ପ୍ରତିଟି ସକାଳ ଖରାପ ଲାଗୁଥିଲା: କୋହଲି

ଫ୍ଲୋରିଡ଼ା: ବିଶ୍ବକପ୍‌କୁ ୩ ସପ୍ତାହ ବିତିଗଲାଣି। କିନ୍ତୁ ସେମିଫାଇନାଲରେ ନ୍ୟୁଜିଲାଣ୍ଡ୍ ନିକଟରୁ ପରାଜୟକୁ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ହଜମ କରିପାରିନାହାନ୍ତି। ଏବେ ବି ତାଙ୍କ ମନରେ କଷ୍ଟ ଓ ଦୁଃଖ ଭରି ରହିଛି। ଶନିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ କୋହଲିଙ୍କ ମନର କଷ୍ଟ ପଦାରେ ପଡ଼ିଥିଲା। କୋହଲି କହିଥିଲେ, ‘ନ୍ୟୁଜିଲାଣ୍ଡ୍ ବିପକ୍ଷ ମା‌‌ଞ୍ଚେଷ୍ଟର୍ ପରାଜୟ ପ୍ରାରମ୍ଭିକ ଦିନ ଗୁଡ଼ିକରେ ମନରୁ ଲିଭି ନଥିଲା। ଏହାକୁ ଗ୍ରହଣ କରିବା କଷ୍ଟକର ଥିଲା। ବିଶ୍ବକପ୍‌ ଶେଷ ହେବା ପର୍ଯ୍ୟନ୍ତ ପ୍ରତିଟି ସକାଳେ ଉଠିବା ମାତ୍ରେ ଏହା ସବୁଠୁ ଖରାପ ଅନୁଭବ ଆଣି ଦେଉଥିଲା। କିନ୍ତୁ ଜୀବନରେ ଆଗକୁ ଯିବାର ଅଛି, ପ୍ରତି ଦଳ ପାଇଁ ଏହା ଘଟିଥାଏ। ଆମେ ପେସାଦାର ଭାବେ ଏହାକୁ ଗ୍ରହଣ କରିନେଇଥିଲୁ’ ବୋଲି କୋହଲି ପ୍ରକାଶ କରିଥିଲେ। ଆମକୁ ଏବେ ୨୦୨୦ ଟି-୨୦ ବିଶ୍ବକପ୍‌ ଉପରେ ଏକାଗ୍ରତା ରଖିବାକୁ ପଡ଼ିବ ବୋଲି କହିଥିଲେ କୋହଲି। ଏବେ ଯୁବ ଖେଳାଳିମାନଙ୍କ ପାଇଁ ସୁଯୋଗ ଆସିଛି। ଯୁବ ଖେଳାଳିମାନେ ନିଜ ନିଜ ସ୍ଥାନ ପକ୍କା କରିନେବା ଉଚିତ। ଋଷବ ପନ୍ତ୍‌ଙ୍କ ପାଇଁ ଏହା ବଡ଼ ସୁଯୋଗ ବୋଲି ପ୍ରକାଶ କରିଥିଲେ କୋହଲି।