ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କ ରଥ ନିର୍ମାଣ

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଶୁକ୍ରବାର ଏକ ପ୍ରକାର ଚୂଡାନ୍ତ ହୋଇଛି । ରଥର ପୋଟଳ ପଡି ପାରାଭାଡି ଉଠିଥିବାବେଳେ ଏବେ କେବଳ କଳସ ଓ ଓଲଟ ପାରା ଲଗାଯିବ । ରଥରେ ରଙ୍ଗକାମ ଦ୍ରୁତି ଗତିରେ ଚାଲିଛି । ରଙ୍ଗ ଲାଗି ଶେଷ ହେବାପରେ ରଥରେ ତାହା ଖଞ୍ଜାଯିବ ।
ସେହିଭଳି ଗୁରୁବାର ତିନି ରଥର ୨ଟି ଲେଖାଁଏ ଦୁଆର ଘଡା ପ୍ରସ୍ତୁତ ସହ ରଙ୍ଗ ପାଇଁ ରଥଖଳାକୁ ଆସିଥିବାବେଳେ ସେଥିରେ ପ୍ରାଇମର ଲଗାଯାଇଛି । ଶୁକ୍ରବାର ତିନି ରଥର ଆଶାବାଡି ଖୁଣ୍ଟିଆ କାର୍ଯ୍ୟ ଚାଲିଛି ।
ପ୍ରତି ରଥରେ ଦୁଇଟି ଲେଖାଏଁ ଆଶାବାଡି ଖୁଣ୍ଟିଆ ଆବଶ୍ୟକ ହୋଇଥାଏ ଓ ରଥରେ ଘୋଡା ଖଞ୍ଜାଯିବାବେଳେ ଏହା ବ୍ୟବହାର ହୋଇଥାଏ । ତିନିରଥରେ ଖଞ୍ଜା ଯାଇଥିବା ପଟ୍ଟାଗୁଜରେ ରୂପକାର ସେବକମାନେ ସିଂହବରାଳ, ଗଜବରାଳ, ଗଜସିଂହ ଖୋଦେଇ କାମ ସହ ରଥଚକା ଦଣ୍ଡା ଇତ୍ୟାଦିର ରଙ୍ଗକାମ କରୁଛନ୍ତି ।

ଶ୍ରୀମନ୍ଦିର ନୂତନା କାର୍ଯ୍ୟାଳୟ ତଳେ ଚିତ୍ରକର ସେବକମାନେ ରଥା ପାର୍ଶ୍ୱର ଦେବାପାଦୀ, କଳସ ଇତ୍ୟାଦିର ରଙ୍ଗକାମ ଜାରି ରଖିଛନ୍ତି ।

ଦରଜି ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ମହଲାରେ ରଥକନାରେ ଜରିଫିତା ସିଲାଇ ରଥ ଘେରା ସିଲାଇ କାମ ଆରମ୍ଭ କରିଛନ୍ତି ।

ଦୋଳବେଦୀ ଅସ୍ଥାୟୀ ଶାଳରେ ଓଝା ସେବକମାନେ ଏଲ୍‍ କ୍ଲାମ୍ପ, ଧୂଳିଦଣ୍ଡା, ବିଡିଆ କଣ୍ଟା ପ୍ରସ୍ତୁତରେ ଲାଗିବା ସହ ରଥଦଣ୍ଡାରେ ଖଞ୍ଜା ଯାଇଥିବା କୋଣ ଗୁଜ ଗୁଡିକରେ ଧୂଳିଦଣ୍ଡା କଣ୍ଟା ବାଡେଇଛନ୍ତି ।

ଶୁକ୍ରବାର ଶ୍ରୀମନ୍ଦିର ନୀଳାଦ୍ରୀ ଉକ୍ତ ନିବାସ ଠାରେ କରୋନା ସଚେତନତା ସ୍ୱାସ୍ଥ୍ୟ ଶିବିରର ଥିଲା ଚତୁର୍ଥ ଦିନ । ପୂଜାପଣ୍ଡା ନିଯୋଗ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ସହିତ ଔଷଧ ବିତରଣ କରାଯାଇଥିଲା । ମୋଟ୍‍ ୧୬୧ ଜଣ ସଦସ୍ୟଙ୍କୁ ହୋମିଓପାଥିକ ଔଷଧ ପ୍ରଦାନ କରାଯାଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ, ଅନ୍ୟାନ୍ୟ ସେବକଙ୍କୁ ମିଶାଇ ମୋଟ୍‍ ୨୫୩ ଜଣଙ୍କୁ ଶୁକ୍ରବାର ଔଷଧ ବଣ୍ଟା ଯାଇଛି । ଶନିବାର ଶେଷ ଦିନରେ ଗରାବଡୁ ନିଯୋଗ ଏବଂ ତାଙ୍କ ପରିବାର ସଦସ୍ୟ ସହିତ ହୋମିଓପାଥି ଔଷଧ ସଂଗ୍ରହ କରିନଥିବା ଅନ୍ୟ ସେବାୟତଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବ ।