ରସଗୋଲାକୁ ମିଳିଲା ଜିଆଇ ମାନ୍ୟତା

ଭୁବନେଶ୍ୱର- “ଓଡ଼ିଶା ରସଗୋଲା’’ କୁ ଭୌଗଳିକ ପରିଚୟ ମିଳିଛି । ଭାରତର ଭୌଗଳିକ ପରିଚିତି ରେଜିଷ୍ଟ୍ରୀ ଏନେଇ ସୋମବାରଦିନ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ କରିଛି । ଏହି ପ୍ରମାଣପତ୍ର ଓଡ଼ିଶା ସରକାରଙ୍କ କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉକ୍ରଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିଙ୍କ ନାମରେ ପ୍ରଦାନ କରାଯାଇଛି । ଏହାଫଳରେ ଓଡ଼ିଶାରେ ଉତ୍ପାଦିତ ରସଗୋଲା ଯେ ଅନ୍ୟମାନଙ୍କଠୁ ଭିନ୍ନ ଏବଂ ଏହାର ସତନ୍ତ୍ରତା ରହିଛି ତାହାର ଏକ ଆଇନଗତ ମାନ୍ୟତା ମିଳିପାରିଛି ।

ଦୀର୍ଘଦିନ ହେଲା ‘ରସଗୋଲା’ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଚାଲିଥିଲା । ପଶ୍ଚିମବଙ୍ଗ ପ୍ରଥମେ ରସଗୋଲା ପଶ୍ଚିମବଙ୍ଗର ଏକ ଉତ୍ପାଦ ବୋଲି ବଣ୍ଣନା କରିଥିଲା । ଏହା ଓଡ଼ିଶାର ସରକାର ଏବଂ ବୁଦ୍ଧିଜୀବୀଙ୍କୁ ଯଥେଷ୍ଟ ଆଘାତ ଦେଇଥିଲା । କିନ୍ତୁ ସରକାରଙ୍କ ପକ୍ଷରୁ ଗଠିତ କମିଟି ଏବାବଦରେ ଆବଶ୍ୟକ ଯୁକ୍ତି ଉପସ୍ଥାପନ କରିପାରି ନଥିଲେ । ଫଳରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ଆବେଦନ ଯଥେଷ୍ଟ ପଛକୁ ଚାଲି ଯାଇଥିଲା । ଗବେଷକ ଅସିତ ମହାନ୍ତି ପ୍ରଥମେ ରସଗୋଲାର ପରିବ୍ୟାପ୍ତି ଓ ବ୍ୟବହାରକୁ ନେଇ ଯଥେଷକଟ ପୁରୁଣା ତଥ୍ୟ ଉପସ୍ଥାପନ କରିଥିଲେ । ଯାହାକୁ କେନ୍ଦ୍ର କରି ପଶ୍ଚିମବଙ୍ଗ ଓ ଓଡ଼ିଶା ଭିତରେ ଅନେକ ତର୍କ ହୋଇଥିଲା ।

ଶେଷରେ ପଶ୍ଚିମବଙ୍ଗକୁ ରସଗୋଲା ପରିବର୍ତ୍ତେ “ବାଂଲାର୍‍ ରସଗୁଲ୍ଲା’ ପାଇଁ ଜିଆଇ ମାନ୍ୟତା ମିଳିଥିଲା । ଆଜି ଜିଆଇ ରେଜିଷ୍ଟ୍ରୀ ପକ୍ଷରୁ ଓଡ଼ିଶାରେ ଉତ୍ପାଦିତ “ରସଗୋଲା’ ଲାଗି ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ମିଳିଛି । ଏହାର ଜିଆଇ ସଂଖ୍ୟା ରହିଛି ୬୧୨ ଏବଂ ପ୍ରମାଣପତ୍ର ସଂଖ୍ୟା ରହିଛି ୩୪୫ । ୨୩ ଫେବୃୟାରୀ ଦିନ ଏହି ପ୍ରମଣପତ୍ରକୁ ଅନୁମୋଦିନ ମିଳିଥିବା ଦର୍ଶାଯାଇଛି ।