ଷ୍ଟିଫାନି ପ୍ରଥମ ମହିଳା ରେଫରି, ୟୁଇଏଫ୍‌ଏ ସୁପର କପ୍‌ ପରିଚାଳନା କରିବେ

ଇସ୍ତାନବୁଲ୍‌: ଷ୍ଟିଫାନି ଫ୍ରାପର୍ଟ ୟୁଇଏଫ୍‌ଏ ସୁପର କପ୍‌ ପରିଚାଳନା କରିବାରେ ପ୍ରଥମ ମହିଳା ରେଫରି ହେବେ। ଏହି ୩୫ ବର୍ଷ ବୟସ୍କା ଫ୍ରାନ୍‌ସ ମହିଳା ଚଳିତ ମାସ ଅଗଷ୍ଟ ୧୪ ତାରିଖରେ ଇସ୍ତାନବୁଲ୍‌ରେ ଲିଭରପୁଲ୍‌ ଓ ଚେଲ୍‌ସି ସୁପର କପ୍‌ ମୁକାବିଲାକୁ ପରିଚାଳନା କରିବେ। ସୁପର କପ୍‌ ମ୍ୟାଚ୍‌ ବିଶେଷକରି ଚାମ୍ପିଅନ୍‌ସ ଲିଗ୍‌ ଏବଂ ୟୁରୋପା ଲିଗ୍‌ ବିଜେତାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଟଟେନ୍‌ହାମ୍‌ ହଟ୍‌ସ୍ପରକୁ ପରାସ୍ତ କରି ଲିଭରପୁଲ୍‌ ଚାମ୍ପିଅନ୍‌ସ ଲିଗ୍‌ ବିଜେତା ହୋଇଥିଲା ବେଳେ ଆର୍ସେନଲ୍‌କୁ ପରାସ୍ତ କରି ଚେଲ୍‌ସି ୟୁରୋପା ଲିଗ୍‌ ବିଜେତା ହୋଇଛି। ଫଳରେ ୟୁଇଏଫ୍‌ଏ ପ୍ରତିଯୋଗିତାରର ବୃହତ୍‌ ମ୍ୟାଚ୍‌ ପରିଚାଳନା କରିବାରେ ଷ୍ଟିଫାନି ବିଶ୍ବର ପ୍ରଥମ ମହିଳା ‌ରେଫରି ହେବେ ବୋଲି ଶୁକ୍ରବାର ୟୁରୋପୀୟ ଫୁଟ୍‌ବଲ୍‌ ମହାସଂଘ ସୂଚନା ଦେଇଛି। ଏହା ପୂର୍ବରୁ କୌଣସି ଫ୍ରେଞ୍ଚ୍‌ ଲିଗ୍‌-୧ ମ୍ୟାଚ୍‌ ପରିଚାଳନା କରିବାରେ ମଧ୍ୟ ଷ୍ଟିଫାନି ପ୍ରଥମ ମହିଳା ରେଫରି ହୋଇଥିଲେ। ଗତ ଏପ୍ରିଲରେ ଆମେନ୍‌ସ ଓ ଷ୍ଟ୍ରାସ୍‌ବର୍ଗ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଷ୍ଟିଫାନି ରେଫରି ରହିଥିଲେ। ଏଥି ସହିତ ପରର୍ବତୀ ଋତୁ ପାଇଁ ମଧ୍ୟ ଲିଗ୍‌-୧ ରେଫରି ପୁଲ୍‌ରେ ସେ ପ୍ରଥମ ମହିଳା ଭାବେ ସ୍ଥାନ ପାଇଥିଲେ। ଗତ ମାସରେ ଷ୍ଟିଫାନି ମହିଳା ବିଶ୍ବକପ୍‌ ପରିଚାଳନା କରିଥିଲେ। ତେବେ ଚଳିତ ବର୍ଷର ୟୁଇଏଫ୍‌ଏ ସୁପର କପ୍‌ ପରିଚାଳନା ପାଇଁ ନିଯୁକ୍ତ ହୋଇଥିବାରୁ ଷ୍ଟିଫାନି ମୁଁ ଖୁବ୍‌ ଆନନ୍ଦିତ ବୋଲି କହିଛନ୍ତି ୟୁଇଏଫ୍‌ଏ ସଭାପତି ଆଲେକ୍‌ଜାଣ୍ଡର ସେଫେରିନ୍‌। ଏଠାରେ ସୂଚନାଯୋଗ୍ୟ, ସ୍ବିଜରଲାଣ୍ଡ୍‌ର ନିକୋଲେ ପେଟିଗ୍‌ନାଣ୍ଟ୍‌ ୟୁଇଏଫ୍‌ଏ ମ୍ୟାଚ୍‌ ପରିଚାଳନା କରିବାରେ ପ୍ରଥମ ମହିଳା ରେଫରି ଥିଲେ। ହେଲେ ସେ ୟୁଇଏଫ୍‌ଏ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ୍‌ ପରିଚାଳନା କରିଥିଲେ। ୨୦୦୪ରୁ ୨୦୦୯ ମଧ୍ୟରେ ତିନିଟି ମ୍ୟାଚ୍‌ ପରିଚାଳନା କରିଥିଲେ। ହେଲେ ସୁପର କପ୍‌ ପରିଚାଳନା କରିବାରେ ଷ୍ଟିଫାନି ପ୍ରଥମ ହିଳା ରେଫରି ହେବେ।