ପଦ୍ମ ଧରିଲେ ଭର୍ତ୍ତୁହରି, ସିଦ୍ଧାନ୍ତ

ବିଜେପିରେ ସାମିଲ ହୋଇଛନ୍ତି କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିଲେ ଭର୍ତ୍ତୃହରି ମହତାବ।

୧୯୯୮ ମସିହାରୁ ଲଗାତାର ୬ ଥର କଟକରୁ ସାଂସଦ ରହି ଆସିଥିବା ଭର୍ତ୍ତୃହରି ବିଜେପି ରେ ଯୋଗ ଦେଇଛନ୍ତି । ୧୯୯୮ ମସିହାରେ ପ୍ରଥମଥର କଟକ ଲୋକସଭା ଆସନରେ ସେ ଜିତିଥିଲେ । ପରେ ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ସାଂସଦ ହୋଇଛନ୍ତି । ୨୦୧୭ ମସିହାରେ ଆଉଟ୍‌ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରୀ ଆୱାର୍ଡ ଗ୍ରହଣ କରିଥିଲେ ଭର୍ତ୍ତୁହରି । ସେହିପରି ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ପାଇଥିଲେ ସଂସଦ ରତ୍ନ ପୁରସ୍କାର ।

ତେବେ ମାର୍ଚ୍ଚ ୨୨ ତାରିଖରେ ବିଜେଡିରୁ ଇସ୍ତାଫା ଦେଇଥିଲେ ଭର୍ତ୍ତୃହରି । ଏହାପରେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଯୋର ଧରିଥିଲା । ଦିଲ୍ଲୀରେ ବିଜେପି ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ଅଭିନେତାରୂ ନେତା ବନିଥିବା, ଦୁଇ ଥର ବିଜେଡି ଟିକେଟରେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର ମଧ୍ଯ ବିଜେପିରେସାମିଲ ହୋଇଛନ୍ତି। ୨୦୦୯ ଓ ୨୦୧୪ରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ରେ ଦଳ ଆଉ ତାଙ୍କୁ ଟିକେଟ୍ ଦେଇ ନଥିଲା । ଏହି ଦୁଇ ଜଣଙ୍କ ସହ ପଦ୍ମଶ୍ରୀ ଦମୟନ୍ତୀ ବେସରା ମଧ୍ଯ ବିଜେପିରେ ଯୋଗ ଦେଇଛନ୍ତି ।