ଦ ସ୍ମୋକିଂ ଷ୍ଟାର୍ସ

“ସିଗାରେଟ୍ ସ୍ମୋକିଂ ଇଜ୍ ଇଞ୍ଜୁରିଅସ୍ ଟୁ ହେଲଥ, ଧୂମପାନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ଏହି ବୈଧାନିକ ବାକ୍ୟ ସହ ଆମେ ଓଡିଆ ସିନେ ଜଗତର କିଛି ତାରକାଙ୍କ ସିଗାରେଟ୍ ବିଜ୍ଞାପନ ସମ୍ପର୍କରେ ଅବଗତ କରାଉଛୁ ।

ଫେମସ୍ ବ୍ରାଣ୍ଡ କ୍ୟାଭେଣ୍ଡର୍ସ ସିଗାରେଟ୍ ବିଜ୍ଞାପନ ପାଇଁ ବେଶ ଚର୍ଚ୍ଚାକୁ ଆସିଥିଲେ ୮୦ ଦଶକର ଓଡ଼ିଆ ଅଭିନେତା ଶ୍ରୀରାମ ପଣ୍ଡା । ଏହି ବ୍ରାଣ୍ଡର ବିଜ୍ଞାପନ ମଡେଲ୍ ସାଜିଥିବା ଶ୍ରୀରାମଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡାର ମଧ୍ୟ କରାଯାଇଥିଲା । ୮୦ ଦଶକର ଶେଷ ଭାଗ ଅର୍ଥାତ୍ ୧୯୮୯ ମସିହାରେ କ୍ୟାଭେଣ୍ଡର୍ସ ସିଗାରେଟ୍ ବିଜ୍ଞାପନ ପାଇଁ ମଡେଲ୍ ହୋଇଥିଲେ ହ୍ୟାଣ୍ଡସମ୍ ଶ୍ରୀରାମ । ସେହି ସମୟରେ ବଲିଉଡ୍ ର ଅନେକ ହିରୋ ମଧ୍ୟ ଏହି କ୍ୟାଭେଣ୍ଡର୍ସ ପାଇଁ ବିଜ୍ଞାପନ କରିଥିବା ଦେଖାଦେଇଥିଲା ।

କୁହାଯାଉଥିଲା କେହି ଓଡ଼ିଆ ସିନେ ତାରକା କୌଣସି ଜାତୀୟ ବିଜ୍ଞାପନ ପାଇଁ ମଡେଲ୍ ହେବା କୁଆଡେ ଶ୍ରୀରାମଙ୍କ ଠାରୁ ଆରମ୍ଭ ହୋଇଥିଲା । ଖୁବ୍ ଛୋଟ ଛୋଟ ଅକ୍ଷରରେ ୧୯୮୯ରେ ଆସିଥିବା ଏହି ବିଜ୍ଞାପନରେ ବୈଧାନିକ ଚେତାବନୀ ସିଗାରେଟ ପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ମଧ୍ୟ ଲେଖାଯାଇଥିଲା । ପରବର୍ତୀ ସମୟରେ କିଛି ବର୍ଷ ପରେ ଅଭିନେତା ଶ୍ରୀରାମ ପଣ୍ଡାରୁ ସନ୍ନ୍ୟାସୀ ସ୍ୱାମୀ ନିତ୍ୟାଚୈତନ୍ୟ ପାଲଟି ଯାଇଥିଲେ ଶ୍ରୀରାମ । ଏହି ବିଜ୍ଞାପନ ପରେ କୁଆଡେ ଶ୍ରୀରାମଙ୍କ ମନରେ ବୈରାଗ୍ୟ ଆସିଥିଲା ତାଙ୍କ ସିଗାରେଟ୍ ବିଜ୍ଞାପନ ଦେଖି ଅନେକ ଯୁବକ ତମାଖୁ ସେବନ ପ୍ରତି ଆଗ୍ରହୀ ହୋଇଥିବା କଥା ତାଙ୍କୁ ବ୍ୟଥିତ କରିଥିଲା । ଏହା ପରେ ତାଙ୍କର ଜୀବନର ଗତିପଥ ବଦଳି ଯାଇଥିଲା ବୋଲି ସେ ଏକ ସାକ୍ଷାତକାରରେ କହିଥିଲେ ।

ତେବେ ଶ୍ରୀରାମ ପଣ୍ଡାଙ୍କ ଠାରୁ ଯେ ଓଡ଼ିଆ ସିନେ ଜଗତରେ ସିଗାରେଟ୍ ବିଜ୍ଞାପନ ଆରମ୍ଭ ହୋଇଥିଲା ତା’ ନୁହେଁ । ଏହି ବିଜ୍ଞାପନର ଯଥେଷ୍ଟ ପୂର୍ବରୁ ୬୦ ଦଶକରେ ବର୍ଷିଆନ୍ ଅଭିନେତା ସ୍ୱର୍ଗତ ଶରତ ପୂଜାରୀ ମଧ୍ୟ ବାର୍କଲି ସିଗାରେଟର ବିଜ୍ଞାପନ ପାଇଁ ମଡେଲ୍ ସାଜିଥିଲେ । ହ୍ୟାଣ୍ଡସମ୍ ଶରତ ପୂଜାରୀଙ୍କର ବର୍କଲି ପାଇଁ ମଡେଲିଙ୍ଗ୍ ୬୦ ଦଶକରେ ବେଶ ଲୋକପ୍ରିୟ ହୋଇପାରିଥିଲା । ୧୯୬୮ ମସିହାରେ ଆସିଥିବା ଏହି ବିଜ୍ଞାପନରେ କିନ୍ତୁ ସେତେବେଳେ ତମାଖୁ ସେବନ ସମ୍ବନ୍ଧରେ କୌଣସି ପ୍ରକାର ବୈଧାନିକ ସତର୍କତା ଲେଖାଯାଇ ନଥିଲା ।

ଆମ ପାଖରେ ଏହି ଦୁଇ ଅଭିନେତାଙ୍କର ସିଗାରେଟ୍ ବିଜ୍ଞାପନର ପୋଷ୍ଟର୍ ହସ୍ତଗତ ହୋଇଛି । ଯାହା ଆମେ ଆପଣମାନଙ୍କ ନିକଟରେ ଉପସ୍ଥାପନ କରୁଛୁ ।

ପୁଣି ଥରେ ସଚେତନ କରାଇବାକୁ ଚାହିଁବୁ “ସିଗାରେଟ ସେବନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ” ।