ଜନ୍ମଦିନରେ ଜାଣନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜୀବନ ସହ ଜଡ଼ିତ ରୋଚକ ତଥ୍ୟ

ମଧ୍ୟପ୍ରଦେଶର ଗ୍ୱାଲିୟର ମହାରାଜା ତଥା ସିନ୍ଧିଆ ରାଜପରିବାର ପ୍ରମୁଖ ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ଆଜି ହେଉଛି ଜନ୍ମଦିନ । ୪୯ ବର୍ଷୀୟ ଜ୍ୟୋତିରାଦିତ୍ୟ କଂଗ୍ରେସର ଜଣେ ଆଗଧାଡିର ନେତା ମଧ୍ୟ । ୧୯୭୧ ମସିହା ଜାନୁଆରୀ ୧ତାରିଖରେ ଜନ୍ମଗ୍ରହଣ କରିଥିବା ସିନ୍ଧିଆ ରାଜପରିବାରର ଦାୟାଦ ଜ୍ୟୋତିରାଦିତ୍ୟ ପୂର୍ବତନ କଂଗ୍ରେସ ନେତା ମାଧବରାଓ ସିନ୍ଧିଆ ଏବଂ ମାଧବୀ ରାଜେ ସିନ୍ଧିଆଙ୍କର ଏକ ମାତ୍ର ପୁଅ ।


ଆସନ୍ତୁ ଜାଣିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ସାଂସଦ ଏବଂ କଂଗ୍ରେସର ଏହି ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ଜୀବନ ସହିତ ଜଡ଼ିତ କିଛି ଖାସ୍ କଥା ସମ୍ପର୍କରେ ।
• ୧୯୭୧ ମସିହାରେ ଜାନୁଆରୀ ୧ ତାରିଖରେ ଜନ୍ମ ଜ୍ୟୋତିରାଦିତ୍ୟଙ୍କର ନାମକରଣକୁ ନେଇ ମଧ୍ୟ ବେଶ କୌତୁହଳପୂର୍ଣ୍ଣ କଥା ରହିଛି । ତାଙ୍କ ଜେଜେ ମା’ ସ୍ୱର୍ଗତଃ ବିଜୟା ରାଜେ ସିନ୍ଧିଆ ତାଙ୍କ ନା ଦେବତା ଜ୍ୟୋତିବା ରଖିବା ପାଇଁ ଚାହୁଁଥିବା ବେଳେ ତାଙ୍କ ବାପା ମାଧବରାଓ ଏବଂ ମା ମାଧବୀ ରାଜେ ତାଙ୍କ ନାମ ବିକ୍ରମାଦିତ୍ୟ ରଖିବା ପାଇଁ ଭାବିଥିଲେ । ପରବର୍ତୀ ସମୟରେ ତାଙ୍କ ନାମ ଜ୍ୟୋତିରାଦିତ୍ୟ ରଖାଗଲା ।
• ଜ୍ୟୋତିରାଦିତ୍ୟଙ୍କ ଜନ୍ମର ଏକ ମାସ ପର୍ଯ୍ୟନ୍ତ ଗ୍ୱାଲିୟରରେ ଉତ୍ସବ ପାଳନ କରାଯାଇଥିଲା । କାରଣ ତାଙ୍କ ଜନ୍ମ ପରେ ହିଁ ଗ୍ୱାଲିୟର୍ ରାଜପରିବାରକୁ ଉତରାଧିକାରୀ ମିଳିଯାଇଥିଲା ।


• ୨୦୦୧ରେ ଏକ ବିମାନ ଦୁର୍ଘଟଣାରେ ତାଙ୍କ ପିତା ମାଧବରାଓ ସିନ୍ଧିଆଙ୍କର ମୃତ୍ୟୁ ହେବା ଫଳରେ ସେ ଗ୍ୱାଲିୟରର ମହାରାଜା ପଦ ଅଳଙ୍କୃତ କଲେ ।
• ପିତାଙ୍କ ପଦଚିହ୍ନକୁ ଅନୁକରଣ କରି ୨୦୦୨ରେ ସେ କଂଗ୍ରେସ ଦଳରେ ଗୁନା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଜିଣି ସାଂସଦ ବନିଲେ ।
• ୨୦୦୪ରେ ସେ ପୁଣି ଥରେ ନିର୍ବାଚନ ଜିତିଲେ ଏବଂ ୨୦୦୭ରେ କେନ୍ଦ୍ରମନ୍ତ୍ରୀ ବନିଲେ । ୨୦୦୯ ଏବଂ ୨୦୧୪ରେ ମଧ୍ୟ ଲଗାତାର ନିର୍ବାଚନ ଜିତିଥିବା ବେଳେ ୨୦୧୯ରେ ତାଙ୍କୁ ଗୁନା ସଂସଦୀୟ କ୍ଷେତ୍ରରେ ପରାଜୟ ଗ୍ରହଣ କରିବାକୁ ପଡ଼ିଥିଲା ।
• ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ବଦଳରେ କଂଗ୍ରେସ ନେତୃତ୍ୱ କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ଯାହାକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ନୈରାଶ୍ୟ ଦେଖିବାକୁ ମିଳିଥିଲା ।


• ତାଙ୍କର ଜୀବନଶୈଳୀ ରାଜକୀୟ ଥାଟକୁ ନେଇ ସେ ବେଶ ଚର୍ଚ୍ଚାରେ ଥାଆନ୍ତି । ଗ୍ୱାଲିୟରର ଜୟବିଲାସ ରାଜପ୍ରାସାଦରେ ଜ୍ୟୋତିରାଦିତ୍ୟ ବାସକରନ୍ତି । ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ରାଜପ୍ରାସାଦ ୧୮୭୪ ମସିହାରେ ୟୁରୋପୀୟ ଶୈଳୀରେ ନିର୍ମିତ ହୋଇଥିଲା । ଏହି ରାଜପ୍ରାସାଦରେ ୪୦୦ଟି ଶୟନକକ୍ଷ ରହିଥିବା ବେଳେ ପ୍ରାସାଦଟି ସୁନାରେ ଖଚିତ ବୋଲି କୁହାଯାଏ ।
• ଜ୍ୟୋତିରାଦିତ୍ୟଙ୍କ ବିବାହ ବରୋଦାର ଗାଏକୱାଡ ରାଜପରିବାରର ରାଜକୁମାରୀ ପ୍ରିୟଦର୍ଶିନୀ ରାଜେଙ୍କ ସହିତ ୧୯୯୪ ମସିହା ୧୨ ଡିସେମ୍ବରରେ ହୋଇଥିଲା । ତାଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କୁ ବିଶ୍ୱର ଶ୍ରେଷ୍ଠ ୫୦ ଜଣ ସୁନ୍ଦରୀ ମହିଳାମାନଙ୍କ ମଧ୍ୟରେ ସାମିଲ କରାଯାଇଛି ।
• ଜ୍ୟୋତିରାଦିତ୍ୟଙ୍କ ଝିଅ ନାମ ଅନନ୍ୟା ରାଜେ ସିନ୍ଧିଆ ଏବଂ ପୁଅଙ୍କ ନାମ ମହାନ୍ଆର୍ଯ୍ୟମନ୍ ସିନ୍ଧିଆ ।


• ଜ୍ୟୋତିରାଦିତ୍ୟଙ୍କ ଜେଜେମା ସ୍ୱର୍ଗତ ବିଜୟାରାଜେ ସିନ୍ଧିଆ ବିଜେପିର ପ୍ରତିଷ୍ଠାତା ସଦସ୍ୟା ରହିଥିବା ବେଳେ ତାଙ୍କ ଦୁଇ ପିଉସୀ ବସୁନ୍ଧରାରାଜେ ସିନ୍ଧିଆ ଏବଂ ଯଶୋଧରାରାଜେ ସିନ୍ଧିଆ ବିଜେପି ସହ ଜଡ଼ିତ ଅଛନ୍ତି । ବସୁନ୍ଧରା ହେଉଛନ୍ତି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ । ତେବେ ପିତା ସ୍ୱର୍ଗତ ମାଧବରାଓ ସିନ୍ଧିଆଙ୍କର ପଦାଙ୍କ ଅନୁସରଣ କରି ଜ୍ୟୋତିରାଦିତ୍ୟ କଂଗ୍ରେସ ଦଳରେ ଅଛନ୍ତି ।
• ନିକଟରେ ଧାରା ୩୭୦କୁ ସମର୍ଥନକୁ ନେଇ ବେଶ ଚର୍ଚ୍ଚାରେ ଥିବା ବେଳେ ସେ ସିଟିଜେନ୍ ଆମେଣ୍ଡମେଂଟ ବିଲ୍କୁ ସମର୍ଥନ କରୁଥିବା ନେଇ ମଧ୍ୟ ଗୁଜବ ଉଠିଥିଲା । ଏପରି ମଧ୍ୟ ଚର୍ଚ୍ଚା ହୋଇଥିଲା ସେ କୁଆଡ଼େ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବେ । ତେବେ ଧାରା ୩୭୦କୁ ସମର୍ଥନ କରୁଥିବା ଜ୍ୟୋତିରାଦିତ୍ୟ ସିଏଏକୁ ସମର୍ଥନ କରୁନାହାନ୍ତି କିମ୍ବା କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଥିଲେ ।
ମହାରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ଜନ୍ମଦିନରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ।