ପ୍ରତୀକ୍ଷାର ଅନ୍ତ – ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆରମ୍ଭ ହେଲା କୋଭିଡ-୧୯ ଟିକାକରଣ

ଭାରତ ସ୍ୱାଧୀନ ହେବା ପରେ ଦେଶର ଅନ୍ୟତମ ବଡ ଅଭିଯାନ କୋଭିଡ-୧୯ ଟିକାକରଣର ଶୁଭାରମ୍ଭ ହୋଇଥିବା ବେଳେ ଶନିବାର ଏହି ଅଭିଯାନରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟ ସାମିଲ ହୋଇଛି । ଏହି ମହାମାରୀକୁ ପ୍ରତିହିତ କରିବା ପାଇଁ ଆରମ୍ଭ ହୋଇଥିବା ସବୁଠାରୁ ବଡ ଟିକାକରଣ ଅଭିଯାନ ଏକ ଆନନ୍ଦ ଏବଂ ଆଶ୍ୱସ୍ଥିକର ବାତାବରଣ ସୃଷ୍ଟି କରିଥିବା ବେଳେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ।


ଟିକା ଗ୍ରହଣ କରିବା ପରେ ପ୍ରଫେସର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ଦିନ ପାଇଁ ଆମେ ଦୀର୍ଘ ୬ ମାସରୁ ଅଧିକ ସମୟ ଅପେକ୍ଷା କରିଥିଲୁ । ଟିକା ଗ୍ରହଣ କରିଥିବାରୁ ମୁଁ ଖୁବ୍ ଖୁସୀ । ପୂର୍ବରୁ ଆମ ହସ୍ପିଟାଲ୍ କୋଭାକ୍ସିନ୍ ଟିକାର ପରୀକ୍ଷଣ ନିମନ୍ତେ ମନୋନୀତ ହୋଇଥିବାରୁ ଏହା ମଧ୍ୟ ଖୁବ୍ ଗର୍ବର ବିଷୟ । ଟିକା ଗ୍ରହଣ କରିବା ପରେ ପ୍ରଫେସର ମହାପାତ୍ରଙ୍କୁ ୩୦ ମିନିଟ୍ ନୀରିକ୍ଷଣ ନିମନ୍ତେ ରଖାଯାଇଥିଲା । ଏହା ପରେ ସେ ଗଣମାଧ୍ୟମକୁ ଭେଟି ତାଙ୍କ ମତ ରଖିଥିଲେ ।


ଟିକା ର ପ୍ରଥମ ଡୋଜ୍ ଗ୍ରହଣ କରିବା ପରେ ସେ କିପରି ଅନୁଭବ କରୁଛନ୍ତି ବୋଲି ପ୍ରଶ୍ନର ଉତର ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହି ଟିକାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ଏହି ଟିକା ମୃତ ଭାଇରସ୍‌କୁ ନେଇ ତିଆରି ହୋଇଛି ଏବଂ ଖୁବ୍ ପ୍ରଭାବଶାଳୀ । ଏହି କରୋନା ମହାମାରୀ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇ ଥିବା ପ୍ରଚ୍ଛଦପଟ୍ଟରେ କୌଣସି ଭୟ ନ କରି ଟିକା ଗ୍ରହଣ କରି କରୋନା ସହ ଯୁଦ୍ଧ କରିବା ଆବଶ୍ୟକ ବୋଲି ପ୍ରଫେସର ମହାପାତ୍ର କହିଥିଲେ ।


ଆମେ ଯେତେବେଳେ ମୋଟର ସାଇକେଲ୍ ଚଲାଉଛୁ କିମ୍ବା ଉଡାଜାହାଜରେ ବସୁଛୁ ସେତେବେଳେ ଦୁର୍ଘଟଣା ହେବାର ଅନେକ ସମ୍ଭାବନା ଥିବା ବେଳେ ମଧ୍ୟ ଆମେ ଭୟ କରୁନୁ । ତେବେ ଟିକା ନେବାରେ କାହିଁକି ଭୟ କରିବା ବୋଲି ପ୍ରଶ୍ନ କରିଥିଲେ ପ୍ରଫେସର ମହାପାତ୍ର । ୨୮ ଦିନ ପରେ ସେ ଟିକାର ଦ୍ୱିତୀୟ ଡୋଜ ନେବେ ବୋଲି ସୂଚନା ଦେଇଥିଲେ ।


ପ୍ରଥମ ଦିନ ପ୍ରାୟ ୧୦୦ ଜଣ ଡାକ୍ତର, ନର୍ସ, ପାରାମେଡିକ୍ସ ଓ ସଫେଇ କର୍ମଚାରୀଙ୍କ ଭଳି ସ୍ୱାସ୍ଥ୍ୟ ସେବାକର୍ମୀଙ୍କୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଟିକା ପ୍ରଦାନ କରାଯାଇଛି । ରାଜଧାନୀରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସହ ୬ଟି ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ଟିକାକରଣ ନିମନ୍ତେ ସାମିଲ କରାଯାଇଛି । ଓଡ଼ିଶାରେ ୨ଟି ଭାକ୍ସିନ୍‌, କୋଭାକ୍ସିନ୍ ଓ କୋଭିସିଲ୍ଡ ବ୍ୟବହାର କରାଯାଉଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସମେତ ବିଏମ୍‌ସି ଅଧିନରେ ଥିବା ଅଂଚଳଗୁଡ଼ିକରେ କୋଭାକ୍ସିନ୍ ଟିକା ପ୍ରଦାନ କରାଯାଉଛି ।


ଏହି ଟିକାକରଣ କାର୍ଯ୍ୟକ୍ରମରେ ପ୍ରଫେସର ମହାପାତ୍ରଙ୍କ ସମେତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାରର ଅନେକ ଡାକ୍ତର ସାମିଲ୍ ଥିଲେ । ଏହି ଡାକ୍ତରମାନେ ହେଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡଃ ବାନାମ୍ବର ରାୟ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ଡିନ୍ ପ୍ରଫେସର ଅଜୟ କୁମାର ଜେନା, ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ଡଃ ରାଜେଶ ଲେଙ୍କା, କମ୍ୟୁନିଟି ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ, ସମ୍ ହସ୍ପିଟାଲ୍‌ରେ କୋଭାକ୍ସିନ୍ ପରୀକ୍ଷଣର ପ୍ରମୁଖ ପରୀକ୍ଷକ ପ୍ରଫେସର ଇ. ଭେଙ୍କଟ ରାଓ ଏବଂ ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗର ପ୍ରଫେସର (ଡଃ) ପ୍ରଦୀପ୍ତ ଶେଖର ପାତ୍ର ।


ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ୬ଟି ଅସ୍ଥାୟୀ ହଲ୍ ପ୍ରସ୍ତୁତ କରାଯାଇଥିବା ବେଳେ ୨ଟି ହଲ୍‌କୁ ରେଜିଷ୍ଟ୍ରେସନ୍‌, ୨ଟିକୁ ଟିକାକରଣ ଏବଂ ୨ଟି ହଲ୍‌କୁ ଟିକା ଗ୍ରହଣ କରିବା ବ୍ୟକ୍ତି ୩୦ ମିନିଟ୍ ବିଶ୍ରାମ ନେବା ନିମନ୍ତେ ପ୍ରସ୍ତୁତ କରାଯାଇଛି । ଯଦିଓ କୌଣସି ପ୍ରକାର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ ତେବେ ବି ଜରୁରୀକାଳୀନ ଆବଶ୍ୟକତା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।


ଓଡ଼ିଶାରେ କୋଭିଡ-୧୯ ମହାମାରୀର ମୁକାବିଲା ନିମନ୍ତେ ଆରମ୍ଭ ହୋଇଥିବା ଯୁଦ୍ଧରେ ସୋଆ ସାମିଲ୍ ହୋଇଥିବା ବେଳେ ସରକାରଙ୍କ ସହଭାଗିତାରେ ୨୨୦୦ ରୁ ଊର୍ଦ୍ଧ୍ୱ ଶଯ୍ୟାବିଶିଷ୍ଟ ୪ଟି କୋଭିଡ ହସ୍ପିଟାଲ୍ ଏବଂ ୨ଟି କୋଭିଡ କେୟାର ସେଂଟର୍ ଆରମ୍ଭ କରାଯାଇ ସଂକ୍ରମିତମାନଙ୍କୁ ଉତମ ଚିକିତ୍ସା ପ୍ରଦାନ କରାଯାଇଥିଲା । ଭୁବନେଶ୍ୱର, କେନ୍ଦ୍ରାପଡା, ତାଳଚେର ଏବଂ ଚାନ୍ଦପୁରରେ ୪ଟି କୋଭିଡ ହସ୍ପିଟାଲ୍ ଓ ଜଟଣୀ ଓ ଜାମୁଝରୀରେ ୨ଟି କୋଭିଡ କେୟାର ସେଂଟରରେ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଥିଲା ।