୮୦ ପ୍ରତିଶତ ଆତ୍ମହତ୍ୟା ରୋକାଯାଇପାରିବ

ଭୁବନେଶ୍ୱର : ପ୍ରତ୍ୟେକ ବର୍ଷ ବିଶ୍ୱରେ ପ୍ରାୟ ୧୦ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ରିପୋର୍ଟ ଅନୁଯାୟୀ ଏହା ମଧ୍ୟରୁ ମାନସିକ ସନ୍ତୁଳନ ହରାଇଥିବା ୯୦ ପ୍ରତିଶତ ବ୍ୟକ୍ତି ଚିକିତ୍ସା ଦ୍ୱାରା ଭଲ ହୋଇପାରିବେ । ରିପୋର୍ଟ ଅନୁଯାୟୀ ବିଶ୍ୱରେ ଘଟୁଥିବା ସମସ୍ତ ମୃତ୍ୟୁ ମଧ୍ୟରେ ଆତ୍ମହତ୍ୟା ତ୍ରୟୋଦଶ ସ୍ଥାନରେ ରହିଛି ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର ସୁରଜିତ ସାହୁଙ୍କ କହିବା ଅନୁଯାୟୀ ଏହା ମଧ୍ୟରୁ ୬୦ ପ୍ରତିଶତ ଲୋକ ମାନସିକ ଚାପର ବଶବର୍ତି । ମାତ୍ର ଏହି ମୃତ୍ୟୁକୁ ରୋକାଯାଇ ପାରିବ ।


ସମ୍ ହସ୍ପିଟାଲ୍ ପକ୍ଷରୁ ଗୁରୁବାର ଦିନ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ପାଳନ ଅବସରରେ ଡଃ ସାହୁ କହିଛନ୍ତି ଯେ ପ୍ରଗତିଶୀଳ ଦେଶ ଗୁଡ଼ିକରେ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ରୋକାଯାଇ ପାରିବ । ଆତ୍ମହତ୍ୟା କରିବା ପୂର୍ବରୁ ରୋଗୀ ନିକଟରେ ଅନେକ ବିପଦପୂର୍ଣ୍ଣ ଲକ୍ଷଣ ଦେଖାଯାଇଥାଏ । ଯାହାକୁ କି ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।


ମାନସିକ ଚାପ, ଆତ୍ମହତ୍ୟା ଭଳି ଚିନ୍ତାଧାରା, ପରିବାର ଏବଂ ବନ୍ଧୁଙ୍କର ସହଯୋଗ ନ ମିଳିବା, ଏକୁଟିଆ ରହିବା, ବେରୋଜଗାରୀ, ଡ୍ରଗ୍ସ ଓ ମାଦକଦ୍ରବ୍ୟ ସେବନ ଦ୍ୱାରା ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଥାଏ ।


୧୫ ରୁ ୨୪ ବର୍ଷର ଯୁବପିଢ଼ିଙ୍କ କ୍ଷେତ୍ରରେ ଘଟୁଥିବା ମୃତ୍ୟୁର ତୃତୀୟ ବଡ଼ କାରଣ ହେଉଛି ଆତ୍ମହତ୍ୟା । ପ୍ରାୟତଃ ୧୮ ରୁ ୨୪ ବର୍ଷ ମଧ୍ୟରେ ଦୁଇ ତୃତୀୟାଂଶ ମୃତ୍ୟୁ ଆତ୍ମହତ୍ୟା ଯୋଗୁଁ ହୋଇଥାଏ ।


ଆତ୍ମହତ୍ୟା କରିବା ପୂର୍ବରୁ ଏହାର ଲକ୍ଷଣ ପ୍ରାୟତଃ ଦେଖାଯାଇଥାଏ । ଜଣେ ବ୍ୟକ୍ତି ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ମାନସିକ ଚାପରେ ଥିବା ସମୟରେ ଆତ୍ମହତ୍ୟା ଉଦ୍ୟମ କରିଥାଏ । ତେବେ ସେହି ଘଡି଼ସନ୍ଧି ମୁହୂର୍ତରେ ଯଦି ସେହି ଚାପରୁ ବାହାର କରିବା ପାଇଁ ସାହାଯ୍ୟ କରାଯାଏ ତେବେ ତାଙ୍କର ଜୀବନ ରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି ।


ଅନେକ ସମୟରେ କେତେକ ବ୍ୟକ୍ତି ଆତ୍ମହତ୍ୟା କରିବା ନେଇ ଚିନ୍ତା କରୁଥିବା କଥା ମଧ୍ୟ କହିଥାନ୍ତି । କିନ୍ତୁ ତାହାକୁ କେହି ଗୁରୁତ୍ୱର ସହ ନେଇ ନଥାନ୍ତି ବୋଲି ଡଃ ସାହୁ କହିଛନ୍ତି ।


ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେଂଟ ଡଃ ପୁଷ୍ପରାଜ ସାମାନ୍ତସିଂହାର, ମାନସିକ ରୋଗ ବିଭାଗର ପ୍ରଫେସର ଶୁଭେନ୍ଦ୍ର ନାରାୟଣ ମିଶ୍ର, ଆସୋସିଏଟ୍ ପ୍ରଫେସର ଡଃ ଦେବଦତ ମହାପାତ୍ର ଏବଂ ସମ୍ ନର୍ସିଂ ଡିନ୍ ଡଃ ପ୍ରଭାତି ତ୍ରିପାଠୀ ବକ୍ତବ୍ୟ ରଖିଥିଲେ ।


ବିଶିଷ୍ଟ ଓଲିଉଡ୍ ଅଭିନେତା ବବି ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ମାନସିକ ଚାପର ଅନୁଭୂତି ବଖାଣି ଥିଲେ । ସେ କହିଥିଲେ ଯେ ମାନସିକ ଚାପର ବଶବର୍ତି ହୋଇଥିବା ଲୋକ ସେଥିରୁ ବାହାରିବା ପାଇଁ ସଠିକ୍ ପରାମର୍ଶ ନେବାର ଆବଶ୍ୟକତା ରହିଛି ।


ଡିନ୍ ପ୍ରଫେସର ସାହୁ କହିଥିଲେ ଯେ ଆବେଗ, ଅହମିକା ଏବଂ ଆଶା ହେଉଛି ତିନୋଟି ମୁଖ୍ୟ କାରଣ ଯାହାକି ମାନସିକ ଚାପକୁ ବଢ଼ାଇଥାଏ ଏବଂ ବ୍ୟକ୍ତିକୁ ମୃତ୍ୟୁ ଆଡ଼କୁ କଢ଼ାଇଥାଏ । ଅଧିକ ଆଶା କରିବା ହେଉଛି ସବୁଠାରୁ ବିପଦପୂର୍ଣ୍ଣ କାରଣ । ବର୍ତମାନ ଅଭିଭାବକମାନେ ତାଙ୍କ ପିଲାମାନଙ୍କୁ ପାଠ ପଢ଼ାଇ ସବୁଠାରୁ ଊଦ୍ଧ୍ୱର୍ରେ ରହିବା ପାଇଁ ଅଧିକ ପରିଶ୍ରମ କରିବାକୁ କହୁଛନ୍ତି । ତେବେ ସେମାନେ ଭାବି ରଖିବା ଉଚିତ୍ ଯେ ପିଲାଟି ଏତେ ମାତ୍ରାରେ ଚାପ ଗ୍ରହଣ କରିବା ସମ୍ଭବ ନୁହେଁ ।


ଏହି ଅବସରରେ ଛାତ୍ରଛାତ୍ରୀମାନେ ମାନସିକ ଚାପ ଏବଂ ଅସହାୟତା ସମ୍ପର୍କିତ ନାଟକ ପରିବେଷଣ କରିଥିଲେ ।