ସୋଆରେ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ ସଚେତନତା ଅଭିଯାନ

ଭୁବନେଶ୍ୱର, ୧୯/୯: ଯୁବପିଢ଼ିଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଇବା ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୋଲିସ । ଏହି ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ର ଛାତ୍ରଛାତ୍ରୀମାନଙ୍କୁ ଗୁରୁବାର ଦିନ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରାଇଛି କମିଶନରେଟ ପୋଲିସ୍ର ଭୁବନେଶ୍ୱର ଟ୍ରାଫିକ୍ ।
ସୋଆର କ୍ୟାମ୍ପସ ୨ ପରିସରରେ ଆୟୋଜିତ ପଥପ୍ରାନ୍ତ ନାଟକ ମାଧ୍ୟମରେ ଟ୍ରାଫିକ ନିୟମ ଉଲଂଘନ ଦ୍ୱାରା କିଭଳି ଧନଜୀବନ ନଷ୍ଟ ହେଉଛି ସେ ନେଇ ମଧ୍ୟ ସଚେତନ କରାଯାଇଛି ।

ସୋଆରେ ଆୟୋଜିତ ହୋଇଥିବା ଏହି ସଚେତନତା ଅଭିଯାନରେ ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସ (ଟ୍ରାଫିକ) ସାଗରିକା ନାଥ, ଏସିପି ଟ୍ରାଫିକ ଶ୍ରୀ କିଶୋର ପାଣିଗ୍ରାହୀ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଡିସିପି ନାଥ କହିଥିଲେ ଯେ ୨୦୧୮ରେ ସଡ଼କ ଦୁର୍ଘଟଣାରେ ଭାରତରେ ୧ ଲକ୍ଷ ୩୦ ହଜାର ଲୋକଙ୍କର ମୃତୁ୍ୟ ହୋଇଛି । ଏମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ମୃତ ବ୍ୟକ୍ତିଙ୍କ ବୟସ ୧୫ ରୁ ୪୫ ବର୍ଷ ମଧ୍ୟରେ ରହିଥିଲା । ଅର୍ଥାତ୍ ଅଧିକାଂଶ ଯୁବପିଢ଼ିଙ୍କର ମୃତୁ୍ୟ ହୋଇଛି । ସେପ୍ଟେମ୍ବର ୧ ତାରିଖରୁ ମୋଟର ଭେଇକିଲ୍ ଆକ୍ଟ ସଂଶୋଧନ ପ୍ରଣୟନ ହୋଇଥିବା ଦର୍ଶାଇ ଟ୍ରାଫିକ ନିୟମକୁ ମାନି ଚଳିବା ପାଇଁ ଆମେ ସମସ୍ତେ ଶପଥ ନେବା ଉଚିତ୍ ବୋଲି ସେ କହିଥିଲେ ।

ସବୁ ପ୍ରକାର ଗାଡିର ଚାଳକ ମାନେ ସେମାନଙ୍କର ଆବଶ୍ୟକୀୟ କାଗଜପତ୍ର ତିନି ମାସ ମଧ୍ୟରେ ଠିକଣା କରିବା ଆବଶ୍ୟକ ବୋଲି ମତ ଦେଇ ସେ କହିଥିଲେ ଯେ ମଦ ପିଇ ଗାଡି ଚଲାଇଲେ, ଗାଡି ଚଲାଇବା ବେଳେ ମୋବାଇଲ୍ ବ୍ୟବହାର କଲେ, ଦୁଇଚକିଆ ଯାନ ଚଲାଇବା ବେଳେ ହେଲମେଟ ନ ପିନ୍ଧିଲେ, ଦୁଇ ଚକିଆ ଯାନରେ ତିନି ଜଣଙ୍କୁ ବସାଇଲେ ଏବଂ ସିଟ୍ବେଲ୍ଟ ନ ପିନ୍ଧିଲେ ବର୍ତମାନ ପୋଲିସ ଜରିମାନା ଆଦାୟ କରୁଛି ।

ଏହି ଟ୍ରାଫିକ ସଚେତନତା ସମ୍ପର୍କିତ ପଥପ୍ରାନ୍ତ ନାଟକ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ନିୟମ ଗୁଡ଼ିକୁ ପାଳନ କରିବା ସହ ଜନସାଧାରଣ ଏବଂ ବିଶେଷ ଭାବରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ଦିଗରେ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ କ୍ୟାମ୍ପସରେ କମିଶନରେଟ୍ ପୋଲିସ ପଥପ୍ରାନ୍ତ ନାଟକ ଆୟୋଜନ କରାଉଛି ।