ରାଜ୍ୟ ସରକାର ଦୁର୍ନୀତିକୁ ରୋକିବା ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରୁଥିବାବେଳେ କିଛି ଦୁର୍ନିତୀଗସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଯେପରି ଏହି ପଦକ୍ଷେପ କୌଣସି ଫରକ ପକାଉନହିଁ | ଏହାର ସଦ୍ୟ ଉଦାହରଣ ହେଉଛନ୍ତି ଖଣ୍ଡପଡ଼ା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ | ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଦ୍ଵାରା ଧରାପଡିଛନ୍ତି ଖଣ୍ଡପଡ଼ା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ।
ଖଣ୍ଡପଡ଼ା ସହରର ଠିକାଦାର ଜ୍ୟୋତି ରଞ୍ଜନ ମିଶ୍ରଙ୍କ ଠାରୁ ଉନ୍ନୟନମୂଳକ କାର୍ଯ୍ୟ ବାଵଦ ବକେୟା ବିଲ ପୈଠ ପାଇଁ ୨୦ ହଜାର ଟଙ୍କା ସରକାରୀ ବାସଭବନରେ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା ଭୁବନେଶ୍ବର ଭିଜିଲାନ୍ସ ଟିମ୍ ଶ୍ରୀ ଧଳଙ୍କୁ କାବୁ କରି ଧରିବା ସହ ତାଙ୍କ ଠାରୁ ରାସାୟନିକ ପ୍ରଲେପ ବୋଳା ଯାଇଥିବା ୨୦ ହଜାର ଟଙ୍କା ଜବତ କରିଥିଲେ । ପରେ ଭିଜିଲାନ୍ସ ବିଭାଗ ଅଧିକାରୀମାନେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସଙ୍ଗରେ ଧରି ଏନ୍ଏସି କାର୍ଯ୍ୟାଳୟରେ ପହଞ୍ଚି ଗୁରୁତ୍ବପୂର୍ଣ୍ଣ ଫାଇଲ ପତ୍ର ଜବତ କରିବା ସହ ତାଙ୍କୁ ଭୁବନେଶ୍ବର ନେଇଯାଇଥିବା ଜଣାଯାଇଛି।
ଠିକାଦାରଙ୍କୁ କାର୍ଯ୍ୟ ଦେବା ଠାରୁ ଆରମ୍ଭ କରି କାର୍ଯ୍ୟ ବନ୍ଦ ବକେୟା ବିଲ୍ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଠାରୁ ଅସଦାଚରଣ ଉପାୟରେ ଅର୍ଥ ଆଦାୟ କରିବା ଭଳି ଅନେକ ସଂଗୀନ ଅଭିଯୋଗ ଏହି ଅଧିକାରୀଙ୍କ ନାଁରେ ପୂର୍ବରୁ ରହିଛି | ତାଙ୍କୁ ଲାଞ୍ଚ ନେବା ଅବସ୍ଥାରେ ଧରିବାରେ ସଫଳତା ଅର୍ଜନ କରିଛନ୍ତି ଭୁବନେଶ୍ବର ଓ ନୟାଗଡ଼ ଭିଜିଲାନ୍ସ ଚଢାଉର ୬ ଜଣିଆ ଟିମ । ଏହି ଟିମରେ ଭିଜିଲାନ୍ସ ଡିଏସପି ସୁଶାନ୍ତ ମିଶ୍ର, ଅନିରୁନ୍ଧ ନାୟକ, ଚନ୍ଦ୍ରକେଳା ଜେନା ଓ ଇନ୍ସପେକ୍ଟର ସୁଦିପ୍ତ କୁମାର ସାହୁ ସାମିଲ ଥିଲେ। ଭିଜିଲାନ୍ସ ଟିମ୍ ଖଣ୍ଡପଡ଼ା ଏନ୍ଏସିର କାର୍ଯ୍ୟାନୁଷ୍ଠାନକୁ ଯାଇ କାଗଜ ଫାଇଲଗୁଡ଼ିକୁ ତଦନ୍ତ କରି କାର୍ଯ୍ୟନିର୍ବାହୀଙ୍କୁ ଭୁବନେଶ୍ବର ନେଇ ଯାଇଥିବା ଜଣାପଡ଼ିଛି।