କରୋନା ପାଇଁ ହ୍ରାସ ପାଇଛି ଶ୍ରୀମନ୍ଦିର ଆୟ, ଅନଲାଇନରେ ଦାନ ପାଇଁ ମୁଖ୍ୟ ପ୍ରଶାସକଙ୍କ ଆହ୍ୱାନ :

କରୋନା ମହାମାରୀ ଯୋଗୁଁ ପୁରୀ ଶ୍ରୀମନ୍ଦିରର ଆୟ ଯଥେଷ୍ଟ ହ୍ରାସ ପାଇଛି । ବ୍ୟୟ ତୁଳନାରେ ଆୟ କମିଥିବାରୁ ଏହାର ଭରଣା ପାଇଁ ଅନ୍‍ଲାଇନ୍‍ରେ ଦାନ ସଂଗ୍ରହ କରାଯିବ । ଏଥିରେ ସମସ୍ତେ ସହଯୋଗ କରିବାପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆହ୍ୱାନ ଦେଇଛନ୍ତି ।

ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମନ୍ଦିର ପାଇଁ ୧୫୪କୋଟି ଟଙ୍କାର ବଜେଟ୍‍କୁ ଅନୁମୋଦନ କରାଯାଇଥିଲା । ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପରିଚାଳକ କହିଥିଲେ ଯେ ମନ୍ଦିର ବନ୍ଦ ଥିବାରୁ ହୁଣ୍ଡିରୁ କୌଣସି ଆୟ ହେଉନାହିଁ । ଫଳରେ ଶ୍ରୀମନ୍ଦିର ପାଣ୍ଠିରେ ଅର୍ଥ ହ୍ରାସ ପାଇଛି ।

ଅନ୍ୟ ପକ୍ଷରେ ଶ୍ରୀଜୀଉମାନଙ୍କର ଦୈନନ୍ଦିନ ନୀତିକାନ୍ତି ପ୍ରଥା ଅନୁଯାୟୀ ଜାରି ରହିଥିବାବେଳେ କୋଭିଡ ମଧ୍ୟରେ ରଥଯାତ୍ରା ହୋଇଥିବାରୁ ଏଥିପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ ହୋଇଛି । ଏଥି ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋଭିଡ କେୟାର ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା ।

ମନ୍ଦିର ଖୋଲିବା ପ୍ରସଙ୍ଗରେ ଡକ୍ଟର କୁମାର କହିଛନ୍ତି ଯେ ଏଥିପାଇଁ ମୁଖ୍ୟ ପରିଚାଳକଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯାଇଛି । ଭକ୍ତମାନେ କିଭଳି ଆସି ମନ୍ଦିରରେ ସୁରୁଖୁରୁରେ ଦର୍ଶନ କରିବେ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ । ନୀତି ପ୍ରଶାସକ ଓ ସେବାୟତମାନଙ୍କ ମତାମତ ଏ ସଂକ୍ରାନ୍ତରେ ଲୋଡାଯିବ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟରେ କରୋନା ସଂକ୍ରମଣ ପରଠାରୁ ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ଏପରିକି ରଥଯାତ୍ରାରେ ମଧ୍ୟ ସାଧାରଣ ଭକ୍ତମାନେ ଅଂଶଗ୍ରହର କରିନଥିଲେ । ନିକଟରେ ଅନୁଷ୍ଠିତ ହେବାକୁ ଯାଉଥିବା ଦୁର୍ଲଭ ନାଗାର୍ଜୁନ ବେଶ ବି ବିନା ଭକ୍ତରେହେବ । ପୁରୀ ଶ୍ରୀମନ୍ଦିର ଖୋଲିବାପାଇଁ ଏବେ ସବୁଠାରୁ ଚାପ ବଢୁଥିବାବେଳେ ଆଜି ଏ ନେଇ କମିଟି ଗଠନ କରାଯାଇଛି । ତେବେ ଶ୍ରୀମନ୍ଦିର କେବେ ଖୋଲିବ ସେ ସଂକ୍ରାନ୍ତରେ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ।