ଦିବ୍ୟାଙ୍ଗ ଯୁବତୀଙ୍କ ଅନୁରୋଧ ରକ୍ଷା କଲେ ସୋଆ ଉପ-ସଭାପତି

ଜନ୍ମରୁ ଦୁଇ ହାତ ଅଚଳ ଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ସହଯୋଗର ହାତ ବଢ଼ାଇଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପ-ସଭାପତି ତଥା ସୁମାରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶିକା ଶ୍ରୀମତି ଶାଶ୍ୱତୀ ଦାସ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଭିନ୍ନକ୍ଷମ ଯୁବତୀ ଉର୍ବଶୀ ଦାସଙ୍କୁ ସମାଜସେବା ନିମନ୍ତେ ଏକ କାର୍ ଭେଟି ଦେଇଛନ୍ତି ଶ୍ରୀମତି ଦାସ ।

ଗତ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁମାରିୟଲ୍ ମିଡିଆ ତଥା ଦୈନିକ ସମ୍ବାଦପତ୍ର ପ୍ରମେୟ ଏବଂ ଓଡ଼ିଆ ଟିଭି ଚ୍ୟାନେଲ୍ ନ୍ୟୁଜ୍ ୭ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ୱିମେନ୍ ଆଚିଭର୍ସ ଅଫ୍ ଓଡ଼ିଶା”(ୱାଓ)ର ଦ୍ୱିତୀୟ ସଂସ୍କରଣରେ ସମ୍ବର୍ଦ୍ଧିତ କରାଯିବା ଅବସରରେ ସମାଜସେବା କରିବା ନିମନ୍ତେ ଏକ ଚାରି ଚକିଆ ଯାନ ପ୍ରଦାନ କରିବା ନେଇ ମଂଚରେ ଶ୍ରୀମତି ଦାସଙ୍କୁ ଉର୍ବଶୀ ଅନୁରୋଧ କରିଥିଲେ । ଦିବ୍ୟାଙ୍ଗ ଉର୍ବଶୀଙ୍କର କାର୍ଯ୍ୟପନ୍ଥା ଓ ଜୀବନଶୈଳୀ ସମ୍ପର୍କରେ ଅବଗତ ହୋଇ ମଂଚରେ ଭାବ ବିହ୍ୱଳ ହୋଇପଡ଼ିଥିଲେ ଶ୍ରୀମତି ଦାସ । ସେହି ଠାରେ ହିଁ ସେ ଉର୍ବଶୀଙ୍କୁ ଏକ କାର୍ ଭେଟି ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ସେହି ପ୍ରତିଶ୍ରୁତିକୁ ରକ୍ଷା କରି ଶନିବାର ଦିନ ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଉର୍ବଶୀଙ୍କୁ କାର୍ ଉପହାର ଦେଇଛନ୍ତି ଶ୍ରୀମତି ଦାସ ।

ଏହି ଅବସରରେ ଆୟୋଜିତ ବୈଠକରେ ଉର୍ବଶୀ ମଧ୍ୟ ବେଶ ଭାବ ବିହ୍ୱଳ ହେବା ସହ ଶ୍ରୀମତି ଦାସଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଜନ୍ମରୁ ହାତ ଅଚଳ ଥିବା ବେଳେ ଦୁଇ ଗୋଡରେ ନିଜର ସମସ୍ତ କାର୍ଯ୍ୟ କରିବା ସହ ଗରୀବ, ଅସହାୟ, ଦିବ୍ୟାଙ୍ଗ ଏବଂ ବୟସ୍କ ବ୍ୟକ୍ତିମାନଙ୍କର ସେବା ଓ ସାହାଯ୍ୟ କରିଥାନ୍ତି । କରୋନା ମହାମାରୀ ସମୟରେ ନିଜ ଅଂଚଳର ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପଂଚାୟତ ବୁଲି ଲୋକମାନଙ୍କୁ ଉର୍ବଶୀ ସାହାଯ୍ୟ କରିଥିଲେ । ତେଣୁ ଗାଡିଟିଏ ମିଳିଲେ ସେ ଅଧିକ କାର୍ଯ୍ୟ କରିପାରିବେ ବୋଲି ଅନୁରୋଧ କରିଥିଲେ । ତାଙ୍କର ଅନୁରୋଧ ରକ୍ଷା କଲେ ଶ୍ରୀମତି ଦାସ ।

ଏହି ଅବସରରେ ଶ୍ରୀମତି ଦାସ କହିଥିଲେ ଯେ, ଉର୍ବଶୀଙ୍କ ଭଳି ବ୍ୟକ୍ତିତ୍ୱ ଖୁବ୍ ନିଆରା । ନିଜେ ଅକ୍ଷମ ହେବା ସତ୍ୱେ ଅନ୍ୟକୁ ସାହାଯ୍ୟ କରିବାର ମନୋବୃତି ଏବଂ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ହିଁ ତାଙ୍କୁ ଆଗକୁ ନେବ । ତେଣୁ ଏଭଳି ବ୍ୟକ୍ତିତ୍ୱଙ୍କୁ ସହଯୋଗ କରିବା ଆମର ଦାୟିତ୍ୱ ।

ଏହି ଅବସରରେ ସୁମାରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ଶ୍ରୀ ସୁନୀଲ ଦାସ, ପ୍ରମେୟ ଏବଂ ନ୍ୟୁଜ ୭ର ଗ୍ରୁପ୍ ଏଡିଟର ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ସେଲ୍ସ ଏବଂ ମାର୍କେଟିଙ୍ଗ ବିଭାଗର ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ହୋତା, ନ୍ୟୁଜ୍‌୭ ର କାର୍ଯ୍ୟକାରୀ ସଂପାଦକ ଶ୍ରୀ ଦେବନାରାୟଣ ସେଠୀ, ପ୍ରମେୟର ବ୍ୟୁରୋ ଚିଫ୍ ଶ୍ରୀ ଦେବେନ୍ଦ୍ର ସୁଆର ଏବଂ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।