ଶରଧାବାଲିରେ ମହାପ୍ରଭୁ

ଭାଇ ଭଉଣୀଙ୍କୁ ଧରି ରତ୍ନବେଦୀରୁ ଜନ୍ମବେଦୀ ବାହାରିଥିବା ମହାପ୍ରଭୁ ଶରଧାବାଲିରେ ପହଂଚିଛନ୍ତି | ମା ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡି ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଘୋଷଯାତ୍ରାରେ ମାଉସୀ ଘରକୁ ଆସିଥିବା କାଳିଆଠାକୁର ଶରଧାବାଲିରେ ଅଟକିଛନ୍ତି |

ଚଳିତବର୍ଷ ବିନା ଭକ୍ତରେ ହୋଇଛି ରଥଯାତ୍ରା | କରୋନା ମହାମାରୀ ଯୋଗୁଁ ବିନା ଭକ୍ତରେ କୋଭିଡ କଟକଣା ମଧ୍ୟରେ ରଥଯାତ୍ରା ସମ୍ପାଦନ ନେଇ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ | ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ମୁତାବକ ସୀମିତ ସେବାୟତ ଓ ପୋଲିସ କର୍ମଚାରୀଙ୍କୁ ନେଇ ରଥଯାତ୍ରାର ଆୟୋଜନ କରିଥିଲେ ରାଜ୍ୟସରକାର |
ନୀତିକାନ୍ତି ଅନୁସାରେ ସକାଳୁ ସକାଳୁ ପ୍ରଭୁ ବଳଭଦ୍ର, ମା ସୁଭଦ୍ରା ଓ କାଳିଆ ଠାକୁରଙ୍କୁ ପହଣ୍ଡି କରାଇ ତିନି ରଥକୁ ଆଣିଥିଲେ ସେବାୟତ |

ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହେବା ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ରଥକୁ ଆସି ଠାକୁରଙ୍କୁ ଦର୍ଶନ କରିଥିଲେ..
ରୁପା ପାଲିଙ୍କିରେ ବସି ଶ୍ରୀ ନଅରରୁ ବାହାରି ତିନି ରଥରେ ସୁନାବେଣ୍ଟଲଗା ଖଡ଼ିକାରେ ଛେରାପହଁରା କରିଥିଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ|

ଗଜପତିଙ୍କ ଛେରାପହଁରା ନୀତି ଶେଷ ହେବା ପରେ ରଥ ଟଣା ଆରମ୍ଭ କରିଥିଲେ ସେବାୟତ ଓ ପୋଲିସ କର୍ମଚାରୀ |
ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଟଣା ଆରମ୍ଭ ହେବା ପରେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାକାର୍ଯ୍ୟ କରାଯାଇଥିଲା |

ଗୁଣ୍ଡିଚାମନ୍ଦିର ସମ୍ମୁଖରେ ପ୍ରଥମେ ତାଳଧ୍ୱଜ, ତା ପରେ ଦେବଦଳନ ରଥ ପହଂଚିଥିବା ବେଳେ ଶେଷରେ ପହଂଚିଥିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ | ନିଜ ଜନ୍ମବେଦୀ ମାଉସୀମା ମନ୍ଦିର ସମ୍ମୁଖରେ ଶରଧାବାଲିରେ ଏବେ ତିନିରଥ ବିଦ୍ୟମାନ |

ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମସ୍ତଙ୍କୁ ବିଶେଷକରି ସେବାୟତ, ପୁରୀ ଜିଲ୍ଲା ପଶାସନ, ଶ୍ରୀ ମନ୍ଦିର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ପୁରୀର ଜନସାଧାରଶକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି।