ଖଣ୍ଡପଡା ର ପୂର୍ବତନ ରାଜାସାହେବ ହରିହର ସିଂହ ମର୍ଦ୍ଦରାଜଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ

ଖଣ୍ଡପଡା ଗଡଜାତ ର ରାଜାସାହେବ, ପୂର୍ବତନ ମନ୍ତ୍ରୀ ତଥା ଖଣ୍ଡପଡା ର ପୂର୍ବତନ ବିଧାୟକ ସ୍ବର୍ଗତ ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି | ଖଣ୍ଡପଡା ରାଜବାଟୀ ପରିସରରେ ସ୍ବର୍ଗତ ରାଜସାହେବଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି|

ଏହି ଉନ୍ମୋଚନ ଉତ୍ସବ ରେ ସ୍ଵର୍ଗତ ହରିହର ସିଂହ ମର୍ଦ୍ଦରାଜଙ୍କ ପୁତ୍ର ଖଣ୍ଡପଡାର ରାଜାସାହେବ, ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଶ୍ରୀ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ ଓ ପୌତ୍ର ତଥା ଖଣ୍ଡପଡାର ଯୁବରାଜ ଏବଂ ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ ଉପସ୍ଥିତ ରହି ଉନ୍ମୋଚନ ପୂଜା ଓ ହୋମ କାର୍ଯ୍ୟ ସମ୍ପାଦନା କରିଥିଲେ| ସିଦ୍ଧାର୍ଥଙ୍କ ପୁଅ ଜୟବର୍ଦ୍ଧନ ସିଂହ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା| ଖଣ୍ଡପଡା ରାଜପରିବାର ସମେତ ଖଣ୍ଡପଡା ଜନସାଧାରଣ ସ୍ବର୍ଗତ ରାଜାସାହେବଙ୍କୁ ଏହି ଅବସରରେ ରାଜବାଟୀ ପରିସରରେ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ| ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ହୋମ ଯଜ୍ଞ ଏବଂ ନାମ ସଂକୀର୍ତନ ମଧ୍ୟ କରାଯାଇଥିଲା|

୧୯୧୪ ମସିହା ଅଗଷ୍ଟ ୨୬ ତାରିଖରେ ଜନ୍ମିତ ହରିହର ସିଂହ ଖଣ୍ଡପଡା ଗଡଜାତ ର ଅନ୍ତିମ ରାଜା ଥିଲେ| ୧୯୫୧ ମସିହାରେ ସେ ପ୍ରଥମଥର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଖଣ୍ଡପଡା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ| ୧୯୫୨ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସ ରେ ଯୋଗ ଦେଇଥିଲେ|

ସେହିପରି ୧୯୫୭, ୧୯୬୧ ଓ ୧୯୬୭ ରେ ସେ ଖଣ୍ଡପଡା ରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ| ଲଗାତାର ଚାରିଥର ବିଧାୟକ ହୋଇଥିବା ହରିହର ସିଂହ ୧୯୬୧ ରୁ ୧୯୬୪ ମସିହା ମଧ୍ୟରେ ଦୁଇ ଦୁଇ ଥର ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ବିରେନ ମିତ୍ରଙ୍କ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀପଦ ଅଳଙ୍କୃତ କରିଥିଲେ| ୱାର୍କ୍ସ ଆଣ୍ଡ ଟ୍ରାନ୍ସପୋର୍ଟ ଓ ରୋଡ଼ସ ଆଣ୍ଡ ବିଲଡିଂ ଭଳି ଦୁଇଟି ଗୁରୁତ୍ୱପୂର୍ଣ ବିଭାଗର ମନ୍ତ୍ରୀ ଥିଲେ ସ୍ବର୍ଗତ ସିଂହ|

ଜଣେ ଖୁବ ଭଲ ପାଇଲଟ ଥିଲେ ହରିହର ସିଂହ| ଅଲ ଇଣ୍ଡିଆ ଓ ବେଙ୍ଗଲ ଫ୍ଲାଇଙ୍ଗ କ୍ଲବ ର ସଦସ୍ୟ ଏବଂ ଓଡିଶା ଫ୍ଲାଇଙ୍ଗ କ୍ଲବ ର ସମ୍ପାଦକ ଥିଲେ ସ୍ବର୍ଗତ ସିଂହ| ପାଇଲଟ ଭାବେ ବିଜୁ ବାବୁଙ୍କର ସେ ଘନିଷ୍ଠ ବନ୍ଧୁ ଥିଲେ| ସଂଗୀତରେ ସେ ଖୁବ ରୁଚି ରଖିଥିଲେ| ଖଣ୍ଡପଡା ରେ ଧୂମ୍ପା ସଂଗୀତ ର ଉନ୍ନତି ତାଙ୍କରି ଦ୍ୱାରା ହିଁ ହୋଇଥିଲା| ଖଣ୍ଡପଡାଗଡ଼ ର ସ୍ବର୍ଗତ ରାଜାସାହେବ ନିଜ ଅଂଚଳର ଉନ୍ନତି ନେଇ ଅନେକ ଗଠନମୂଳକ କାର୍ଯ୍ୟ କରିଥିଲେ| ସ୍ବର୍ଗତ ରାଜାସହେବ ହରିହର ସିଂହ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି|