ରାଜ୍ୟସ୍ତରୀୟ ଓପନ ପିସ୍ତଲ ସୁଟିଂରେ ବ୍ରୋଞ୍ଜ ଜିତିଲେ ଆଦ୍ରୀଜା

ଛତିଶଗଡ଼ର ରାୟପୁର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ୧୦ ମିଟର ଓପନ ପିସ୍ତଲ ସୁଟିଂ ପ୍ରତିଯୋଗିତାରେ ଓଡ଼ିଶାର ଆଦ୍ରୀଜା କୁମାରୀ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ହେଉଛନ୍ତି ଖଣ୍ଡପଡ଼ା ରାଜପରିବାର ସଦସ୍ୟ ପୂର୍ବତନ ମନ୍ତ୍ରୀ ତଥା ଉପବାଚସ୍ପତି ବିଭୂତି ଭୁଷଣ ସିଂହ ମର୍ଦ୍ଦରାଜଙ୍କ ନାତୁଣୀ । ଶ୍ରୀ ମର୍ଦ୍ଦରାଜଙ୍କ ସୂଚନା ଅନୁଯାୟୀ ଆଦ୍ରୀତା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିବା ସହ ପଶ୍ଚିମବଙ୍ଗରେ ଆୟୋଜିତ ହେବାକୁ ଥିବା ଜାତୀୟ ପିସ୍ତଲ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଏହି ପ୍ରତିଯୋଗିତାରେ ବିଜୟୀ ହେଲେ ସେ ନୂଆଦିଲ୍ଲୀ ସ୍ଥିତ ଜାତୀୟ ଦଳରେ ସାମିଲ ହୋଇପାରିବେ । ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ସିଂହଙ୍କ କନ୍ୟା ଆଦ୍ରୀଜାଙ୍କର ପିଲା ଦିନରୁ ସୁଟିଂ ପ୍ରତି ଦୁର୍ବଳତା ରହିଛି । ସେ ଏବେ ରାୟପୁର ସ୍ଥିତ ରାଜକୁମାର କଲେଜରେ ପଢ଼ୁଛନ୍ତି ଆଦ୍ରୀଜାଙ୍କ ଏହି ସଫଳତା ପାଇଁ ତାଙ୍କୁ ଖଣ୍ଡପଡ଼ାର ସବୁ ମହଲରୁ ଶୁଭେଚ୍ଛା ସୁଅ ଛୁଟିଛି ।