ଇସ୍କନ ପକ୍ଷରୁ ଗଜପତି ମହାରାଜଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ ଦୁର୍ଭାଗ୍ୟଜନକ : ଖଣ୍ଡପଡ଼ା ରାଜା ସିଦ୍ଧାର୍ଥ ଶେଖର ସିଂହ ମର୍ଦରାଜ

ଭୁବନେଶ୍ୱର, ଜୁଲାଇ ୯: ବିଦେଶରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ପୁରୀ ଶ୍ରୀମନ୍ଦିରରେ ପାଳିତ ପାରମ୍ପରିକ ବୈଦିକ ତିଥି ଅନୁଯାୟୀ ଆୟୋଜନ କରିବା ପାଇଁ ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ କରିଥିବା ଅନୁରୋଧକୁ ଇସ୍କନ ପ୍ରତ୍ୟାଖ୍ୟାନ କରିଥିବା ଘଟଣାକୁ ନେଇ ଗଭୀର ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି ଖଣ୍ଡପଡ଼ା ଗଡ଼ଜାତର ରାଜା, ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିରର ବଂଶାନୁକ୍ରମିକ ଟ୍ରଷ୍ଟି (Hereditary Trustee) ଏବଂ ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ ମର୍ଦରାଜ।

ଏକ ପ୍ରେସ ବିଜ୍ଞପ୍ତିରେ ଶ୍ରୀ ମର୍ଦରାଜ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଓ ପ୍ରାଚୀନ ପରମ୍ପରାର ଉଲ୍ଲଙ୍ଘନ କେବଳ ଓଡ଼ିଆ ଜାତି ପ୍ରତି ନୁହେଁ, ବରଂ ସମଗ୍ର ହିନ୍ଦୁ ସମାଜର ଧାର୍ମିକ ଭାବାବେଗ ପ୍ରତି ଅସମ୍ମାନ ସଦୃଶ। ସେ କହିଛନ୍ତି ଯେ, ପୁରୀ ଗଜପତି ମହାରାଜ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଏବଂ ଚଳନ୍ତି ପ୍ରତିମା ଭାବେ ସର୍ବଜନବିଦିତ। ତେଣୁ ତାଙ୍କର ଅନୁରୋଧକୁ ଇସ୍କନ ଏଭଳି ପ୍ରତ୍ୟାଖ୍ୟାନ କରିବା ଅତ୍ୟନ୍ତ ଅନୁଚିତ ଓ ଦୁର୍ଭାଗ୍ୟଜନକ।

ଶ୍ରୀ ମର୍ଦରାଜ କହିଛନ୍ତି ଯେ, ବିଦେଶରେ ରଥଯାତ୍ରା ପାଳନ ସମ୍ପର୍କିତ ଏହି ପ୍ରସଙ୍ଗକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ, ଓଡ଼ିଶା ସରକାର ଏବଂ କେନ୍ଦ୍ର ସରକାର ଗୁରୁତ୍ୱର ସହ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବା ଉଚିତ।

ସେ ଆହୁରି କହିଛନ୍ତି ଯେ, ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିରରେ ପୁରୀ ଶ୍ରୀମନ୍ଦିରର ସମସ୍ତ ନୀତିନିୟମ ଓ ପରମ୍ପରାକୁ ଅନୁସରଣ କରାଯାଇ ରଥଯାତ୍ରା ସହ ସମସ୍ତ ପର୍ବପର୍ବାଣୀ ପାଳନ କରାଯାଏ। ଏହି ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ସମସ୍ତ ଜଗନ୍ନାଥପ୍ରେମୀଙ୍କ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବିଦେଶରେ ରଥଯାତ୍ରା ତିଥି ପରିବର୍ତ୍ତନ ପ୍ରସଙ୍ଗରେ ଗତ ଜୁଲାଇ ୪ ତାରିଖରେ ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଇସ୍କନର ଗଭର୍ଣ୍ଣିଂ ବଡି କମିଶନ (ଜିବିସି)କୁ ଚିଠି ଲେଖି ଏହାର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଜୁଲାଇ ୭ରେ ଜିବିସି ଅଧ୍ୟକ୍ଷ ଶ୍ରୀ ମଧୁସେବିତା ଦାସ ଇ-ମେଲ୍ ମାଧ୍ୟମରେ ଜଣାଇଥିଲେ ଯେ, ଇସ୍କନ ତାହାର ନୀତିରେ କୌଣସି ପରିବର୍ତ୍ତନ କରିବ ନାହିଁ ଏବଂ ଏହି ପ୍ରସଙ୍ଗରେ ଆଉ କୌଣସି ଆଲୋଚନାର ସୁଯୋଗ ନାହିଁ।

ଶ୍ରୀ ମର୍ଦରାଜଙ୍କ ମତରେ, ଶ୍ରୀଜଗନ୍ନାଥ ସଂସ୍କୃତିର ପାରମ୍ପରିକ ବିଧାନ ଅନୁଯାୟୀ ରଥଯାତ୍ରା କେବଳ ପୁରୀ ଶ୍ରୀମନ୍ଦିରରେ ପାଳିତ ଶାସ୍ତ୍ରସମ୍ମତ ତିଥିରେ ହିଁ ଅନୁଷ୍ଠିତ ହେବା ଉଚିତ। ତିଥି ପରିବର୍ତ୍ତନ କରି ରଥଯାତ୍ରା ପାଳନ କରିବା ମହାପ୍ରଭୁଙ୍କ ପ୍ରାଚୀନ ପରମ୍ପରା ଓ ଆଚାରବିଧି ସହ ସଙ୍ଗତିପୂର୍ଣ୍ଣ ନୁହେଁ ବୋଲି ସେ କହିଛନ୍ତି।