆସନକୁ କଂଗ୍ରେସ ପାଖରୁ ଛଡାଇ ଆଣିଥିଲା । ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା | ସେ ମଧ୍ୟ ବହୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ |

ଚଳିତ ଅବଧିରେ ପ୍ରଥମ ଉପନିର୍ବାଚନ ହୋଇଥିଲା ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆସନରେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପୁର ଓ ହିଞ୍ଜିଳିକାଟୁର ପ୍ରତିଦ୍ବନ୍ଦିତା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଆସନରୁ ବିଜୟୀ ହେବା ପରେ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ଫଳରେ ଏଠି ଉପନିର୍ବାଚନ ହୋଇଥିଲା । ବିଜେଡି ରୀତା ସାହୁଙ୍କୁ ଟିକେଟ ଦେଇ ଥିଲା । ସେ ବିଜୟୀ ମଧ୍ୟ ହୋଇଥିଲେ ।

ଦ୍ବିତୀୟ ଉପନିର୍ବାଚନ ହୋଇଥିଲା ବାଲେଶ୍ବର ସଦର ଆସନରେ । ତୃତୀୟ ଉପନିର୍ବାଚନ ହୋଇଥିଲା ଜଗତସିଂପୁର ତିର୍ତ୍ତୋଲ ବିଧାନସଭା ଆସନରେ । ବାଲେଶ୍ବର ସଦର ଆସନରୁ ବିଜେପି ବିଧାୟକ ମୋଦନ ମୋହନ ଦତ୍ତ ଓ ତିର୍ତୋଲ ଆସନରୁ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ହୋଇଥିଲା । ବାଲେଶ୍ବର ସଦର ଆସନରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ, ତିର୍ତୋଲରେ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ବିଜୟୀ ହୋଇଥିଲେ । ଉଭୟ ଆସନକୁ ବିଜେଡି ଦଖଲ କରିଥିଲା ।

ପୁରୀ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ଶାସକ ବିଜେଡି ମହାରଥୀଙ୍କ ପୁଅଙ୍କୁ ଟିକେଟ ଦେଇ ବିଜୟୀ ହୋଇଥିଲା ।

ସେହିପରି ଝାରସୁଗୁଡା ବ୍ରଜରାଜ ନଗର ବିଧାୟକ ଥିବା କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଦଳ ଟିକେଟ ଦେଇ ଆସନ ବଜାୟ ରଖିଛି । ହେଲେ ଭଦ୍ରକ ଧାମନଗର ଉପନିର୍ବାଚନରେ ବିଜେଡିକୁ ଲାଗିଛି ଜୋରଦାର ଝଟକା । ଦଳର ବିଜୟ ଧାରାରେ ଲାଗିଛି ବ୍ରେକ । ୨୦୦୯ ପର ଠାରୁ ଅପରାଜୟେ ଥିବା ଶାସକ ଦଳ ଚାଖିଛି ପରାଜୟ |