ଦୁର୍ଦ୍ଦଶାରେ ବିଡି ଶ୍ରମିକ, ସରକାରୀ ସହାୟତା ଦାବି

By ସରୋଜ କୁମାର ଚୌଧୁରୀ

 
ଖଣ୍ଡପଡା, ୧/୦୭: ଖଣ୍ଡପଡା ବ୍ଲକ   ଅଧିନରେ ଥିବା  ବିଭିନ୍ନ ଗ୍ରାମରେ ୩ହଜାରରୁ ଉର୍ଦ୍ଧ୍ବ ବିଡି ଶ୍ରମିକ ପରିବାର ରହିଛନ୍ତି। ପରିବାର ପ୍ରତିପୋଷଣ ନିମନ୍ତେ ଦୈନିକ ସେମାନେ  ବିଡି ତିଆରି କରିଥାନ୍ତି । ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରି ତାକୁ ଖରାରେ ଶୁଖାଇ କେନ୍ଦୁପତ୍ରରେ ଜର୍ଦା ବା ପତି ଦେଇ ମୋଡି ଥାଆନ୍ତି । ଜଣେ କାରୀଗର ୧ହଜାର ବିଡି ତିଆରି କରୁଥିବାବେଳେ ପାରିଶ୍ରମିକ ଭାବରେ ମାତ୍ର  ୭୦ଟଙ୍କା ପାଇଥାନ୍ତି | ଏନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କଠିନ ପରିଶ୍ରମ ବଦଳରେ ଉଚିତ୍ ପାରିଶ୍ରମିକ ମିଳୁନଥିବାରୁ ବିଡି ଶ୍ରମିକ ପରିବାର ଦଃଖ ଓ ଦୁର୍ଦ୍ଦିନରେ ଦିନକାଟୁଥିବା ଜଣାପଡିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି । ସାଂପ୍ରତିକ ପରିସ୍ଥିତିରେ କରୋନା କଟକଣା ଯୋଗୁଁ ବିଡି ଶ୍ରମିକ ପରିବାର ବିଭିନ୍ନ ସମସ୍ୟା ମଧ୍ଯଦେଇ ଗତି କରୁଥିଲେହେଁ ଉଭୟ  କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ପକ୍ଷରୁ ଟଙ୍କା ଟିଏ ଆର୍ଥିକ ସହାୟତା ରାଶି ମିଳିନଥିବା ଅଭିଯୋଗ ହେଉଛି । ସରକାର ନିର୍ମାଣ ଶ୍ରମିକମାନଙ୍କୁ ଅର୍ଥିକ ସହାୟତା ରାଶି ପ୍ରଦାନ କରୁଥିବା ବେଳେ ବିଡି ଶ୍ରମିକ ପରିବାର ଗୁଡିକ ସରକାରୀ ସହାୟତା ରାଶିରୁ ବଞ୍ଚିତ ହୋଇଥିବା ଜଣାପଡିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।