ରଥ ପଥ ପ୍ରସ୍ତୁତ…

ଦର୍ଶନ ଦେବେ ମହାପ୍ରଭୁ.. ରଥାରୁଢ଼ ହେବେ ଚତୁର୍ଦ୍ଧା ମୂର୍ତ୍ତି ।ବଡଦାଣ୍ଡରେ ଗଡିବ ତିନି ରଥ । ରଥଯାତ୍ରା ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଠାରୁ ଅନୁମତି ମିଳିବା ପରେ ଏବେ ଆରମ୍ଭ ହୋଇଯାଇଛି ଚୂଡାନ୍ତ ପ୍ରସ୍ତୁତି । ରାଜ୍ୟସରକାର, ଶ୍ରୀମନ୍ଦିର ପ୍ରଶାସନ ସମସ୍ତେ କାଳିଆ ଠାକୁରଙ୍କ ଯାତ୍ରାକୁ ନେଇ ବେଶ ଉତ୍ସାହିତ ଓ ତତ୍ପର।

ରଥଯାତ୍ରା କିଭଳି ଶୃଙ୍ଖଳା ପରିସର ଓ କୋଭିଡ ଗାଇଡଲାଇନ ମଧ୍ୟରେ ସମ୍ପାଦିତ ହୋଇପାରିବ ସେ ନେଇ ଚାଲିଛି ପ୍ରସ୍ତୁତି।

ଆଉ ମାତ୍ର କିଛି ଘଣ୍ଟା ହାତରେ ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏନେଇ ବୈଠକ କରିଛନ୍ତି । ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗଜପତି ମହାରାଜ ଓ ଶ୍ରୀମନ୍ଦିର ପ୍ରଶାସକ ।

ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର କ୍ରିଷନ କୁମାର କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି କରାଯାଉଛି ।
ପ୍ରତି ରଥରେ ଉପରେ ମାତ୍ର ଦଶ ଜଣ ସେବାୟତ ରହିବେ, ଅନ୍ୟ ସମସ୍ତ ସେବାୟତ ରଥ ତଳେ ରହିବେ.. ସେହିପରି ପ୍ରତ୍ୟେକ ରଥକୁ ମୋଟ ପାଞ୍ଚଶହ ସେବାୟତ ଓ ପୋଲିସ କର୍ମଚାରୀହିଁ ଟାଣି ପାରିବେ । ତେଣୁ ତିନି ରଥଟଣା କାର୍ଯ୍ୟରେ ସର୍ବମୋଟ 1500 ସେବାୟତ ଓ ପୋଲିସ କର୍ମଚାରୀ ସାମିଲ
ହୋଇପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି.
75 ପ୍ରତିଶତ ସେବାୟତଙ୍କ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ଅନ୍ୟମାନଙ୍କର ପରୀକ୍ଷା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟ ଜାରି ରଖିଥିବା ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି ।
ପୁରୀକୁ ସଟଡାଉନ ଘୋଷଣା କରାଯାଇଥିବା ବେଳେ ବସ, ଟ୍ରେନ ଓ ଯାନବାହାନ ଚଳାଚଳ ଉପରେ ମଧ୍ୟ ରୋକ ଲଗାଯାଇଛି ।