ପଦ୍ମ ଧରୁଛି ଓଲିଉଡ଼

ପଦ୍ମ ପୋଖରୀକୁ ଡେଉଁଛି ଓଲିଉଡ | ତାରକା ଶୂନ୍ୟ ହେଉଛି ବିଜେଡି | କିଛି ଦିନ ତଳେ ବିଜପିକୁ ଡେଇଁ ଥିଲେ ଓଲିଉଡ ଅଭିନେତା ଅରିନ୍ଦମ ରାୟ | ଦୁଇ ଦିନ ତଳେ ବିଜେପିରେ ସାମିଲ ହେଲେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର | ଆଉ ଗୋଟିଏ ଦିନରେ ବିଜେଡି ଛାଡିଛନ୍ତି ଦୁଇ ଓଲିଉଡ ସିନେଷ୍ଟାର ଅନୁଭବ ମହାନ୍ତି ଓ ଆକାଶ ଦାସ ନାୟକ | ଏମାନେ ବି ଖୁବଶୀଘ୍ର ବିଜେପି ଯିବା ନେଇ ଚର୍ଚ୍ଚା ଜୋର୍ ଧରିଛି |

ସିଦ୍ଧାନ୍ତ ମହାପାତ୍ର ବିଜେଡି ପକ୍ଷରୁ ଦୁଇ ଥର (୨୦୦୯ ଓ ୨୦୧୪) ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୯ ରେ ଦଳ ତାଙ୍କୁ ଟିକେଟ ଦେଇନଥିଲ | ସେହିପରି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ୨୦୧୯ ରେ ନିର୍ବାଚିତ ହୋଇଥିବା ବେଳେ ପୂର୍ବରୁ ତାଙ୍କୁ ଦଳ ଗୋଟିଏ ଥର ରାଜ୍ୟସଭାକୁ ମଧ୍ଯ ପଠାଇଥିଲା | ତେବେ ଚଳିତ ଥର ବିଜେଡି ତାଙ୍କ ସ୍ଥାନରେ ଅଂଶୁମାନ ମହାନ୍ତିଙ୍କୁ କେନ୍ଦ୍ରାପଡ଼ାରୁ ସାଂସଦ ପ୍ରାର୍ଥୀ କରିଛି |

ସେହିପରି କୋରେଇର ପୂର୍ବତନ ବିଧାୟକ ତଥା ମୋ କଲେଜର ଅଧ୍ୟକ୍ଷ ଅଭିନେତା ଆକାଶ ଦାସ ନାୟକ ମଧ୍ଯ ବିଜେଡି ଛାଡିଛନ୍ତି | ସେ ବି ବିଜେପିରେ ସାମିଲ ହୋଇପାରନ୍ତି | ବିଜେଡିର ଯୁବନେତା ତଥା ଅଭିନେତା ଅରିନ୍ଦମ ମଧ୍ଯ ବିଜେପିରେ ସାମିଲ ହୋଇସାରିଛନ୍ତି |

ପୂର୍ବରୁ ଦଳରେ ଅଭିନେତ୍ରୀ ପିଙ୍କି ପ୍ରଧାନ ୨୦୧୯ ନିର୍ବାଚନରେ ଦିଗପହଣ୍ଡିର ବିଜେପି ପ୍ରାର୍ଥୀନୀ ଭାବେ ପ୍ରତିଦ୍ୱନ୍ଦିତା କରି ପରାଜୟ ବରଣ କରିଥିବା ବେଳେ ଅଭିନେତା ଶ୍ରୀତମ ଦାସ କଟକରୁ ବିଜେପିର ମେୟର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ହାରି ଯାଇଥିଲେ |.ଏମାନଙ୍କ ବ୍ୟତୀତ ପଦ୍ମ ଦଳରେ ଓଲିଉଡର ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ସାମିଲ ଅଛନ୍ତି | ତେବେ ଚଳିତ ନିର୍ବାଚନରେ ବିଜେପି ଏହି ଓଲିଉଡ ଷ୍ଟାରମାନଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇବ ନା ନିର୍ବାଚନ ପ୍ରଚାରରେ ନିୟୋଜିତ କରିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ| ତେବେ ଏ ସବୁ ଭିତରେ ଏହି ଷ୍ଟାରମାନଙ୍କ ବିଜେଡି ପରିତ୍ୟାଗ ଦଳ ଉପରେ କିଭଳି ପ୍ରଭାବ ପକାଇବ ତାହା ମଧ୍ୟ ଦେଖିବାର କଥା |