ମାର୍ଚ୍ଚ ୬ ନୟାଗଡ଼ ବନ୍ଦ ଡାକରା

ଆସନ୍ତା ୬ ତାରିଖରେ ନୟାଗଡ ଜିଲ୍ଲା ବ୍ୟାପି ବନ୍ଦ ଓ ହରତାଳ ଡାକରା ଦିଆଯାଇଛି | ନୟାଗଡ ଚିନିକଳ କାର୍ଯ୍ୟକ୍ଷମ ଦାବିରେ ନୟାଗଡ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି |
ଖଣିଖାଦାନ ଓ ଶିଳ୍ପବିହୀନ ନୟାଗଡ ଜିଲ୍ଲାର ପାଣିପୋଇଲା ଠାରେ ଅବସ୍ଥିତ ଚିନିଶିଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ଦାବି କରିଛନ୍ତି |

ଖଣ୍ଡପଡ଼ା ସହରର ମା ଉମାଦେବୀଙ୍କ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଚିନିକଳ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା | ଖଣ୍ଡପଡ଼ା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ବୈଠକରେ ପୌରହିତ୍ୟ କରିଥିଲେ | ବାରମ୍ବାର ଦାବି ସତ୍ତ୍ୱେ ନୟାଗଡ଼ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ ନଥିବାରୁ ଆସନ୍ତା ମାର୍ଚ୍ଚ ୬ ତାରିଖରେ ନୟାଗଡ ଜିଲ୍ଲା ବନ୍ଦ ପାଇଁ ଚିନିକଳ କ୍ରିୟାନୁଷ୍ଠାନ କମିଟି ଡାକରା ଦେଇଛି |

ସିଦ୍ଧାର୍ଥ ଶେଖର ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆସନ୍ତା ମାର୍ଚ୍ଚ ୬ ତାରିଖରେ ନୟାଗଡ ଜିଲ୍ଲା ବନ୍ଦ ସହ ଖଣ୍ଡପଡ଼ା ଓ ଭାପୁରରେ ମଧ୍ୟ ବନ୍ଦକୁ ସଫଳ କରିବା ପାଇଁ ଚାଷୀଙ୍କ ସହଯୋଗ ଲୋଡ଼ାଯାଇଥିଲା | ଉକ୍ତ ଦିନ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ କରାଯିବା ସହ ଚାଷୀମାନଙ୍କୁ ସ୍ୱତଃପ୍ରବୃତ୍ତ ଭାବେ ସାମିଲ ହେବ ନେଇ ନିବେଦନ କରାଯାଇଛି ବୋଲି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ସନ୍ତୋଷ କୁମାର ପ୍ରଧାନ ସୂଚନା ଦେଇଛନ୍ତି |

ଉଲ୍ଳେଖ୍ୟଯୋଗ୍ୟ ଯେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ସୀମାକୁ ଲାଗି ପାଣିପୋଇଲାଠାରେ ୧୯୮୮ ମସିହାରେ ଏହି ଚିନିକଳ ପ୍ରତିଷ୍ଠା ହୋଇଥିଲା | ରାଜ୍ୟର ତୃତୀୟ ଚିନିକଳ ଭାବେ ଜିଲ୍ଲା ତଥା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଯୋଗିଆପଲ୍ଲୀ, ଶିଖରପୁର, ଶାଳଝରିଆ, ରାଣୀପଡ଼ା, ବନମାଳିପୁର, ବେଣାଗାଡ଼ିଆ ଆଦି ବହୁ ପଂଚାୟତର ହଜାର ହଜାର ଆଖୁଚାଷୀଙ୍କ ଜୀବନ ଜୀବିକା ପାଲଟିଥିଲା | ମାତ୍ର ସରକାର ଏହାର ପରିଚାଳନା ଭାର ନୟାଗଡ ସୁଗାର କଂପ୍ଲେକ୍ସକୁ ଦେବା ପରେ ୨୦୧୫ ରୁ କମ୍ପାନୀ ଚାଷୀଙ୍କ ବକେୟା ପ୍ରଦାନ ନ କରି ତାଲା ପକାଇ ରଖିଛି | ବ୍ଲକର ବହୁ ଚାଷୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜୀବିକା ହରାଇଥିବା ଏବଂ ଆଜିଯାଏଁ ପାଇନଥିବା କହିଛନ୍ତି | ଅନ୍ୟ ପକ୍ଷରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏ ନେଇ ଆନ୍ଦୋଳନ ତୀବ୍ର ହେବ ସହ ନିକଟରେ ହଜାର ହଜାର ଚାଷୀ ନବୀନ ନିବାସ ପଦଯାତ୍ରାରେ ମଧ୍ୟ ଯାଇଥିଲେ | କିନ୍ତୁ ଏଯାବତ ସରକାର ଚିନିକଳ ଚଳାଇବା ନେଇ କୌଣସି ରାସ୍ତା ବାହାର ନ କରିବା ଚାଷୀକୁଳକୁ ବ୍ୟଥିତ କରିଛି |