ଇଂଲଣ୍ଡକୁ ୯୦ ରନ୍ ଅଗ୍ରଣୀ

ବର୍ମିଂହାମ: ପ୍ରଥମ ଆସେସ୍ ଟେଷ୍ଟ୍‌ରେ ଇଂଲଣ୍ଡକୁ ପ୍ରଥମ ପାଳିରେ ୯୦ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ମିଳିଛି। ଅଷ୍ଟ୍ରେଲିଆର ୨୮୪ ରନ୍ ଜବାବରେ ଘରୋଇ ଦଳ ୩୭୪ ରନ୍ କରିଛି। ତୃତୀୟ ଦିନ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ୩ ୱିକେଟ୍‌ ହରାଇ ୧୨୪ ରନ୍‌ କରିଥିଲା। ହାତରେ ୭ ୱିକେଟ୍‌ ଥାଇ ଭ୍ରମଣକାରୀ ଦଳ ମାତ୍ର ୩୪ ରନ୍‌ରେ ଆଗୁଆ ରହିଛି। ତୃତୀୟ ଦିନ ଚା’ପାନ ବିରତି ପରେ ଦ୍ବିତୀୟ ପାଳି ଆରମ୍ଭ କରିଥିବା ଅଷ୍ଟ୍ରେଲିଆକୁ ତୃତୀୟ ଓଭରରେ ପ୍ରଥମ ଝଟ୍‌କା ଲାଗିଥିଲା। ବ୍ରଡଙ୍କୁ ଲଗାତାର ଚୌକା ମାରିବା ପରେ ସେହି ଓଭର ଶେଷ ବଲରେ ଆଉଟ୍ ହୋଇଯାଇଥିଲେ ୱାର୍ନର। ଏହା ଥିଲା ବ୍ରଡଙ୍କ ଖେଳ ଜୀବନର ୪୫୦ତମ ଟେଷ୍ଟ୍ ୱିକେଟ୍‌। ଶନିବାର ତୃତୀୟ ଦିନ ସକାଳେ ଇଂଲଣ୍ଡ ୨୬୭/୪ରୁ‌ ଖେଳିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ହଠାତ୍‌ ୩୦୦/୮ରେ ପହଞ୍ଚିଯାଇଥିଲା। ୧୮ରନ୍ ଭିତରେ ୪ ୱିକେଟ୍ ହରାଇ ଦେଇଥିଲା ଜୋ ରୁଟଙ୍କ ଦଳ। ବେନ୍ ଷ୍ଟୋକ୍ସ (୫୦, ୯୬ ବଲ) ଅର୍ଧଶତକ ହାସଲ କରିବା ପରେ ପ୍ୟାଟ୍ କମିନ୍ସଙ୍କ ବଲ୍‌ରେ ୱିକେଟ ପଛପଟେ ଟିମ୍ ପେନଙ୍କ ଦ୍ବାରା କ୍ୟାଚ୍‌ ହୋଇଯାଇଥିଲେ। ଏହା ପରେ ଗୋଟିଏ ଓଭରରେ ରୋରି ବର୍ନସ (୧୩୩, ୩୧୨ ବଲ, ୧୭ ଚୌକା) ଏବଂ ମୋଇନ୍ ଅଲୀ (୦)ଙ୍କୁ ନାଥନ୍ ଲାୟନ୍ ଆଉଟ୍ କରି ଦେଇଥିଲେ। ଜନି ବେୟାରଷ୍ଟୋ (୮)ଙ୍କୁ ପିଟର୍ ସିଡଲ୍‌ ପ୍ୟାଭିଲିଅନ୍ ରାସ୍ତା‌ ଦେଖାଇଥିଲେ। ୧୧ ବଲ୍‌ ଭିତରେ ଇଂଲଣ୍ଡ ଏହି ୩ ୱିକେଟ୍ ହରାଇଥିଲା। ଫଳରେ ମଧ୍ୟାହ୍ନ ଭୋଜନ ଭିତରେ ଇଂଲଣ୍ଡ ପାଳି ଶେଷ ହୋଇଯିବା ଆଶଙ୍କା ଜାତ ହୋଇଥିଲା। ହେଲେ ଦଳର ଦୁଇ ଦ୍ରୁତ ବୋଲର କ୍ରିସ୍ ୱକ୍ସ (୩୭*, ୯୫ ବଲ୍‌) ଏବଂ ଷ୍ଟୁଆର୍ଟ ବ୍ରଡ୍ (୨୯, ୬୭ ବଲ୍‌) ନବମ ୱିକେଟ୍ ପାଇଁ ୬୫ ରନ୍ (୨୪.୧ ଓଭର) ଯୋଡ଼ିଦେବାରୁ ଅଷ୍ଟ୍ରେଲିଆ ନିରାଶ ହୋଇଥିଲା। ଶେଷକୁ ଜେମ୍ସ ଆଣ୍ଡରସନ୍‌ (୩)ଙ୍କୁ ଆଉଟ୍ କରି ଇଂଲଣ୍ଡ ପାଳିକୁ ନାଥନ୍ ଲାୟନ୍ ୩୭୪ ରନ୍‌ରେ ସମୀତ ରଖିଥିଲେ। ଘରୋଇ ଦଳ କିନ୍ତୁ ସେତେବେଳକୁ ୯୦ ରନ୍ ଅଗ୍ରଣୀ ନେଇ ସାରିଥିଲା। କମିନ୍ସ-ଲାୟନ ୩-୩, ପାଟିନସନ୍‌-ସିଡଲ୍‌ ୨-୨ ୱିକେଟ୍ ବାଣ୍ଟି ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି-୨୮୪ (ଷ୍ଟିଭେନ୍ ସ୍ମିଥ୍-୧୪୪, ପିଟର୍ ସିଡଲ୍‌-୪୪, ଷ୍ଟୁଆର୍ଟ ବ୍ରଡ୍‌-୫/୮୬, କ୍ରିସ୍ ୱକ୍ସ-୩/୫୮, ମୋଇନ୍ ଅଲୀ-୧/୪୨, ବେନ୍ ଷ୍ଟୋକ୍ସ-୧/୭୭)। ଇଂଲଣ୍ଡ ପ୍ରଥମ ପାଳି-୧୩୫.୫ ଓଭରରେ ୩୭୪ (ରୋରି ବର୍ନସ-୧୩୩, ଜୋ ରୁଟ୍‌-୫୭, ବେନ୍‌ ଷ୍ଟୋକ୍ସ-୫୦, କ୍ରିସ୍ ୱକ୍ସ-୩୭*, ଷ୍ଟୁଆର୍ଟ ବ୍ରଡ-୨୯, ପ୍ୟାଟ୍ କମିନ୍ସ-୩/୮୪, ନାଥନ୍ ଲାୟନ-୩/୧୧୨, ପିଟର୍ ସିଡଲ୍‌-୨/୫୨, ଜେମ୍ସ ପାଟିନସନ୍‌-୨/୮୨)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି-୩୧ ଓଭରରେ ୧୨୪/୩ (ଉସ୍‌ମାନ ଖୱାଜା-୪୦, ଷ୍ଟିଭେନ୍‌ ସ୍ମିଥ୍‌-୪୬*, ଟ୍ରାଭିସ୍‌ ହେଡ୍‌-୨୧*, ବେନ୍‌ ଷ୍ଟୋକ୍ସ-୧/୧୮, ଷ୍ଟୁଆର୍ଟ ବ୍ରଡ୍‌-୧/୨୬, ମୋଇନ୍‌ ଅଲ୍ଲୀ ୧/୪୭)।