ମହାନଦୀ ଗର୍ଭରୁ ଠାବ ଗୋପୀନାଥ ମନ୍ଦିରର ପୁନଃଉଦ୍ଧାର ଓ ସ୍ଥାନାନ୍ତରଣ ନେଇ ପତ୍ର ଲେଖିଲେ ଧର୍ମେନ୍ଦ୍ର : କେନ୍ଦ୍ରମନ୍ତ୍ରୀଙ୍କ ପଦକ୍ଷେପକୁ ଧନ୍ୟବାଦ ଦେଲେ ସିଦ୍ଧାର୍ଥ

ନୟାଗଡ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକର ପଦ୍ମାବତୀ ଗ୍ରାମ ନିକଟରେ ମହାନଦୀ ଗର୍ଭରେ ଠାବ ହୋଇଥିଲା 500 ବର୍ଷ ପୁରାତନ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନଃଉଦ୍ଧାର କରାଯିବା ସହ ମନ୍ଦିରକୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାର ଅଧିକାରୀ ମାନଙ୍କୁ ନିର୍ଦେଶ ଦେବାନିମନ୍ତେ ପତ୍ର ଲେଖି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |

କେନ୍ଦ୍ରମନ୍ତ୍ରୀ ତାଙ୍କ ପତ୍ର ରେ ଉଲ୍ଲେଖ କରିଛନ୍ତି ଯେ, ନୟାଗଡ ଜିଲ୍ଲାର ମହାନଦୀରେ 500 ବର୍ଷ ତଳର ଗୋପୀନାଥ ମନ୍ଦିର ଦୃଶ୍ୟମାନ ହେଉଛି | ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଆଣ୍ଡ କଲଚରାଲ ହେରିଟେଜ (ଇନଟାକ ) ଏହି ମନ୍ଦିରର ପରୀକ୍ଷଣ କରୁଥିବାବେଳେ ଏହି ମନ୍ଦିରର ପ୍ରମୁଖ ମହତ୍ତ୍ୱ ରହିଛି |

ନଦୀଗର୍ଭରେ ଲୀନ ହୋଇଯାଉଥିବା ଏହି ପ୍ରତିମା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମର ବୈଦେଶ୍ୱର ନିକଟ ମହାନଦୀ ମଝିରେ ଠାବ ହୋଇଛି | 55 ରୁ 60 ଫୁଟ ଜଳମଗ୍ନ ଏହି ମନ୍ଦିର ଚୁଡ଼ାର କାରୁକାର୍ଯ୍ୟ ଏବଂ ନିର୍ମାଣ ନିମନ୍ତେ ବ୍ୟବହୃତ ସାମଗ୍ରୀକୁ ବିଚାରକୁ ନେଇ ମନ୍ଦିରଟି 15ଶହ ଶତାବ୍ଦୀର ଶେଷ କିମ୍ବା 16 ଶହ ଶତାବ୍ଦୀର ପ୍ରାରମ୍ଭରେ ତିଆରି ହୋଇଥିବା ଜଣାପଡୁଛି | 1933 ମସିହାରେ ହୋଇଥିବା ବନ୍ୟାରେ ଏହି ମନ୍ଦିରଟି ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଆକଳନ କରାଯାଉଛି |

ଏହି ପରିପ୍ରେକ୍ଷୀରେ ଏହି ମନ୍ଦିରର ଅଜ୍ଞାତ ଇତିହାସ, ସଂସ୍କୃତି ଏବଂ ଧାର୍ମିକ ମହତ୍ତ୍ୱକୁ ଧ୍ୟାନରେ ରଖି ଓଡିଶାବାସୀଙ୍କ ପାଇଁ ମନ୍ଦିରର ପୁନଃଉଦ୍ଧାର କାର୍ଯ୍ୟ କରିବା ସହ ମନ୍ଦିରକୁ ଅନ୍ୟ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ର ଜରିଆରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ପଟେଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି |

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଉଦ୍ୟମକୁ ସ୍ୱାଗତ ଓ ପ୍ରଶଂସା କରିଛନ୍ତି ଖଣ୍ଡପଡା ଯୁବରାଜ ତଥା ବିଜେପି ନେତା ଓ ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ | ଖଣ୍ଡପଡା ରାଜପରିବାର ସଦସ୍ୟ ଭାବେ ଶ୍ରୀ ପ୍ରଧାନଙ୍କୁ ବ୍ୟକ୍ତିଗତ ଭାବେ ଧନ୍ୟବାଦ ଜଣାଇଛନ୍ତି ସିଦ୍ଧାର୍ଥ | ଏଏସଆଇ ଗବେଷଣା କଲେ ମନ୍ଦିର ସମ୍ପର୍କରେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି ଯୁବରାଜ ସିଦ୍ଧାର୍ଥ |