କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍ ପକ୍ଷରୁ ଆନନ୍ଦ ଉତ୍ସବ

ଓଡ଼ିଶୀ ନୃତ୍ୟାନୁଷ୍ଠାନ କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍ ପକ୍ଷରୁ ପଂଚଦଶତମ ‘ଆନନ୍ଦ ଉତ୍ସବ’ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରସ୍ଥିତ ରଙ୍ଗମଂଚରେ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ।


ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଡ. ସ୍ନେହପ୍ରଭା ସାମନ୍ତରାୟ ଏବଂ ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଢ଼ୀ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ଟ୍ରଷ୍ଟି ଅଂଶୁମାନ ମିଶ୍ର ଓ ପୁଷ୍ପିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନ ତରଫରୁ ଉଭୟଙ୍କୁ ଆନନ୍ଦଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।


ନୃତ୍ୟଗୁରୁ ପୁଷ୍ପିତା ମିଶ୍ର, ମିତା ଦାସ ଓ ତାରିଣୀ ନାୟକଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଅନୁଷ୍ଠାନର କଳାକାରମାନେ ପ୍ରଥମେ ଗଣେଶ ବନ୍ଦନା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ମଙ୍ଗଳାଚରଣ, ଗୁରୁବନ୍ଦନା, ବଟୁ, ପଲ୍ଲବୀ. ବନ୍ଦେ ଉତ୍କଳ ଜନନୀ, ଆହେ ନୀଳ ଶଇଳ, ଶିବତାଣ୍ଡବ, ଶିବ ପଂଚାକ୍ଷରସ୍ତ୍ରୋତ୍ର, ଲଘୁନୃତ୍ୟ ଓ ଲୋକନୃତ୍ୟ ପରିବେଷଣ କରିଥିଲେ ।


ନୃତ୍ୟଶିଳ୍ପୀ ଶ୍ରୀୟାଶ୍ରୀ ପତିଙ୍କ ଅଭିନୀତ ରାଧାକୃଷ୍ଣଙ୍କ ପ୍ରେମ ରସାପ୍ତ ନୃତ୍ୟାଭିନୟ ‘ସଜ କଞ୍ଜ ନୟନା’ ବେଶ ଉପଭୋଗ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ତନ୍ଦ୍ରାଳସା ଦାସ ।