ସିଦ୍ଧାର୍ଥଙ୍କ ଅନୁରୋଧ ରକ୍ଷାକଲେ ସରକାର, କଣ୍ଟିଲୋ ନୀଳମାଧଵ ସେବାୟତଙ୍କୁ ପ୍ୟାକେଜ ମଞ୍ଜୁର |

ମହାପ୍ରଭୁ ଜଗନ୍ନାଥଙ୍କ ଆଦିପୀଠ କଣ୍ଟିଲୋ ନୀଳମାଧଵ ମନ୍ଦିରର ସେବାୟତ ମାନଙ୍କୁ  ଆର୍ଥିକ ପ୍ୟାକେଜ ମଞ୍ଜୁର କରିଛନ୍ତି ଓଡିଶା ଦେବୋତ୍ତର କମିଶନ | କରୋନା ମହାମାରୀ ଜନିତ ଲକଡାଉନକୁ ଦୃଷ୍ଟିରେ ରଖି ପୁରୀ ସେବାୟତଙ୍କ ଭଳି କଣ୍ଟିଲୋ ନୀଳମାଧଵ ମନ୍ଦିରର ସେବାୟତମାନଙ୍କୁ ମଧ୍ୟ ଅନୁରୂପ ଭାବେ ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ନିମନ୍ତେ ଅନୁରୋଧ କରିବା ସହ  ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ | 

ରାଜ୍ୟସରକାର ସିଦ୍ଧାର୍ଥଙ୍କ ଅନୁରୋଧ ରକ୍ଷାକରି ଓଡିଶା ଦେବୋତ୍ତର କମିଶନର  ଦୁଇ ଲକ୍ଷ ଚାଳିଶହଜାର ଟଙ୍କାର ଏକ ପ୍ୟାକେଜ ମଞ୍ଜୁର କରିଛନ୍ତି | ଏହି ଅନୁଦାନ ଅର୍ଥକୁ ମୂଳ ଆଠଘର ସେବାୟତଙ୍କ ପରିବାର ମଧ୍ୟରେ ସମାନ ଭାବେ ଦେବା ପାଇଁ  ନିର୍ଦେଶ ଦିଆଯାଇଥିବା ଜଣାପଡିଛି | 

କରୋନା ମହାମାରୀ ଓ ତତଜନିତ ଲକଡାଉନ ଭଳି ସଙ୍କଟଜନକ ପରିସ୍ଥିତିରେ ମନ୍ଦିରକୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିବାବେଳେ ସେବାୟତଙ୍କୁ ପାଉଣା ମଧ୍ୟ ମିଳୁନାହିଁ | ତେଣୁ ଏଭଳି ସଙ୍କଟ ଜନକ ପରିସ୍ଥିତିରେ ଆର୍ଥିକ ସାହାଯ୍ୟ ଦେବା ପାଇଁ ନୀଳମାଧଵ ପୂଜକ ସମାଜ ପକ୍ଷରୁ ମଧ୍ୟ ସରକାରଙ୍କୁ ଦାବି କରାଯାଇଥିଲା | ଖଣ୍ଡାପସ୍ଥିତ ଏହି ପୁରାତନ ବିଷ୍ଣୁମନ୍ଦିରର ଅନେକ ପୌରାଣିକ କିମ୍ବଦନ୍ତୀ ରହିଛି | ପୁରୀ ଜଗନ୍ନାଥ ମନ୍ଦିର ନିର୍ମାଣ ଓ କଣ୍ଟିଲୋ ନୀଳମାଧଵ ମନ୍ଦିରର ଗାଥା ସମ୍ପର୍କରେ ସମସ୍ତ ଜଗନ୍ନାଥପ୍ରେମୀ ଅବଗତ | ତେଣୁ ଅନୁରୋଧ ରକ୍ଷା କରି ସେବାୟତଙ୍କୁ ଆର୍ଥିକ ପ୍ୟାକେଜ ମଞ୍ଜୁର କରିଥିବା ହେତୁ ପ୍ରଶାସନ, ଦେବୋତ୍ତର କମିଶନ ଓ ରାଜ୍ୟସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ସିଦ୍ଧାର୍ଥ ଶେଖର ସିଂହ |