ଫେରିଲା ମହାପ୍ରଭୁଙ୍କ ଟଙ୍କା

ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କାର ମୂଳ ସହ ସୁଧ ଫେରାଇଲା ୟେସ୍ ବ୍ୟାଙ୍କ । ଇ-ଟ୍ରାନ୍ସଫର ମାଧ୍ୟମରେ ଏହି ଟଙ୍କା ଫେରସ୍ତ ହୋଇଛି । ୩୯୭.୨୩ କୋଟି ଟଙ୍କା ମୂଳଜମା ସହ ୮ କୋଟି ୨୩ ହଜାର ସୁଧ ଟଙ୍କା ଫେରିଛି । ୟେସ୍ ବ୍ୟାଙ୍କରୁ ଶ୍ରୀମନ୍ଦିର ଏସବିଆଇ ଆକାଉଂଟକୁ ଟଙ୍କା ଫେରିଆସିଥିବା ନେଇ ୟେସ୍ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଚିଠି ଲେଖି ଏହି ସୂଚନା ଦେଇଛନ୍ତି । ଉକ୍ତ ପତ୍ରରେ ୟେସ ବ୍ୟାଙ୍କରୁ ଶ୍ରୀମନ୍ଦିର ଏସ୍‌ବିଆଇ ଆକାଉଂଟକୁ ଟଙ୍କା ଫେରାଇ ଦିଆଯାଇଥିବା ଉଲ୍ଲେଖ ରହିଛି ।


ୟେସ ବ୍ୟାଙ୍କରେ ଗଚ୍ଛିତ ଥିବା ଟଙ୍କା ଗୁରୁବାର ଦିନ ପୁରୀ ଶ୍ରୀଜଗନ୍ନାଥଙ୍କ ବ୍ୟାଙ୍କ ଆକାଉଂଟକୁ ଫେରସ୍ତ ଆସିଛି ।


ସୂଚନାନୁଯାୟୀ ଇ-ଟ୍ରାନ୍ସଫର ମାଧ୍ୟମରେ ୩୯୭,୨୩, ୨୭,୬୩୬ କୋଟି ଟଙ୍କା ଫେରାଇ ଦିଆଯାଇଥିବା ବେଳେ ଅବଶିଷ୍ଟ ୧୫୬ କୋଟି ଟଙ୍କା ମାର୍ଚ୍ଚ ୩୦ ତାରିଖ ମାଚ୍ୟୁରିଟି ପରେ ଅର୍ଥାତ୍ ଦ୍ୱିତୀୟ କିସ୍ତିରେ ବ୍ୟାଙ୍କ ପକ୍ଷରୁ ଫେରାଇ ଦିଆଯିବ ।


ଆହୁରି ମଧ୍ୟ ୟେସବ୍ୟାଙ୍କରେ ୩୮୯ କୋଟି ମୂଳଜମା ଗଚ୍ଛିତ ଥିବା ବେଳେ ୮ କୋଟି ୨୩ ଲକ୍ଷର ସୁଧ ସହ ଫେରସ୍ତ କରାଯାଇଛି ।


ଇ-ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଉଠାଯାଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଜମା କରାଯାଇଛି । ଫଳରେ ଶ୍ରୀ ଜଗନ୍ନାଥଙ୍କ ଟଙ୍କା ମିଳିବ କି ନାହିଁ ତାକୁ ନେଇ ଦେଖାଦେଇଥିବା ସନ୍ଦେହ ପୂର୍ଣ୍ଣଚ୍ଛେଦ ପଡିଛି । ୟେସ୍ ବ୍ୟାଙ୍କ ସଙ୍କଟ ଏବଂ ସେହି ବ୍ୟାଙ୍କରୁ ଜଗାକାରୀଙ୍କ ଟଙ୍କା ଉଠାଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କ ନିର୍ଦ୍ଧିଷ୍ଟ କଟକଣା ଯୋଗୁଁ ଶ୍ରୀମନ୍ଦିରର ବିପୁଳ ଅର୍ଥ (ସ୍ଥାୟୀଜମା) ସେଠାରୁ ସ୍ଥାନାନ୍ତରଣ ସନ୍ଦେହ ସୃଷ୍ଟି ହୋଇଥିଲା ।
ଏନେଇ ବିଧାନସଭାରେ ବିରୋଧୀଦଳ ତମ୍ବିତୋଫାନ କରିଥିଲେ । କିନ୍ତୁ ସରକାର ଏଥିପାଇଁ ପଦକ୍ଷେପ ନେବା ଆର୍‌ବିଆଇ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ । ଏପରିକି ବିଜେଡି ସାଂସଦମାନେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଶ୍ରୀଜଗନ୍ନାଥଙ୍କ ଟଙ୍କା ଉଠାଣ ନେଇ ଦାବି ରଖିଥିଲେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିଶୃତି ମଧ୍ୟ ଦିଆଯାଇଥିଲା । ୧୮ ତାରିଖ ସନ୍ଧ୍ୟାରେ ୟେସ୍ ବ୍ୟାଙ୍କ ଉପରେ ଲାଗିଥିବା ଆର୍‌ବିଆଇ କଟକଣା ଉଠିବା ପରେ ତୁରନ୍ତ ଶ୍ରୀମନ୍ଦିରର ସ୍ଥାୟୀ ଜମା (ସୁଧସହ) ଏସ୍‌ବିଆଇରୁ ସ୍ଥାନାନ୍ତରିତ ହୋଇଛି ।