‘ଟାଇଗର 3’ : ସିନେମା ହଲରେ ବାଣ ଫୁଟାଇବା ଘଟଣାକୁ ନେଇ ଭାଇଜାନ ଖପ୍ପା

ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର-3’ ରିଲିଜ ହେବା ପରେ ସିନେମା ହଲରେ ଦର୍ଶକଙ୍କ ଭିଡ଼ ଜମିଥିବା ବେଳେ ମହାରାଷ୍ଟ୍ରର ମାଲେଗାଓଁର ମୋହନ ସିନେମା ହଲରୁ ଏକ ଭିଡିଓ ଭାଇରାଲ ହୋଇଛି ଯାହାକି ବେଶ ସମ୍ବେଦନଶୀଳ। ଟାଇଗର 3 ପରଦାରେ ଚାଲୁ ଥିବାବେଳେ ଲୋକମାନେ ହଲ ଭିତରେ ବାଣ ଫୁଟାଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ବାଣ ଫୁଟିବା ଆରମ୍ଭ ହେବା ପରେ ଲୋକେ ଭୟଭୀତ ହୋଇ ସୁରକ୍ଷିତ ସ୍ଥାନକୁ ଦୌଡ଼ୁଥିବା ଦେଖିବାକୁ ମିଳୁଛି।

ଏହି ଘଟଣା ପରେ ସଲମାନ ତାଙ୍କ ଇନଷ୍ଟାଗ୍ରାମରେ ଉଦବେଗ ପ୍ରକାଶ କରିବା ସହ ଦର୍ଶକଙ୍କ ଉପରେ ବେଶ ଖପ୍ପା ମଧ୍ୟ ହୋଇଛନ୍ତି। ଏହାକୁ ସେ ବିପଦପୂର୍ଣ୍ଣ ବୋଲି କହିବା ସହ ଲୋକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି। ଭାଇଜାନ ନିଜ ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି, “ଟାଇଗର 3′ ଦେଖୁଥିବା ଦର୍ଶକ ହଲ ଭିତରେ ବାଣ ଫୁଟାଇବା କଥା ଶୁଣିବାକୁ ମିଳୁଛି। ଏହା ବିପଦସଙ୍କୁଳ। ଆସନ୍ତୁ ନିଜକୁ ଓ ଅନ୍ୟମାନଙ୍କୁ ବିପଦରେ ନ ପକାଇ ଫିଲ୍ମର ମଜା ନେବା। ସୁରକ୍ଷିତ ରୁହନ୍ତୁ।”

ରବିବାର ରାତିରେ ମାଲେଗାଓଁ ଛାଭନି ଅଞ୍ଚଳରେ ଥିବା ମୋହନ ସିନେମାରେ ଏହି ଘଟଣା ଘଟିଛି।ଫିଲ୍ମର ସ୍କ୍ରିନିଂ ସମୟରେ କିଛି ଦର୍ଶକ ସିନେମା ହଲ ଭିତରେ ବାଣ ଫୁଟାଇବାରୁ ଦର୍ଶକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଭାରତୀୟ ପିଙ୍ଗଳ କୋଡ୍ ର ଧାରା 435 (କ୍ଷତି ଘଟାଇବା ଉଦ୍ଦେଶ୍ୟରେ ନିଆଁ କିମ୍ବା ବିସ୍ଫୋରକ ପଦାର୍ଥ ବ୍ୟବହାର) ଏବଂ ଧାରା 336 (ଜୀବନ କିମ୍ବା ଅନ୍ୟମାନଙ୍କ ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଇବା ଭଳି କାର୍ୟ୍ୟ) ଅନୁୟାୟୀ ପୁଲିସ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଟାଇଗର-3′ ୟସରାଜ ଫିଲ୍ମସ ବ୍ୟାନରର ତୃତୀୟ ଭାଗର ସିନେମା । ଏଥିରେ ସଲମାନ୍ ଖାନ୍ ଓ କ୍ୟାଟ୍ରିନା କୈଫ୍ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମରେ ଇମ୍ରାନ ହାସମୀ, ରିଧି ଡୋଗ୍ରା ଓ ଶାହାରୁଖ୍ ଖାନ୍ ମଧ୍ୟ ନଜର ଆସିଛନ୍ତି।

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ସଲମାନଙ୍କ ଫ୍ୟାନ୍ ଏଭଳି କାର୍ଯ୍ୟ କରିଛନ୍ତି ।

“ଅନ୍ତିମ” ରିଲିଜ୍ ସମୟରେ ୨୦୨୧ରେ ସିନେମା ହଲ୍ ଭିତରେ ଫ୍ୟାନ୍ ମାନେ ବାଣ ଫୁଟାଉଥିବାର ଅନେକ ଭିଡିଓ ଭାଇରାଲ୍ ହୋଇଥିଲା। ସେହି ସମୟରେ ସଲମାନ୍ ଖାନ୍ ସିନେମା ହଲ୍ ଭିତରେ ବାଣ ନ ଫୁଟାଇବା ପାଇଁ ଅନୁରୋଧ କରିଥିଲେ।

ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟାଇଗର 3’ ଭାରତୀୟ ବକ୍ସ ଅଫିସରେ ସଲମାନଙ୍କ ପାଇଁ ସବୁଠାରୁ ବଡ଼ ଓପନର ଫିଲ୍ମ ଭାବେ ଉଭା ହୋଇଛି। ଭାରତରେ ପ୍ରଥମ ଦିନରେ ଫିଲ୍ମଟି ପ୍ରାୟ 45 କୋଟି ଟଙ୍କା ଆୟ କରିଛି।

ତେବେ ଏଠାରେ ପ୍ରଶ୍ନ ଉଠୁଛି ସିନେମା ହଲ ଭିତରକୁ ଦର୍ଶକ ମାନେ ବାଣ କିଭଳି ନେଇପାରିଲେ ? ସୁରକ୍ଷାକର୍ମୀ କରୁଥିଲେ କ’ଣ ? ଯଦି ଦର୍ଶକଙ୍କ ବେଶରେ କୌଣସି ଆତଙ୍କବାଦୀ ହଲ ଭିତରକୁ ବିସ୍ଫୋରକ ନେଇ ଯାଇଥାନ୍ତେ ଓ କୌଣସି ଅଘଟଣ ଘଟିଥାନ୍ତା ତେବେ ପରିସ୍ଥିତି କେତେ ଭୟଙ୍କର ହୋଇ ନଥାନ୍ତା ?