ସ୍ନାନଯାତ୍ରା ଶେଷ କରି ଶ୍ରୀମନ୍ଦିର ବାହୁଡ଼ିଗଲେ ମହାପ୍ରଭୁ….

ସ୍ନାନବେଦୀକୁ ଭାଇ ଭଉଣୀଙ୍କ ସହ ପହଣ୍ଡି କରି ଆସିଲେ… ରୀତିନୀତି ଅନୁସାରେ ସମ୍ପନ୍ନ ହେଲା ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ । କୋଭିଡ ନିୟମ ଅନୁଯାୟୀ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ସୀମିତ ସଂଖ୍ୟକ ସେବାୟତଙ୍କ ଦ୍ୱାରା ସମ୍ପନ୍ନ ହେଲା ସ୍ନାନସେବା
। ସ୍ନାନନୀତି ଓ ହାତୀବେଶ ପରେ ଶ୍ରୀଜିଉ ଶ୍ରୀମନ୍ଦିରକୁ ବାହୁଡ଼ି ଯାଇଛନ୍ତି । କାଲିଠାରୁ ଅଣସରରେ ରହିବେ ଠାକୁର ।

ସକାଳ ପୂର୍ବରୁ ଶ୍ରୀମନ୍ଦିରରୁ ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ ଚତୁର୍ଦ୍ଧା ମୂର୍ତ୍ତି । ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଏବଂ ଅନ୍ୟନୀତି ପରେ ଆରମ୍ଭ ହୋଇଥିଲା ସ୍ନାନନୀତି । ୧୦୮ ଗରା ସୁବାସିତ ଜଳରେ ଦାରୁଦିଅଁଙ୍କୁ ସେବାୟତମାନେ ସ୍ନାନ କରାଇଥିଲେ । c
ଚଳିତ ବର୍ଷ ଗଜପତି ମହାରାଜ ଛେରା ପହଁରା କରିବାକୁ ଆସିନଥିଲେ.. ତାଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଛେରା ପହଁରା କରିଥିଲେ । ଅନ୍ୟନୀତି ପରେ ଅରମ୍ଭ ହୋଇଥିଲା ହାତୀବେଶ । …

କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳନ ପାଇଁ ପୁରୀରେ ୧୪୪ ଧାରା ଜାରି କରାଯାଇଥିଲା । ୩୮ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ପଇଁତରା ମାରିଥିଲେ । ତଥାପି କାଳିଆର ମାନବୀୟ ଲୀଳାର ଝଲକ ଟିକେ ପାଇବା ପାଇଁ ଦୂରରୁ ବ୍ୟାରିକେଡ୍‌ ପାଖରେ ଭକ୍ତ ଛିଡ଼ା ହୋଇ, ହାତଟେକି ଦେଇ ଭାବ ବହ୍ୱଳ ହୋଇପଡ଼ିଥିଲେ । ଶୃଙ୍ଖଳାର ସହ ସ୍ନାନନୀତି ପାଇଁ ସହଯୋଗ କରିଥିବାରୁ ଲୋକଙ୍କୁ ପୁରୀ ପ୍ରଶାସନ ଧନ୍ୟବାଦ ଜଣାଇଛି । ଆସନ୍ତାକାଲି ରାତି ୨ଟା ଯାଏ ପୁରୀରେ ବଳବତ୍ତର ରହିବ ୧୪୪ ଧାରା ।