ରାଜ୍ୟସଭା ଗଲେ ଦୁଇ ମହାରାଜା

ଯେଉଁ ରାଜ୍ୟସଭା ଆସନ କାରଣ ଯୋଗୁଁ ମଧ୍ୟପ୍ରଦେଶରେ କମଲନାଥ ସରକାର ଭାଙ୍ଗି ଯାଇଥିଲା, ଯେଉଁ ଦୁଇ ରାଜପରିବାରର ସଦସ୍ୟଙ୍କ ମଧ୍ୟରେ ଏହି ଆସନ ପାଇଁ ବିବାଦକୁ ନେଇ କଂଗ୍ରେସ ଦଳ ଭାଗ ଭାଗ ହୋଇଥିଲା ସେହି ଦୁଇ ମହାରାଜ ରାଜ୍ୟସଭା ସିଟ ହାତେଇବାରେ ସଫଳ ହୋଇଛନ୍ତି| ଗୋଆଲିୟର ମହାରାଜ ଜ୍ୟୋତିରଦିତ୍ୟ ସିନ୍ଧିଆ ଓ ରାଘୋଗଡ଼ର ମହାରାଜ ଦିଗବିଜୟ ସିଂହ ଉଭୟ ରାଜ୍ୟସଭା ନିର୍ବାଚନରେ ଜିତାପଟ ହାସଲ କରିଛନ୍ତି|
ମଧ୍ୟପ୍ରଦେଶରେ ତିନୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ଦୁଇଟି ଆସନ ବିଜେପି ହାତକୁ ଯାଇଥିବା ବେଳେ କଂଗ୍ରେସକୁ ମିଳିଛି ଗୋଟିଏ ଆସନ|

ବରିଷ୍ଠ କଂଗ୍ରେସନେତା ଦିଗବିଜୟ ସିଂହଙ୍କୁ 57 ଟି ଭୋଟ ମିଳିଥିବା ବେଳେ ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିବା ଜ୍ୟୋତିରଦିତ୍ୟଙ୍କୁ ମିଳିଛି 56ଟି ଭୋଟ, ସେହିପରି ଅନ୍ୟତମ ବିଜେପି ପ୍ରାର୍ଥୀ ସୁମେର ସିଂ ସୋଲଙ୍କିଙ୍କୁ ମିଳିଛି 55 ଟି ଭୋଟ| ନିର୍ବାଚନହାରିଯାଇଥିବା କଂଗ୍ରେସପ୍ରାର୍ଥୀ ଫୁଲ ସିଂ ବରାଇଆଙ୍କୁ ମିଳିଛି 36 ଟି ଭୋଟ|
କିଛି ମାସତଳେ ହାତ ଛାଡି ପଦ୍ମଧରିଥିବା ସିନ୍ଧିଆଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଥିଲା| ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଦିଗି ରାଜା ଓ ଜ୍ୟୋତିରଦିତ୍ୟଙ୍କ ରାଜ୍ୟସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଥିଲା|