ରସେଲ ଶୃଙ୍ଖଳାରୁ ଓହରିଲେ, ଗ୍ଲୋବାଲ ଟ୍ବେଣ୍ଟି-୨୦ ଖେଳିଲେ

ଫ୍ଲୋରିଡ଼ା ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଅନ୍ଦ୍ରେ ରସେଲ ଭାରତ-ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ରୁ ଓହରି ଯାଇଛନ୍ତି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଏକ ଘରୋଇ ଲିଗ୍ ଖେଳିବା ଜାରି ରଖିଛନ୍ତି। କାନାଡାରେ ଚାଲିଥିବା ଗ୍ଲୋବାଲ ଟ୍ବେଣ୍ଟି-୨୦ ଲିଗ୍‌ର ଏକ ମ୍ୟାଚ୍ ଅବସରରେ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିବା ପରେ ଭାରତ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ରେ ଖେଳି ପାରିବେ ନାହିଁ ବୋଲି ରସେଲ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡକୁ ଜଣାଇ ଦେଇଥିଲେ। ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ଏଥିନେଇ ଆନୁଷ୍ଠାନିକ ସୂଚନା ଦେବାର ମାତ୍ର କିଛି ଘଣ୍ଟା ପରେ ତାଙ୍କୁ ‌ଗ୍ଲୋବାଲ ଟ୍ବେଣ୍ଟି-୨୦ରେ ଭାଙ୍କୋଭର ନାଇଟ୍ସ ଦଳ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳିଥିଲା। ହେଲେ ଏହି ମ୍ୟାଚ୍‌ରେ ସେ ଖାତା ଖୋଲି ପାରି ନଥିଲେ। ତାଙ୍କ ଦଳ ଅବଶ୍ୟ ବିଜୟୀ ହୋଇଥିଲା। ଜାତୀୟ ଦଳରୁ ଓହରି ଯାଇ ରସେଲ ପେସାଦାର ଟ୍ବେଣ୍ଟି-୨୦ ଲିଗ୍ ଖେଳିବା ଘଟଣା ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ରେ ମୁଖ୍ୟ ଚର୍ଚାର ବିଷୟ ହୋଇଛି। ରସେଲଙ୍କ ଏହି ପଦକ୍ଷେପକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ପସନ୍ଦ କରି ନାହାନ୍ତି। ରସେଲ ଶେଷ ଥର ପାଇଁ ଇଂଲଣ୍ଡରେ ଆୟୋଜିତ ଏକଦିବସୀୟ ବିଶ୍ବକପ୍‌ରେ ଦେଖିବାକୁ ମିଳିଥିଲେ। ହେଲେ ମାତ୍ର ଚାରିଟି ମ୍ୟାଚ୍ ପରେ ତାଙ୍କ ବିଶ୍ବକପ୍ ଅଭିଯାନ ଶେଷ ହୋଇ ଯାଇଥିଲା। ଆଣ୍ଠୁରେ ଆଘାତ ଲାଗିବାରୁ ବିଶ୍ବକପରୁ ଓହରିବାକୁ ସେ ବାଧ୍ୟ ହୋଇଥିଲେ। ଏହା ପରେ ସେ ଗ୍ଲୋବାଲ ଟ୍ବେଣ୍ଟି-୨୦ ଖେଳିଥିଲେ। ହେଲେ ବୋଲିଂ କରି ନଥିଲେ। ରସେଲ ଓହରିବା ପରେ ଜାସନ ମହମ୍ମଦଙ୍କୁ ୱେଣ୍ଟଇଣ୍ଡିଜ୍ ନିଜ ଟ୍ବେଣ୍ଟି-୨୦ ଦଳରେ ସାମିଲ କରିଛି।