ଜୀବନ ଥିବା ପର୍ଯ୍ୟନ୍ତ ହକି ଖେଳୁଥିବି : ଡୋମିନିକ ଟୋପୋ

ଦେଖିବାକୁ ସେ ୨୫ ରୁ ୩୦ ବର୍ଷ ଯୁବା ଭଳି । ମନରେ ଅଦମ୍ୟ ସାହସ ଓ ଆଗ୍ରହ । ସ୍ୱପ୍ନ ଥିଲା ବଡ ଖେଳାଳି ହେବାକୁ କିନ୍ତୁ ସଠିକ୍ ପଥ ନ ମିଳିବାରୁ ଆଜି ସେ ମାଗଣାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ନିଜ ସ୍ୱପ୍ନକୁ ସାକାର କରି ନଥିଲେ ମଧ୍ୟ ସେହି ସ୍ୱପ୍ନ ମାଧ୍ୟମରେ ଅନେକ ଛାତ୍ରଛାତ୍ରୀ ଦେଶର ତଥା ବିଦେଶରେ ଦକ୍ଷ ହକି ଖେଳାଳିଙ୍କୁ ଗଢ଼ିବାରେ ସଫଳ ହୋଇଛନ୍ତି । ସେହି ବ୍ୟକ୍ତି ଜଣକ ହେଉଛନ୍ତି ରାଉରକେଲାର ୬୭ ବର୍ଷୀୟ ହକି କୋଚ୍ ଡୋମିନିକ ଟୋପୋ ।

ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟା ସମୟରେ ୪ ଘଂଟା ଧରି ମାଗଣାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ୪୦ କିମି ଦୂର ଗ୍ରାମରୁ ରାଉରକେଲା ସାଇକେଲ୍‌ରେ ସେ ଯିବା ଆସିବା କରିଥାନ୍ତି । ପିଲାମାନଙ୍କୁ ପ୍ରଶିକ୍ଷଣ ଦେବା ଓ ହକି ଖେଳ ପାଇଁ ସାମଗ୍ରୀ ସଂଗ୍ରହ କରିବା ନିମନ୍ତେ ସେ ତାଙ୍କର ୧୪ ଏକର ଜମିକୁ ମାତ୍ର ୭୦ ହଜାର ଟଙ୍କାରେ ବନ୍ଧା ପକାଇଛନ୍ତି । ତାଙ୍କ ପାଖରେ ଏବେ ଆଉ ୧ ଏକର ଜମି ଅଛି । ଏକାଦଶ ଶ୍ରେଣୀରୁ ସେ ପାଠ ପଢ଼ା ଛାଡି ଦେଇଥିଲେ । ସେହି ସମୟରେ ସେ ଜଣେ ବଡ଼ ଖେଳାଳି ହେବା ପାଇଁ ସ୍ପପ୍ନ ଦେଖିଥିଲେ କିନ୍ତୁ ତାହା ଅଧୁରା ହୋଇ ରହିଗଲା । ରାଉରକେଲା ସ୍ଥିତ ପାନପୋଶରେ ସାଇ ହଷ୍ଟେଲ୍ ଖୋଲିଥିଲା । ତାହାକୁ ଦେଖି ସେ ନିର୍ଣ୍ଣୟ ନେଇଥିଲେ ଏପରି ଖେଳାଳିମାନଙ୍କୁ ପ୍ରସ୍ତୁତ କରିବେ ଯିଏ ଦେଶର ନାମ ରଖିବା ସହ ବୀଦେଶରେ ମଧ୍ୟ ନିଜ ନାମକୁ ପରିଚିତ କରିପାରିବେ । ଏ ପର୍ଯ୍ୟନ୍ତ ତାଙ୍କ ଠାରୁ ହକି ଖେଳରେ ଶିକ୍ଷା ନେଇଥିବା ୧୩୯ ଜଣ ରାଜ୍ୟ, ଦେଶ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ହକି ଖେଳିସାରିଛନ୍ତି । ଯେଉଁ ଛାତ୍ରଛାତ୍ରୀ ହକିରେ ଆଗକୁ ବଢ଼ିସାରିଛନ୍ତି ସେମାନଙ୍କ ସହ ସାକ୍ଷାତ କରିବାକୁ ଯାଇଥାନ୍ତି ଏବଂ ସେମାନଙ୍କର ସଫଳତା ଦେଖି ତାଙ୍କ ମନରେ ଥିବା ସଂକଳ୍ପ ଆହୁରି ଦୃଢିଭୁତ ହୋଇଥାଏ ବୋଲି ସେ କହିଛନ୍ତି । ତାଙ୍କ ଠାରୁ ପ୍ରଶିକ୍ଷଣ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଲିଲିମା ମିଞ୍ଜ, ପୁନମ୍ ଟୋପୋ, ସୁପୀପ୍ ଚରମାକ ଭଳି ନାମୀଦାମୀ ଖେଳାଳି ଖ୍ୟାତି ଅର୍ଜନ କରିଛନ୍ତି । ଏହି ବୟସରେ ମଧ୍ୟ ଟୋପୋ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ହକି ଶିଖାଉଛନ୍ତି ।


ଡୋମିନିକଙ୍କ କହିବା ଅନୁଯାୟୀ ସେ ହକି ଖେଳିୁଥିବା ସମୟରେ ତାଙ୍କ ପତ୍ନୀ ଇସାବେଲାଙ୍କ ସହ ପ୍ରେମ ହୋଇଥିଲା । ବିବାହ ପୂର୍ବରୁ ଖେଳର ସମାଗ୍ରୀ ପାଇଁ ନିଜ ପିଉସୀଙ୍କ ଠାରୁ ଟଙ୍କା ଆଣିଥିଲେ । ଜୀବନ ଥିବା ଯାଏ ମୁଁ ହକି ଖେଳକୁ ଜାରି ରଖିବି ବୋଲି ସେ କହିଛନ୍ତି ।