ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପୁରୀ ଗଜପତି

ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମ୍ପାଦନ କରିବାନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ଗଜପତି ମହାରାଜ| ପରିଚାଳନା କମିଟିର ନିଷ୍ପତି ଆଧାରରେ ଚିଠି ଲେଖିଲେ ଗଜପତି| ରାୟର ପୁନଃବିଚାର ନେଇ ସୁପ୍ରିମକୋର୍ଟ ଯିବାକୁ କଲେ ଅନୁରୋଧ| କୋଭିଡ ନିୟମ ଓ ସାମାଜିକ ଦୂରତା ରକ୍ଷାକରି ରଥଯାତ୍ରା କରିବାକୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଗଜପତି ପତ୍ରରେ ଉଲ୍ଲେଖ କରିଛନ୍ତି|ରଥଯାତ୍ରାର ଅନେକ ଉଦାହରଣ ରଖି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗଜପତି| ଗତ ଗୁରୁବାରଦିନ ସୁପ୍ରିମକୋର୍ଟ ନିର୍ଦେଶ ଦେବାପରେ ଦ୍ୱନ୍ଦରେ ପଡିଯାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ଆଉ ଦୁଃଖରେ କୋଟି କୋଟି ଜଗନ୍ନାଥ ପ୍ରେମୀ|

ତେବେ ଦୀର୍ଘ ୨୮୭ ବର୍ଷ ପରେ ରଥଯାତ୍ରା ବନ୍ଦ ହେବାନେଇ ନିଷ୍ପତି ହୋଇଥିବାବେଳେ ପ୍ରଥମଥର ଲାଗି ମାନ୍ୟବର କୋର୍ଟ ଏଭଳି ନିଷ୍ପତି ଶୁଣାଇଛନ୍ତି| ତେବେ ଶୁକ୍ରବାର ପରିଚାଳନା କମିଟିର ବୈଠକ ପରେ ଉଦବେଗ ପ୍ରକାଶ କରିଥିଲେ| ଗଣମାଧ୍ୟମକୁ ଗଜପତି କହିଥିଲେ| ସରକାର ଆମ ଭାବନାକୁ ଗ୍ରହଣ କଲେ ନାହିଁ, ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ପରିଚାଳନା କମିଟିର।ପରାମର୍ଶ ଥିଲା| କିନ୍ତୁ ରାଜ୍ୟ ସରକାରଙ୍କ ତରଫରୁ ଏହା କୋର୍ଟରେ କୁହାଯାଇନାହିଁ ବୋଲି ଗଜପତି ଉଦବେଗ ପ୍ରକାଶ କରିଥିଲେ|
ପୁରୀ ରଥଯାତ୍ରାର ସ୍ୱତନ୍ତ୍ର ମହତ୍ତ୍ୱ ଓ ଗୁରୁତ୍ୱ ଥିବାରୁ ଏହା ବନ୍ଦ ହେବା ଉଚିତ ନୁହେଁ ବୋଲି ଗଜପତି ପତ୍ରରେ ଲେଖିଛନ୍ତି| ଶାସ୍ତ୍ର, ତତ୍ୱ ଓ ଆଇନଗତ ଧାର୍ମିକ ଭାବନା ଦୃଷ୍ଟିରୁ ରଥଯାତ୍ରା ହେବା ଉଚିତ ବୋଲି ଗଜପତି ଲେଖିଛନ୍ତି|ଆଇନତଃ ପରିଚାଳନା କମିଟି ରଥଯାତ୍ରା କରିବାକୁ ବାଧ୍ୟ ବୋଲି ଗଜପତି ପତ୍ରରେ ଉଲ୍ଲେଖ କରିଛନ୍ତି| ଏନେଇ ରାଜ୍ୟସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଗଜପତି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି|