ଲୁପ୍ତ ହେବାରେ ଲାଗିଛି ଗୋବର କଣ୍ଢେଇ କଳା

୧୫ବର୍ଷ ବୟସରେ ପୁରୀରୁ ବୋହୂ ରୂପେ ରଘୁରାଜପୁର ଆସିଥିବା ଶ୍ରୀମତୀ ଶଶିମଣି ମହାରଣା ଗୋବର କଣ୍ଢେଇ ନିର୍ମାଣର କଳାକୁ ଆରମ୍ଭ କରିଥିଲେ l ସେ ଆଜି ୮୮ ବର୍ଷ ବୟସରେ ଉପନୀତ ହୋଇଥିବା ବେଳେ ଏହି ‘ଗୋବର କଣ୍ଢେଇ’ ଏବେ ଲୁପ୍ତପ୍ରାୟ ହେବାକୁ ବସିଲାଣି l

ଆଜିକୁ ତିନି ଦଶନ୍ଧି ପୂର୍ବେ ବାଲିଯାତ୍ରା, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଏବଂ ପୁରୀ ଗସ୍ତ ସମୟରେ ବେଶ୍ ସୁନ୍ଦର ରୂପେ ଦୋହଲୁଥିବା ବାଘ ଏବଂ ହାତୀର ଗୋବରରେ ତିଆରି ପ୍ରତିକୃତି ମିଳୁଥିଲା l ଶିଳ୍ପୀ ପରିବାରରୁ ଆସିଥିବା ଶଶିମଣି ବ୍ୟକ୍ତିଗତ ଜୀବନରେ ଏହି ଗୋବର କଣ୍ଢେଇ ହସ୍ତଶିଳ୍ପର ଜଣେ ଧୂରୀଣ ହସ୍ତଶିଳ୍ପୀ l ବିଭିନ୍ନ କାଗଜ ମଣ୍ଡ ଓ ଗୋବରର ଏକ ନିର୍ଦ୍ଦିଷ୍ଟ ଆନୁପାତିକ ସମ୍ମିଶ୍ରଣରେ ଏହି କଣ୍ଢେଇ ନିର୍ମାଣ କରାଯାଉଥିବା ବେଳେ ଏହାକୁ ବିଭିନ୍ନ ରଙ୍ଗ,ଆକାର ଏବଂ ଶୈଳୀରେ ବେଶ୍ ସୁନ୍ଦର ଖେଳଣାର ରୂପ ଦିଆଯାଉଥିଲା l

ସାମ୍ପ୍ରତିକ ସମୟରେ ଅଧିକ ଜନାଦୃତ ହେଉଥିବା ମୁଖାଚିତ୍ର ଏବଂ ପଟ୍ଟଚିତ୍ର ପ୍ରସ୍ତୁତିରେ ଗୋବର କଣ୍ଢେଇ କଳାକାରମାନେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରୁଥିବାରୁ ଏହା ଲୁପ୍ତପ୍ରାୟ ଅବସ୍ଥାକୁ ଗତି କରୁଛି l ଶଶିମଣି ନିଜର ବୋହୂ ଏବଂ ନାତିନାତୁଣୀଙ୍କୁ ଏହି ଗୋବର କଣ୍ଢେଇ ନିର୍ମାଣର କଳା ଶିକ୍ଷା ଦେଇଥିଲେ ସୁଦ୍ଧା,ଏହାର ଚାହିଦା ତଥା ବିଶେଷ ବିକ୍ରି ନଥିବାରୁ ସେମାନେ ଅନ୍ୟ ହସ୍ତକଳା ପ୍ରତି ଆଗ୍ରହୀ ଥିବା ଜଣାପଡ଼ିଛି l

ଫେଡେରେସନ ଅଫ୍ ଇଣ୍ଡିଆନ ଚ୍ୟାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ଲେଡିଜ୍ ଅର୍ଗାନାଇଜେସନ,ଭୁବନେଶ୍ବର (FICCI FLO) ର ଅଧ୍ୟକ୍ଷା ଶ୍ରୀମତୀ ବିୟତ ପ୍ରଜ୍ଞା ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରଘୁରାଜପୁର ଗସ୍ତ କରି ପଞ୍ଚମୀ ମନୋ ଉକିଲଙ୍କ ମାନସ ସନ୍ତାନ ‘ମହିଳା କାରିଗର ସହାୟତା ଏବଂ ଜ୍ଞାନ ସମୃଦ୍ଧି କାର୍ଯ୍ୟକ୍ରମ’ ଅନ୍ତର୍ଗତ ଏହି ବୟସ୍କା ମହିଳାଙ୍କ ସହ ସାକ୍ଷାତ ଆଲୋଚନା ସମୟରେ ତାଙ୍କ ଠାରୁ ଗୋବର କଣ୍ଢେଇ ହସ୍ତକଳା ଲୋପ ହେବାର କାରଣ,ଏହାକୁ ପୁନରୁଦ୍ଧାର ପାଇଁ ଆବଶ୍ୟକ ପ୍ରୟାସ ତଥା ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଦିଗ୍ ଦର୍ଶନ ସମ୍ଵନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ l ଆଲୋଚନା ସମୟରେ ଜଣା ପଡ଼ିଥିଲା ଏହି ଗୋବର କଣ୍ଢେଇ କଳା ପାଇଁ ଶଶିମଣିଙ୍କୁ ଜୀଏଲ୍ଓ,ଭୁବନେଶ୍ବରର ଅଧ୍ୟକ୍ଷଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା l ମାତ୍ର ସ୍ୱାମୀଙ୍କ ପରଲୋକ ପରେ ସେ ବେଶ୍ ଭାଙ୍ଗି ପଡିବା ସହ ଏହି କଳାରୁ ବିମୁଖ ହୋଇପଡ଼ିଥିଲେ l ଏହାପରେ ଅନୁଷ୍ଠାନର ସଦସ୍ୟାମାନେ ଶଶିମଣିଙ୍କ ହାତ ତିଆରି ଶେଷ ଦୁଇଟି ଗୋବର କଣ୍ଢେଇ ନେବାକୁ ବେଶ୍ ଆଗ୍ରହ ପ୍ରକାଶ କରିବା ସହ ଶେଷରେ ଶ୍ରୀମତୀ ରୂପା ନନ୍ଦ ଏହାକୁ ଉଚିତ୍ ମୂଲ୍ୟ ଦେଇ କିଣିଥିଲେ l

୨୦୧୮ ମସିହାରେ ଭୁବନେଶ୍ଵରର ଏକ ଘରୋଇ ବିଦ୍ୟାଳୟ ଦ୍ଵାରା ୨ରୁ ୪ ବର୍ଷର ୧୦ ଜଣ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଅନୁଧ୍ୟାନ କରାଯାଇଥିଲା, ଯେଉଁଠାରେ ଏକ ମୁଣ୍ଡ ହଲାଉଥିବା ବାଘ ଏବଂ ଚାବି ଦ୍ଵାରା ପରିଚାଳିତ ବତକ ମଧ୍ୟରୁ କେଉଁ ଗୋଟିକୁ ସେମାନେ ବିଶେଷ ଆଗ୍ରହର ସହିତ ପସନ୍ଦ କରୁଛନ୍ତି? ଅନୁଧ୍ୟାନରୁ ଜଣା ପଡ଼ିଲା ସମସ୍ତ ୧୦ ଜଣ ଛାତ୍ରଛାତ୍ରୀ ବେଶ୍ ଖୁସି ଓ କୌତୁହଳର ସହ ଉକ୍ତ ମୁଣ୍ଡ ହଲାଉଥିବା ବାଘଟିକୁ ନେବାପାଇଁ ଆଗ୍ରହୀ ହୋଇଥିଲେ l ସେହିପରି ୪ରୁ ୭ ବର୍ଷ ବୟସର ୪ଜଣ ବିଶେଷ ଆବଶ୍ୟକତା ଲୋଡୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମାନ ଅନୁଧ୍ୟାନ କରାଯାଇଥିଲା,ଯାହାର ଫଳାଫଳ ମଧ୍ଯ ସମାନ ହିଁ ଥିଲା l

ବାସ୍ତବରେ ଆମେ ଶିକ୍ଷା ଲାଭ କରିଥିବା ଜ୍ଞାନର ମୂଳତତ୍ତ୍ଵକୁ କେବେ ବି ଅଣଦେଖା କରାଯାଇ ପାରିବ ନାହିଁ l ଆମ ଐତିହ୍ୟ କଳା ଏବଂ ହସ୍ତଶିଳ୍ପ କେବଳ ଚକ୍ଷୁ ଆକର୍ଷଣ ପାଇଁ ନୁହ, ବରଂ ଏହା ପଛରେ ଥିବା ଉଚ୍ଚ ମହତାକାଂକ୍ଷା ବେଶ୍ ଗୁରୁତ୍ୱପୂର୍ଣ୍ଣ l ‘ଗୋବର କଣ୍ଢେଇ’ର କଳାକୃତି ବେଶ୍ ଆକର୍ଷଣୀୟ l ଏହାର ପ୍ରସ୍ତୁତି ପଦ୍ଧତି ବେଶ୍ ସରଳ,ଓଜନରେ ହାଲୁକା,ବିବିଧ ରଙ୍ଗ ଯୁକ୍ତ,ଘରୋଇ ସାଜସଜ୍ଜାରେ ସହାୟକ ତଥା ଖେଳଣା ରୂପେ କୁନିକୁନି ପିଲାଙ୍କ ମଧ୍ୟରେ ଜ୍ଞାନ ଓ ବୁଦ୍ଧିର ବିକାଶ ଦିଗରେ ଖୁବ୍ ସହାୟକ l

ଆମର ହସ୍ତଶିଳ୍ପ ଏବଂ ହସ୍ତଶିଳ୍ପୀମାନଙ୍କର ଏକ ନିର୍ଦ୍ଦିଷ୍ଟ ଭାବନାତ୍ମକ ଭାଷା ରହିଛି,ଯାହାକୁ ବୁଝିବା ଏବଂ ସଂରକ୍ଷଣ କରିବା ନିତାନ୍ତ ଆବଶ୍ଯକ l ଲୁପ୍ତପ୍ରାୟ ‘ଗୋବର କଣ୍ଢେଇ’ର ପୁନଃ ସଂରକ୍ଷଣ ଦିଗରେ ଆମେ ସମସ୍ତେ ମିଳିତ ପ୍ରୟାସ କରିବା l