ଦେଶର ଦ୍ଵିତୀୟ ବୃହତ୍ତମ କୋଭିଡ ହସ୍ପିଟାଲ ସୋଆ ଦ୍ଵାରା ଆରମ୍ଭ

ଭୁବନେଶ୍ୱର, ଏପ୍ରିଲ 6: କରୋନା ମହାମାରୀ ଆତଙ୍କର ମୁକାବିଲା କରିବା ପାଇଁ ସାରାଦେଶ ଏବେ ଲକଡାଉନ ରେ ଥିବା ବେଳେ ରୋଗୀ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଥିବା ଓଡିଶାର ବୃହତ୍ତମ କୋଭିଡ୍ ହସ୍ପିଟାଲ ସୋମବାର ଏଠାରେ କାର୍ଯ୍ୟକ୍ଷମ ହୋଇଛି ।

25 ଟି ଆଇସିୟୁ ଶଯ୍ୟା ସମେତ 525 ଶଯ୍ୟା ବିଶିଷ୍ଟ ଦେଶର ଏହି ଦ୍ଵିତୀୟ ବୃହତ୍ତମ କୋଭିଦ୍ ହସ୍ପିଟାଲଟି ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟିତ ହୋଇଯାଇଛି ।

ଏହି ଉଦଘାଟନୀ ମୁହୂର୍ତ୍ତରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ନୂଆଦିଲ୍ଲୀରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ବିଭାଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଷୀ ଉପସ୍ଥିତ ଥିଲେ । ସେହିପରି ଭୁବନେଶ୍ୱରରେ ମୁଖ୍ୟଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର, 5ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ଉପସ୍ଥିତି ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ଡାକ୍ତର ଓ ସ୍ଵାସ୍ଥ୍ୟ ସେବା କର୍ମଚାରୀ ମାନଙ୍କୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସାର ଦାୟିତ୍ୱ ନେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ମହାନଦୀ କୋଲଫିଲ୍ଡ ଲିମିଟେଡ ଏହି ହସ୍ପିଟାଲ ପାଇଁ ଆର୍ଥିକ ସହଯୋଗ କରିଥିବାରୁ କୃତଜ୍ଞତା ଜଣାଇଥିଲେ । ଏହି ହସ୍ପିଟାଲ ଖୁବ କମ ସମୟରେ ସୋଆ ସ୍ଥାପନ କରି ପାରି ଥିବାରୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ନିଆଯାଇଥିବା ଉପଯୁକ୍ତ ଓ ସମୟ ଉପଯୋଗୀ ପଦକ୍ଷେପକୁ ପ୍ରଶଂସା କରିବା ସହ ପ୍ରଶାସନ ଦ୍ୱାରା 3 ଟି ସହରରେ କରାଯାଇଥିବା 48 ଘଣ୍ଟିଆ ‘ସଟ ଡାଉନ’ ଏକ ବଡ ପଦକ୍ଷେପ ବୋଲି କହିଥିଲେ । ଏହାଦ୍ୱାରା ଅନେକ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇପାରିଲେ ବୋଲି ସେ କହିଥିଲେ । କରୋନା ମହାମାରୀ ସାରାବିଶ୍ୱର ମାନସିକତାକୁ ଦୋହଲାଇ ଦେଇଛି । ତେଣୁ ସମସ୍ତ ପ୍ରକାର ରାଜନୈତିକ ଭେଦଭାବ କୁ ଭୁଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିଷ୍ପତିଗୁଡିକୁ ମାନି ଏହି ମହାମାରୀ ର ମୁକାବିଲା କରିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କରୋନା ମୁକାବିଲା ଲାଗି କେନ୍ଦ୍ର ପକ୍ଷରୁ ରାଜ୍ୟକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ଏହି ନୂତନ ହସ୍ପିଟାଲ ରାଜ୍ୟ ପାଇଁ ଏକ ବହୁତ ବଡ ସମ୍ପଦ । ତେବେ ଏହି ହସ୍ପିଟାଲକୁ କୌଣସି ରୋଗୀ ନ ଆସିଲେ ଭଲ ଏବଂ ଯଦିବା ଆସିବେ ତେବେ ସମ୍ପୂର୍ଣ ସୁସ୍ଥ ହୋଇ ଫେରନ୍ତୁ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ଉଭୟ ଶ୍ରୀ ପ୍ରଧାନ ଓ ଶ୍ରୀ ଯୋଶୀ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ କୋଭିଡ ହସ୍ପିଟାଲ ସ୍ଥାପନ ନେଇ ତାଙ୍କ ତତ୍ପରତା ର ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କରୋନା ମୁକାବିଲା ପାଇଁ ବିଶ୍ୱବିଦ୍ୟାଳୟକୁ ଏଭଳି ସୁଯୋଗ ଦେଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ମହାମାରୀ ସହ ଯୁଦ୍ଧ କରିବା ପାଇଁ ସମ ର ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀ ପ୍ରସ୍ତୁତ ଅଛନ୍ତି ଓ ଦିନରାତି ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସେ କହିଥିଲେ ।

ଖୁବଶୀଘ୍ର କେନ୍ଦ୍ରାପଡା ଓ ଅନୁଗୁଳ ରେ ମଧ୍ୟ ସମ ପକ୍ଷରୁ କୋଭିଡ ହସ୍ପିଟାଲ ଆରମ୍ଭ କରାଯିବ ବୋଲି ଏହି ଅବସରରେ 5 ଟି ସଚିବ ଶ୍ରୀ ପାଣ୍ଡିଆନ କହିଥିଲେ ।

ଏହି ଅବସରରେ ପୋଲିସ ଡିଜି ଶ୍ରୀ ଅଭୟ, କୋଭିଡ 19 ନିମନ୍ତେ ସରକାରଙ୍କ ପ୍ରମୁଖ ମୁଖପାତ୍ର ଶ୍ରୀ ସୁବ୍ରତୋ ବାଗଚି, ସୋଆ ର ବରିଷ୍ଠ କାର୍ଯ୍ୟକର୍ତା, ଏମସିଏଲ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ଗତ ମାର୍ଚ୍ଚ 26 ତାରିଖ ଦିନ ଓଡିଶା ସରକାର, ଏମସିଏଲ ଓ ଆଇଏମଏସ ଓ ସମ ହସ୍ପିଟାଲ ମଧ୍ୟରେ କୋଭିଡ 19 ହସ୍ପିଟାଲ ନେଇ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା । ଚୁକ୍ତି ଅନୁଯାୟୀ ଏମସିଏଲ ହସ୍ପିଟାଲକୁ ଆର୍ଥିକ ସାହାଯ୍ୟ ଯୋଗାଇବ । ହସ୍ପିଟାଲ ପକ୍ଷରୁ କରୋନା ସଂକ୍ରାମିତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯିବା ସହ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ଲାବୋରେଟୋରୀ, ରେଡିଓଲୋଜି, ଆଇସିୟୁ ର ବ୍ୟବସ୍ଥା କରାଯାଇଛି । ହସ୍ପିଟାଲରେ 500 ଟି ଶଯ୍ୟା ଓ 25 ଟି ଆଇସିୟୁ ଶଯ୍ୟା ର ବ୍ୟବସ୍ଥା ରହିଛି ।ସୋଆ ର କ୍ୟାମ୍ପସ 2 ର ଚାରି ମହଲା ବିଶିଷ୍ଟ କନଭେନସନ ସେଣ୍ଟର ରେ ଏହି ହସ୍ପିଟାଲ କାର୍ଯ୍ୟ କରୁଛି ।