ଅକ୍ଟୋବରରେ ମେ ମାସର ତାତି


ଅକ୍ଟୋବରରେ ଗ୍ରୀଷ୍ମର ପ୍ରବଳ ପ୍ରକୋପ ଅନୁଭୁତ ହେଉଛି । ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି । ବୁଧବାର ଦିନ ରାଜଧାନୀରେ ତାପମାତ୍ରା ୩୬ ଡିଗ୍ରୀ ଥିଲା ଯାହାକି ସାଧାରଣ ତାପମାତ୍ରା ଠାରୁ ୪ ଡିଗ୍ରୀ ଅଧିକ।
ବୁଧବାର ରାତିର ତାପମାତ୍ରା ୨୭.୪ ଡିଗ୍ରୀ ଥିଲା ଯାହାକି ସାଧାରଣ ତାପମାତ୍ରା ଠାରୁ ୩.୫ ଡିଗ୍ରୀ ସେଲ୍‌ସିୟସ ଅଧିକ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି)ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।
ଡକ୍ଟର ସାହୁ କହିଛନ୍ତି ଯେ ସିଇସି ପକ୍ଷରୁ ୨୦୧୯ ରୁ ୨୦୨୩ ମଧ୍ୟରେ ରେକର୍ଡ କରାଯାଇଥିବା ଅକ୍ଟୋବର ମାସର ତାପମାତ୍ରାକୁ ଅନୁଧ୍ୟାନ କଲେ ଏହି ସ୍ଥିତିକୁ ବୁଝି ହେଉଛି । ଏହି ତାପମାତ୍ରାକୁ ଉଭୟ ସିଇସି ଏବଂ ସହର ଉପକଣ୍ଠ ଛତାବର ସ୍ଥିତ ସୋଆ କୃଷି ଫାର୍ମରେ ରେକର୍ଡ କରାଯାଇଥିଲା । ଛତାବର ସହର ଠାରୁ ଦୂରରେ ଗ୍ରାମାଂଚଳରେ ହୋଇଥିବାରୁ ଏହାର ଦିନ ଓ ରାତିର ତାପମାତ୍ରା ସହର ଠାରୁ ୧.୫ ଡିଗ୍ରୀ ସେଲ୍‌ସିୟସ କମ୍ ରେକର୍ଡ ହୋଇଥିଲା ।
ଏଭଳି ଅହେତୁକ ତାପମାତ୍ରାରେ ବୃଦ୍ଧି ପାଇବାର ପ୍ରମୁଖ କାରଣ ହେଉଛି ଉତର ଓ ଉତର-ପୂର୍ବ ଦିଗରୁ ଶୁଷ୍କ ଥଣ୍ଡା ପବନର ପ୍ରବାହ ବନ୍ଦ ହୋଇଯିବା । ଏହା ଛଡ଼ା ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ଓଡ଼ିଶାରେ ସୃଷ୍ଟ ଲଘୁଚାପ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଆଡ଼କୁ ଗତି କରି ଅକ୍ଟୋବର ପ୍ରଥମ ସପ୍ତାହରେ ସିକିମ୍ ମୁହାଁ ହୋଇ ସେଠାରେ ବିତ୍ପାତ ସୃଷ୍ଟି କରିବା ଅନ୍ୟ ଏକ କାରଣ ।
ଅକ୍ଟୋବର ୧ ରୁ ୫ ମଧ୍ୟରେ ବଙ୍ଗୋପ ସାଗରରୁ ଦକ୍ଷିଣା ପବନ ଉତର-ପଶ୍ଚିମ ବଙ୍ଗ ଓ ସିକିମ ଆଡ଼କୁ ପ୍ରବାହିତ ହୋଇଥିଲା ଓ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ଓ ଲଘୁଚାପର ପ୍ରଭାବ ଯୋଗୁଁ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଥିଲା ।
ଅକ୍ଟୋବର ୪ ତାରିଖରେ ବର୍ଷା ବନ୍ଦ ହୋଇଯିବା ପରେ ନିମ୍ନ ବାୟୁମଣ୍ଡଳରେ ୬୦ ରୁ ୬୫ ପ୍ରତିଶ୍ରତ ଆଦ୍ରତା ତଥା ଉପର ବାୟୁମଣ୍ଡଳରେ ସ୍ୱଳ୍ପ ଆଦ୍ରତା ଏବଂ ଓଡ଼ିଶା ଆଡ଼କୁ ପଶ୍ଚିମା ପବନ ବହିବା ଯୋଗୁଁ ଅକ୍ଟୋବର ୬ ତାରିଖରୁ ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଇଲା ବୋଲି ଡକ୍ଟର ସାହୁ କହିବା ସହ ଦିନର ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ଏବଂ ରାତିର ତାପମାତ୍ରା ୨୭ ଡିଗ୍ରୀରୁ ଅଧିକ ହେଲା ବୋଲି କହିଛନ୍ତି ।
ଏଭଳି ପରିସ୍ଥିତି ଅକ୍ଟୋବର ୧୮ ତାରିଖ ଯାଏ ଜାରି ରହିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ନିମ୍ନ ବାୟୁମଣ୍ଡଳରେ ଅଧିକ ପରିମାଣର ଆର୍ଦ୍ରତା ଯୋଗୁଁ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ । ତେବେ ଅକ୍ଟୋବର ୧୮ ତାରିଖ ପର ଠାରୁ ଦକ୍ଷିଣ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଯୋଗୁଁ ପବନର ପ୍ରବାହରେ ପରିବର୍ତନ ହେବ । ଫଳରେ ଦିନ ଏବଂ ରାତିର ତାପମାତ୍ରା କମିବାର ସମ୍ଭାବନା ଅଛି ବୋଲି ଡକ୍ଟର ସାହୁ କହିଛନ୍ତି ।