ବିଭିନ୍ନ ତାରିଖରେ ପଠାଣି ସାମନ୍ତଙ୍କ ଜୟନ୍ତୀ ପାଳନ ଏକ ଭୁଲ୍ ପରମ୍ପରା, ଏହି ପରମ୍ପରାର ସଂଶୋଧନ କରାଯାଉ: ସିଦ୍ଧାର୍ଥ

ପବିତ୍ର ପୌଷ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଅନୁଯାୟୀ ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କର ୧୮୭ ତମ ଜନ୍ମ ଜୟନ୍ତୀ ତାଙ୍କର ଜନ୍ମଭୂମି ଖଣ୍ଡପଡାଗଡ଼ ଠାରେ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ “ମୁଁ ବଘେଲ୍‌” ପକ୍ଷରୁ ଗତ ଡିସେମ୍ବର ୨୭ ତାରିଖ ଦିନ ପାଳିତ ହୋଇଯାଇଛି । ଜନ୍ମ ଜୟନ୍ତୀରେ ସକାଳୁ ସାମନ୍ତଙ୍କ ବାସଭବନ, ବଜାର ଓ ରଥଗଢ଼ା ଛକଠାରେ ଥିବା ସାମନ୍ତଙ୍କ ପ୍ରତିମୂର୍ତିରେ “ମୁଁ ବଘେଲ, ସାମାଜିକ ଓ ସାଂସ୍କୃତିକ ବିଚାର ମଂଚ” ପକ୍ଷରୁ ମାଲ୍ୟାର୍ପଣ କରାଯିବା ସହ ନଗର ପରିକ୍ରମା କରାଯାଇଥିଲା ।

ଏହି ଅବସରରେ ଖଣ୍ଡପଡା ଜଗନ୍ନାଥ ମନ୍ଦିର ପରିସରରେ “ମୁଁ ବଘେଲ” ପରିବାର ପକ୍ଷରୁ ଅପରାହ୍ଣ ୪ଟାରେ ମଂଚ ନିକଟରେ ନାମ ସଂକୀର୍ତନ ହେବା ସହ କୁନି ପ୍ରତିଭାମାନଙ୍କ ଦ୍ୱାରା ନାଚ ଗୀତ ପରିବେଷଣ କରାଯାଇଥିଲା । ସନ୍ଧ୍ୟା ୬ ଘଟିକା ସମୟରେ ଅତିଥିମାନେ ଉପସ୍ଥିତ ରହି ସାମନ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆବାହକ ଧନେଶ୍ୱର ମହାପାତ୍ରଙ୍କ ସ୍ୱାଗତ ଭାଷଣ ପରେ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଜନ୍ମେଜୟ ଦଳେଇ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର ଜିତେନ୍ଦ୍ର ନାରାୟଣ ଦାଶ ବେନହୁର ସଭାପତିତ୍ୱ କରିଥିବା ବେଳେ ସାହିତ୍ୟିକ କୁଳମଣି ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଡ଼ ଭାରତୀ ଭୂଷଣ ରଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସାମନ୍ତଙ୍କ କୀର୍ତିରାଜିକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ରୂପେ ବରିଷ୍ଠ ଆଇନ୍‌ଜୀବି ଗିରିଜା ଶଙ୍କର ତରାଶିଆ, ପଣ୍ଡିତ ମନୋଜ କୁମାର ଦାଶ ଏବଂ ଅନୁଷ୍ଠାନର ପୃଷ୍ଠପୋଷକ ତଥା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ଖଣ୍ଡପଡା ରାଜପରିବାରର ଯୁବରାଜ ତଥା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ପଠାଣି ସାମନ୍ତଙ୍କ ଜନ୍ମ ଜୟନ୍ତୀକୁ ଭିନ୍ନ ଭିନ୍ନ ତାରିଖରେ ପାଳନ କରାଯିବା ପ୍ରସଙ୍ଗକୁ ନେଇ ଉଦ୍‌ବେଗ ଓ ଦୁଃଖ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ ଉଲ୍ଲେଖ କରି ସିଦ୍ଧାର୍ତ କହିଛନ୍ତି ଯେ ଭିନ୍ନ ଭିନ୍ନ ତାରିଖରେ ସାମନ୍ତଙ୍କ ଜନ୍ମଜୟନ୍ତୀ ପାଳନ ଏକ ଭୁଲ ପରମ୍ପରା, ଏହି ପରମ୍ପରାର ସଂଶୋଧନ କରାଯାଉ ।

ସିଦ୍ଧାର୍ଥ କହିଛନ୍ତି ସେ ବିଧାୟକ ଥିବା ସମୟରେ ପଠାଣି ସାମନ୍ତଙ୍କ ଜନ୍ମ ଜୟନ୍ତୀର ସଠିକ ତାରିଖକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଆବେଗକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ସେ ବିଧାନସଭାରେ ପ୍ରଶ୍ନ ରଖିଥିଲେ ।

୨୦୧୧ ମସିହାରେ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଏହାର ତର୍ଜମା ଆରମ୍ଭ କରିଥିଲେ । ୨ ବର୍ଷ ପରେ ୨୦୧୩ରେ ଏକ ନିର୍ଦ୍ଦେଶନାମା ବଳରେ ସାମନ୍ତଙ୍କ ଜନ୍ମ ଜୟନ୍ତୀ ହିନ୍ଦୁ ଶାସ୍ତ୍ର ଓ ତିଥି ଅନୁଯାୟୀ ପ୍ରତିବର୍ଷ ପୌଷ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରିବା ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ । ଏନେଇ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ବିଧାନସଭାରେ ଉତର ରଖିଥିଲେ ।

ତେବେ ସରକାରଙ୍କ ନିର୍ଦ୍ଦେଶନାମା ସତ୍ୱେ ସ୍ଥାନୀୟ ପ୍ରଶାସନ ଓ କିଛି ଅନୁଷ୍ଠାନ ଭିନ୍ନ ଭିନ୍ନ ତାରିଖରେ ଏହି ମହାନ୍ ବ୍ୟକ୍ତିତ୍ୱଙ୍କ ଜନ୍ମ ଜୟନ୍ତି ପାଳନ କରିବା ବିଡ଼ମ୍ବନାର ବିଷୟ ଓ ଏହା କେବଳ ଜନସାଧାରଙ୍କୁ ବିଭ୍ରାନ୍ତ କରିବା ଭଳି କାର୍ଯ୍ୟ ବୋଲି କହିଛନ୍ତି ସିଦ୍ଧାର୍ଥ ।

କାର୍ଯ୍ୟକ୍ରମ ପରିଶେଷରେ ଆଇନଜୀବି ବିକ୍ରମ କେଶରୀ ଦେଓ ସମ୍ପାଦକୀୟ ପଠନ କରିବା ପରେ ବିଭିନ୍ନ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବ୍ୟକ୍ତି ବିଶେଷଙ୍କୁ ମୁଁ ବଘେଲ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଶେଷରେ କୁନି ପ୍ରତିଭା ମାନଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।