ରଥ ନିର୍ମାଣ ନିମନ୍ତେ ପ୍ରଶାସନର ଅନୁମତି ଲୋଡିଲେ ଖଣ୍ଡପଡା ରାଜା

ନୟାଗଡ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡା ଗଡଜାତର ରାଜବାଟୀ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ଅଧିଷ୍ଠିତ ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ନିମନ୍ତେ ନୟାଗଡ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ଲୋଡିଛନ୍ତି ଖଣ୍ଡପଡ଼ା ରାଜା, ପୂର୍ବତନ ଉପବାଚସ୍ପତି ଓ ମନ୍ତ୍ରୀ ତଥା ମନ୍ଦିରର ହେରିଡିଟେରୀ ଟ୍ରଷ୍ଟି ଶ୍ରୀ ବିଭୁତି ଭୂଷଣ ସିଂହ ମର୍ଦରାଜ ।
ଅନୁମତି ପାଇବା ପାଇଁ ଖଣ୍ଡପଡା ରାଜାସାହେବ ନୟାଗଡ ଜିଲ୍ଲାପାଳଙ୍କୁ ପତ୍ର ଲେଖିବା ସହ ଅନୁମତି ମାଗିଛନ୍ତି । ଦେଶ ସ୍ୱାଧୀନ ହେବା ସହ ଏବଂ ଗଡଜାତ ରାଜ୍ୟ ଗୁଡିକର ମିଶ୍ରଣ ହେବା ପରଠାରୁ ଖଣ୍ଡପଡା ରାଜବାଟୀ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ସମ୍ପନ୍ନ ହୋଇ ଆସୁଛି । ଚଳିତ ବର୍ଷ ରଥ ନିର୍ମାଣ ନିମନ୍ତେ ନୟାଗଡ ଓ ରଣପୁର ଗଡ଼ଜାତକୁ ଅନୁମତି ପ୍ରଦାନ କରାଯାଇଥିବା ସୂଚନା ରହିଥିବା ବେଳେ ଖଣ୍ଡପଡା ରାଜବାଟୀର ଜଗନ୍ନାଥ ମନ୍ଦିରକୁ ମଧ୍ୟ ଅନୁମତି ପ୍ରଦାନ କରାଯାଉ ବୋଲି ପତ୍ରରେ ଅନୁରୋଧ କରିଛନ୍ତି ରାଜାସାହେବ ।

ଦୀର୍ଘ ବର୍ଷର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ନିମନ୍ତେ ଏହି ଅନୁମତି ପ୍ରଦାନ କରାଯାଉବୋଲି ଶ୍ରୀ ମର୍ଦରାଜ ପତ୍ରରେ ଉଲ୍ଲେଖ କରିଛନ୍ତି । ଅନୁମତି ମିଳିଲେ ରାଜ୍ୟ ସରକାରଙ୍କ ସମସ୍ତ ନିୟମାବଳୀ ପାଳନ କରି ରଥ ନିର୍ମାଣ କରାଯିବ ବୋଲି ଦୃଢ ପ୍ରତିଶୃତି ଦେଇଛନ୍ତି ଶ୍ରୀ ମର୍ଦରାଜ । ତେଣୁ ନୟାଗଡ ଜିଲ୍ଲା ପ୍ରଶାସନ ତାଙ୍କ ଅନୁରୋଧ ରକ୍ଷା କରି ଅନୁମତି ପ୍ରଦାନ କରିବେ ବୋଲି ସେ ଆଶା ରଖିଛନ୍ତି ।