ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ ! ମଉଳିନି ଘୋଷଯାତ୍ରା ର ଆଶା…..

ଭକ୍ତବତ୍ସଳ ମହାପ୍ରଭୁ ଆସିବେ ବଡଦାଣ୍ଡକୁ । ନିଜ ଭକ୍ତମାନଙ୍କୁ ଦେବେ ଦର୍ଶନ । ସାରା ବିଶ୍ୱର କୋଟି କୋଟି ଭକ୍ତ ଙ୍କୁ ନିରାଶ କରିବେନି ଜଗତର ନାଥ ଜଗନ୍ନାଥ । ହୋଇପାରେ ରଥଯାତ୍ରା । ବନ୍ଦ ନହୋଇପାରେ ମହାପ୍ରଭୁଙ୍କ ମହାନ ପରମ୍ପରା । ଏ ଆଶା ଏବେ ଉଦଜିବିତ ହେବାରେ ଲାଗିଛି ।

କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିରଖିଛି । ଏହି ପରିସ୍ଥିତିରୁ ଓଡିଶାବି ବାଦ ପଡିନି । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ପରିସ୍ଥିତିରେ ଚଳିତ ବର୍ଷ ମହାପ୍ରଭୁ ଙ୍କ ରଥଯାତ୍ରା ଅନୁଷ୍ଠିତ ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ପୁରୀ ଗଜପତି ମହାରାଜ ଓ ଶ୍ରୀମନ୍ଦିର ପ୍ରଶାସନ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇଛନ୍ତି ।

ତେବେ ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ କାର୍ଯ୍ୟ ଶ୍ରୀମନ୍ଦିର ଭିତରେ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଡଃ କିଶନ କୁମାର । ଗୁରୁଜୀଙ୍କ ସହ ବୈଠକ ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ । ତେବେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବା କି ନାହିଁ ତାହା ଲକଡ଼ାଉନ ଅବଧି ଶେଷ ହେବା ପରେ ନିଷ୍ପତି ନିଆଯିବ ବୋଲି ଡ଼ଃ କିଶନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରଥଯାତ୍ରା ସମ୍ପାଦନ ସମ୍ପର୍କରେ ସରକାର ନିଷ୍ପତି ନିଅନ୍ତୁ ବୋଲି ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଥିଲେ ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟ ସିଂହ ଦେବ ।