ଖଣ୍ଡପଡାରେ କ୍ୟାଟ ଫାଇଟ

ବିଜୁ ଜୟନ୍ତୀ ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ନେତା ଓ କର୍ମୀମାନଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି ବିଜେଡି ନେତା ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ | ତେବେ ଦଳର ନେତାଙ୍କ କଥା ଯେ  ବିଜେଡିର ନେତା ମାନିବା ଅବସ୍ଥାରେ ଅଛନ୍ତି ଏହା କାହିଁ ବୁଝା ପଡୁନାହିଁ | ଖାସ କରି ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ମାନିବାକୁ ପ୍ରସ୍ତୁତ ଅଛନ୍ତି ଏହା କହି ଜଣାପଡ଼ୁନାହିଁ |

ଖଣ୍ଡପଡ଼ାରେ ବର୍ତମାନର ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ମଧ୍ୟରେ ତୁ ତୁ ମେ ମେ ଏବେ ସାରା ନିର୍ବାଚନ ମଣ୍ଡଳୀର ଗଳିକନ୍ଦିରେ ଚର୍ଚାର ଖୋରାକ ଯୋଗାଇଛି | ମାନ୍ୟବର ବିଧାୟକ ସୋମ୍ୟ ବାବୁ ମନ୍ତ୍ରୀପଦ ନ ମିଳିବାର ରାଗରେ କିଛି ଦିନ ଅନ୍ତରରେ ବିଜେଡି, ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲା ଉପରେ ବିଶୋଦଗାର କରିବାରେ ଜମା ବି ସୁଯୋଗକୁ ହାତଛଡା କରୁନାହାନ୍ତି| କିଛିଦିନ ତଳେ ଏକ ଶିକ୍ଷାନୁଷ୍ଠାନରେ ଅତିଥି ଭାବେ ଯୋଗ ଦେବା ଅବସରରେ ଭାଷଣ ପ୍ରସଙ୍ଗରେ ଦଳରେ ଥିବା ନିଜର ସ୍ତିତିକୁ ନେଇ ଅସନ୍ତୋଷ ଜାହିର କରି ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ, ବିଧାୟକ ଓ  ନେତାମାନେ ଭେଟି ପାରୁନାହାନ୍ତି ବୋଲି କହିଛନ୍ତି| ସେହିପରି ମୁହଁ ଖୋଲିଲେ ଦଳରୁ ବହିଷ୍କାର କରାଯିବାର ଆଶଙ୍କା ରହୁଛି ବୋଲି ସିଧାସଳଖ କହିଛନ୍ତି |

ଯଦିଓ ବିଜେଡି ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ନେଇ ନାହିଁ ତେବେ ତାଙ୍କ ଉପରେ ବର୍ଷିଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ | ୪ ଥର ହାରିବା ପରେ ନବୀନ ବାବୁଙ୍କ ଗୋଡ ଧରି ସେ ନିର୍ବାଚନ ଜିତିଛନ୍ତି କିନ୍ତୁ ଖଣ୍ଡପଡ଼ା ଜନତାଙ୍କ ଉନ୍ନତି ଲାଗି ୪ ବର୍ଷ ଭିତରେ କିଛି କରିନାହାନ୍ତି ବୋଲି କଟାକ୍ଷ କରିଛନ୍ତି ଅନୁଭବ |

୨୦୧୯ ରେ ଅନୁଭବଙ୍କ ବଦଳରେ ସୋମ୍ୟଙ୍କୁ ଦଳ ପ୍ରାର୍ଥୀ କରିବାର ରାଗ ସ୍ପଷ୍ଟ ତାଙ୍କ ଆଚରଣ ଓ ଉଚ୍ଚାରଣ ଯେ ବାରି ହୋଇପଡୁଛି ଏହା ଆଉ ଖଣ୍ଡପଡ଼ା ବାସୀଙ୍କୁ ଅଛପା ନାହିଁ |

ତାଙ୍କ କଟାକ୍ଷର ଜବାବ କିନ୍ତୁ ଦେଇ ନାହାନ୍ତି ସୋମ୍ୟ ବାବୁ ,କାରଣ ତାଙ୍କ ଟାର୍ଗେଟ ଅନୁଭବ ନୁହନ୍ତି , କେବଳ ଏତିକି  କହିଛନ୍ତି ଭଗବାନ ତାଙ୍କର ମଙ୍ଗଳ କରନ୍ତୁ |

ତେବେ ଏଠି ପ୍ରଶ୍ନ ଉଠୁଛି ସୋମ୍ୟଙ୍କୁ ଉତ୍ତର ଦେବାକୁ ପୂର୍ବତନ  ବିଧାୟକ ଅନୁଭବଙ୍କୁ ଦଳ ଦାୟିତ୍ୱ ଦେଇଛି ନା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଗୋଷ୍ଠୀ କନ୍ଦଳର ଏହା ନଗ୍ନ ଉଦାହରଣ | ଯଦି ଦଳ ସୋମ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ (କେବଳ ଯାହା ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଭେଟୁଛନ୍ତି)  ତାହେଲେ ଅନୁଭବ କାହିଁକି  ଓ କେଉଁ ଭିତ୍ତିରେ ଦଳର ଜଣେ ବରିଷ୍ଠ ନେତାଙ୍କ ବିରୁଦ୍ଧରେ ଏଭଳି ମନ୍ତବ୍ୟ ଦେଉଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ତେବେ ଏହା ଯେ ଦଳର ଗୋଷ୍ଠୀ କନ୍ଦଳର ସ୍ପଷ୍ଟ ନମୁନା ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ | ତେଣୁ ଏଭଳି ପରିସ୍ଥିତିର କିଭଳି ମୁକାବିଲା କରାଯିବ ତାହା କେବଳ ସମୟ ହିଁ କହିବ |